କଟକ କଂଗ୍ରେସ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ, ଯୋଗଦେଲେ ଚେଲ୍ଲାକୁମାର, ନିରଞ୍ଜନ
କଟକ କଂଗ୍ରେସ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ, ଯୋଗଦେଲେ ଚେଲ୍ଲାକୁମାର, ନିରଞ୍ଜନ
କଟକ: କଟକରେ ବଳ ବଢ଼ାଇବ କଂଗ୍ରେସ । ସଂଗଠନ ମଜବୁତ ହେବ । ପୁରୁଣା କର୍ମୀଙ୍କୁ ଏକାଠି କରାଯିବ । ଅଧିକରୁ ଅଧିକ ଯୁବପିଢ଼ିଙ୍କୁ ଦଳରେ ସାମିଲ କରାଯିବ । ପଞ୍ଚାୟତ ନିର୍ବାଚନକୁ ସଶକ୍ତ ହୋଇ ମଇଦାନକୁ ଓହ୍ଲାଇବ କଂଗ୍ରେସ । ଏଥିପାଇଁ ପ୍ରସ୍ତୁତ ହୋଇଛି ରୋଡ୍ମ୍ୟାପ୍ । ଏ ନେଇ ଆଜି କଟକରେ ପହଞ୍ଚିଥିଲେ ରାଜ୍ୟ ପ୍ରଭାରୀ ଏ.ଚେଲ୍ଲାକୁମାର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
କଟକରେ ଆଜି ଅନୁଷ୍ଠିତ ହୋଇଛି ଜିଲ୍ଲାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପିସିସି ସଭାପତି ଓ ପ୍ରଭାରୀଙ୍କ ସହ ଏଆଇସିସି ସମ୍ପାଦକ ଭି.ରାଜୁ ପ୍ରମୁଖ ଯୋଗ ଦେଇଛନ୍ତି । ସକାଳ ୧୧ଟାବେଳେ ବୈଠକ ଆରମ୍ଭ ହୋଇଛି । ବୈଠକରେ ଦଳର ବହୁ ବରିଷ୍ଠ ନେତାଙ୍କସହ ଯୁବ ନେତାମାନେ ମଧ୍ୟ ସାମିଲ ଥିଲେ । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ କଟକରେ ସଂଗଠନକୁ ଆହୁରି ବଳଶାଳୀ କରିବାକୁ ବୈକରେ ରଣନୀତି ପ୍ରସ୍ତୁତ ହେଉଛି । ବିଭିନ୍ନ ନେତାଙ୍କ ମତାମତ ନିଆଯାଇଛି । ଆଗାମୀଦିନରେ ସେଇ ମତାମତକୁ ଆଧାର କରି ଜିଲ୍ଲାଂ କଂଗ୍ରେସ ଆଗକୁ ବଢ଼ିବ । ଏହି ଅବସରରେ ନିରଞ୍ଜନ ଓ ଚେଲ୍ଲାକୁମାର ସଭିଙ୍କୁ ସଂଗଠିତ ହୋଇ କାମ କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କହିଛନ୍ତି । ବିଶେଷ କରି ଦରଦାମ ବୃଦ୍ଧି ନେଇ ଆନେ୍ଦାଳନ କରିବା ସହ ଲୋକଙ୍କୁ ସଚେତନ କରିବାକୁ କୁହାଯାଇଛି ।
ଆଜିର ବୈଠକରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ସାଧାରଣତଃ ବଡ଼ ନେତା ଆସିଲେ, ମଂଚ ବନ୍ଧାଯିବା ସହ ସେମାନଙ୍କ ପାଇଁ ଚୌକି ପଡ଼ିଥାଏ । ମାତ୍ର ସବୁବେଳେ ନିଆରା ପଦକ୍ଷେପ ଓ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରୁଥିବା ଜିଲ୍ଲା ସଭାପତି ମାନସ ଚୌଧୁରୀ, ଆଜି ବି ଏକ ଭିନ୍ନ ବ୍ୟବସ୍ଥା କରିଥିଲେ । କୌଣସି ଚୌକି ବି ଆସନ ନଥିଲେ । ସବୁ ନେତା ଓ କର୍ମୀ ତଳେ ବସିଥିଲେ । ଚକା ପକାଇ ଏକାଠି ହୋଇ ଦଳ ପାଇଁ କଥା ହୋଇଥିଲେ । ଆଜିର ବୈଠକରେ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବ । ଏହି ରଣନୀତିକୁ ନେଇ କଂଗ୍ରେସ ନିର୍ବାଚନକୁ ଯିବ । ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ସୁରେଶ ମହାପାତ୍ର, ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ୟାସିର ନୱାଜ ପ୍ରମୁଖ ଉପସ୍ଥିତ ଥିଲେ ।