ରାଜନାଥଙ୍କୁ ନବୀନଙ୍କ ଚିଠି

ରାଜନାଥଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର : ‘ଫନି’ ପ୍ରଭାବରେ ପୁରୀ ଓ ଅନ୍ୟ ଜିଲ୍ଲାରେ ଶକ୍ତି କ୍ଷେତ୍ର ଭିତିଭୂମି ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି । କିନ୍ତୁ ଏବେକାର ଏନଡ଼ିଆରଏଫ ନିୟମାନୁସାରେ କ୍ଷତିଗ୍ରସ୍ତ ହୋଇଥିବା ୧୧ କେଭିର ଖୁଂଟ, ଟ୍ରାନ୍ସଫର୍ମର ପାଇଁ ସହାୟତା ରାଶି ମିଳିପାରିବ । ୨୨୦ କେଭି, ୧୩୨ କେଭି ଟାୱାର, ଗ୍ରୀଡ଼ ସବଷ୍ଟେସନ, ୩୩ କେଭି ଖୁଂଟ, ପ୍ରାଥମିକ ସବଷ୍ଟେସନର ଗୁରୁତର କ୍ଷତି ହୋଇଛି । ଏହାକୁ ବିଚାରକୁ ନେଇ ଏନଡ଼ିଆରଏଫ ନିୟମ କୋହଳ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି । ଏନେଇ ସେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ସେ ପତ୍ର ଲେଖିଛନ୍ତି । ନବୀନ ତାଙ୍କ ପତ୍ରରେ ଉଲ୍ଳେଖ କରିଛନ୍ତିଯେ, ଶକ୍ତିକ୍ଷେତ୍ରରେ ୧୧୬୦ କୋଟିର କ୍ଷତି ହୋଇଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି । କେବଳ ୧୧ କେଭିର କ୍ଷତିକୁ ପୁନରୁଦ୍ଧାର ପାଇଁ ସହାୟତା ରାଶି ଯୋଗାଇଦେବାକୁ ଏନଡ଼ିଆରଏଫର ନିୟମ ରହିଛି । କିନ୍ତୁ ରାଜ୍ୟରେ କେବଳ ୧୧ କେଭି କ୍ଷତିଗ୍ରସ୍ତ ହୋଇନାହିଁ ବରଂ ପୂରା ଶକ୍ତିକ୍ଷେତ୍ରର ଭିତିଭୂମି ଦୋହଲି ଯାଇଛି । ଏଲଟି ଲାଇନଠାରୁ ଆରମ୍ଭ କରି ୨୨୦ କେଭି ଟାୱାର, ଗ୍ରୀଡ଼ ସବଷ୍ଟେସନ ଓ ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହୋଇଛି । ଏହି କ୍ଷତିକୁ ଭରଣା କରିବା ଓ ପୁନରୁଦ୍ଧାର କରିବା ବିଜୁଳି ଯୋଗାଣ କମ୍ପାନୀଙ୍କ ପକ୍ଷରେ ସମ୍ଭବ ନୁେହେଁ । ବିଜୁଳି ଏକ ମୌଳିକ ଓ ଜରୁରୀ ଆବଶ୍ୟକତା ହୋଇଥିବାରୁ ରାଜ୍ୟ ସରକାର ଏହାକୁ ଯୁଦ୍ଧକାଳୀନ ଭିତିରେ ପୁନରୁଦ୍ଧାର କରିବାକୁ ପ୍ରୟାସ କରୁଛନ୍ତି । ଏସବୁକୁ ବିଚାରକୁ ନେଇ ଏନଡ଼ିଆରଏଫ ନିୟମ କୋହଳ କରିବାକୁ ନବୀନ ଅନୁରୋଧ କରିଛନ୍ତି ।