ରାହୁଲ ଇସ୍ତଫା ଜିଦରେ ଅଟଳ : ଗେହଲଟ୍ ହେବେ ନୂଆ କଂଗ୍ରେସ ଅଧ୍ୟକ୍ଷ!
ରାହୁଲ ଇସ୍ତଫା ଜିଦରେ ଅଟଳ : ଗେହଲଟ୍ ହେବେ ନୂଆ କଂଗ୍ରେସ ଅଧ୍ୟକ୍ଷ!
admin
Jun 21, 2019 - 06:49
Updated: Jun 21, 2019 - 06:49
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବାକୁ ଜିଦରେ ଅଟଳ ରହିଛନ୍ତି । ପରବର୍ତ୍ତୀ କଂଗ୍ରେସ ସଭାପତି କିଏ ହେବ ସେ ନେଇ ମଧ୍ୟ ସେ ଆଦୌ ହସ୍ତକ୍ଷେପ କରିବେ ନାହିଁ ବୋଲି ଆଜି ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତର ରଖି ସ୍ପଷ୍ଟ କରିଦେଇଛନ୍ତି । ଗତ ଲୋକସଭା ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ରାହୁଲ ନିଜକୁ ଦାୟୀ କରିଛନ୍ତି ଏବଂ ଏଥିପାଇଁ ସଭାପତି ପଦରୁ ଇସ୍ତଫା ଦେବାକୁ ଅଡ଼ି ବସିଛନ୍ତି । ଯେତେ ବୁଝାସୁଝା ସତ୍ତେ୍ୱ ରାହୁଲ ତାଙ୍କ ନିଷ୍ପତ୍ତି ବଦଳାଉ ନାହାନ୍ତି । ସେ ଇସ୍ତଫା ଦେବେ ଏବଂ ତାଙ୍କ ଉତ୍ତରାଧିକାରୀଙ୍କୁ ଦଳ ହିଁ ବାଛିବ ବୋଲି ରାହୁଲ କହିଛନ୍ତି । ଅନ୍ୟ ପକ୍ଷରେ “ନବଭାରତ ଟାଇମ୍ସ’ରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ କଂଗ୍ରେସ ସଭାପତି ଭାବେ ନିଯୁକ୍ତ ହୋଇପାରନ୍ତି । ଗେହଲଟଙ୍କୁ ନୂଆ ଦାୟିତ୍ୱ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଯଦି ଅଶୋକ ଗେହଲଟ କଂଗ୍ରେସ ମୁଖ୍ୟ ହୁଅନ୍ତି ତେବେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବେ । ଉଲ୍ଲେଖଯୋଗ୍ୟ କଂଗ୍ରେସର ବହୁ ବରିଷ୍ଠ ନେତା ରାହୁଲଙ୍କୁ ସଭାପତି ପଦରେ ରହିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ରାହୁଲ ଏହାକୁ ଗ୍ରହଣ କରିନାହାନ୍ତି । କିଛି ପୁରୁଖା ନେତା ଚାହିଁଥିଲେ ଯେ ଗାନ୍ଧୀ ପରିବାରରୁ କେହି ଜଣେ କଂଗ୍ରେସ ମୁଖ୍ୟ ପଦରେ ରହିବେ ଏବଂ ଅନ୍ୟ ଦୁଇ ତିନି ଜଣ କାର୍ଯ୍ୟକାରୀ ଅଧ୍ୟକ୍ଷ ରହିବେ । କିନ୍ତୁ ରାହୁଲ ଏହି ପ୍ରସ୍ତାବକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ । ମା’ସୋନିଆ ଗାନ୍ଧୀ ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଏହି ଦାୟିତ୍ୱ ଦିଆଯିବ ନାହିଁ ବୋଲି ରାହୁଲ ସ୍ପଷ୍ଟ କରିବା ପରେ ଦଳ ଏବେ ନୂଆ ସଭାପତି ନିଯୁକ୍ତ ପାଇଁ ପ୍ରୟୋଗ ଆରମ୍ଭ କରିଛି ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଗତକାଲି ରାହୁଲ ଗାନ୍ଧିଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଦଳର ମୁଖ୍ୟାଳୟରେ ଭେଟି ଶୁଭେଚ୍ଛା ଜଣାଇଥିଲେ । ଗେହଲଟ ମଧ୍ୟ ରାହୁଲଙ୍କୁ କଂଗ୍ରେସ ମୁଖ୍ୟ ପଦରେ ରହିବା ପାଇଁ ଅନୁରୋଧ କରିଥିବା କୁହାଯାଇଛି ।