ରୋହିତଙ୍କୁ ଦିନିକିଆ, ଟି-୨୦ କ୍ୟାପଟେନ୍ କରିବା ସପକ୍ଷରେ ବିସିସିଆଇର କିଛି ଅଧିକାରୀଙ୍କ ମତ
ରୋହିତଙ୍କୁ ଦିନିକିଆ, ଟି-୨୦ କ୍ୟାପଟେନ୍ କରିବା ସପକ୍ଷରେ ବିସିସିଆଇର କିଛି ଅଧିକାରୀଙ୍କ ମତ
ନୂଆଦିଲ୍ଲୀ: ବିରାଟ କୋହଲି ବଦଳରେ ରୋହିତ ଶର୍ମାଙ୍କୁ ଦିନିକିଆ, ଟି-୨୦ କ୍ୟାପଟେନ୍ କରିବା ସପକ୍ଷରେ ବିସିସିଆଇର କିଛି ଅଧିକାରୀ ମତ ଦେଇଛନ୍ତି। କ୍ରିକେଟ୍ ଏଡିଟର ଡଟ୍ କମର ଏକ ରିପୋର୍ଟ ମୁତାବକ, ଆଗାମୀ ଆଇସିସି ଟି-୨୦ ବିଶ୍ୱକପ୍ ଜଣେ ଅଧିନାୟକ ଭାବେ କୋହଲିଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ସେ ଗତ ଆଇସିସି ଟୁର୍ଣ୍ଣାମେଣ୍ଟରେ ଦଳର ନେତୃତ୍ୱ ନେଇଥିଲେ ମଧ୍ୟ ଦଳକୁ କୌଣସି ଇଭେଣ୍ଟରେ ଚାମ୍ପିୟନ କରେଇପାରି ନାହାଁନ୍ତି, ଯାହାକୁ ନେଇ ସେ ଅନେକ ଥର ସମାଲୋଚନାର ଶିକାର ହୋଇଛନ୍ତି । ତେଣୁ ଏହି ଟୁର୍ଣ୍ଣାମେଣ୍ଟରେ ଯଦି ଭାରତୀୟ ଦଳ ଫେଲ୍ ମାରେ ତେବେ ଏହାର କୋହଲିଙ୍କ ପାଇଁ ଅଧିନାୟକ ଭାବେ ଶେଷ ଟୁର୍ଣ୍ଣାମେଣ୍ଟ ହୋଇପାରେ ।
ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା ହୋଇସାରିଛି ଭାରତୀୟ ଦଳ, ଯାହାର ନେତୃତ୍ୱ ନେବେ ବିରାଟ। ଜଣେ ଅଧିନାୟକ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଏବେ କୋହଲିଙ୍କ ପାଇଁ କର ବା ମର ସାବ୍ୟସ୍ତ ହୋଇପାରେ। ଏ ପର୍ୟ୍ୟନ୍ତ କୋହଲି ଆଇସିସି ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ଟ୍ରଫି ହାତେଇ ପାରିନାହାଁନ୍ତି। ଅନ୍ୟପଟେ ବିସିସିଆଇର କିଛି ଅଧିକାରୀ ମଧ୍ୟ କୋହଲିଙ୍କ ବଦଳରେ ରୋହିତଙ୍କୁ ଦିନିକିଆ ଓ ଟି-୨୦ ଦଳର କ୍ୟାପଟେନ୍ କରିବାକୁ ମତ ଦେଲେଣି।
କ୍ରିକେଟ୍ ଏଡିଟର ୱେବସାଇଟର ଏହି ରିପୋର୍ଟ ମୁତାବକ, ବିସିସିଆଇର କିଛି ଶୀର୍ଷ ଅଧିକାରୀ ମଧ୍ୟ କୋହଲିଙ୍କ ଅଧିନାୟକ ହେବାକୁ ନେଇ ଖୁସି ନାହାନ୍ତି। ବିଶେଷକରି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ପରାଜୟ ପରେ ଏହି ଅସନ୍ତୋଷ ବଢିବାରେ ଲାଗିଛି । ଫାଇନାଲ ମ୍ୟାଚରେ କୋହଲିଙ୍କ ଦଳ ଚୟନ ତ୍ରୁଟିପୂର୍ଣ୍ଣ ଥିଲା ବୋଲି ଏହି ଶୀର୍ଷ ଅଧିକାରୀମାନେ ମତ ଦେଇଛନ୍ତି ।
ଅନ୍ୟପଟେ କୋହଲିଙ୍କ ବଦଳରେ ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କୁ ଦିନିକିଆ ଏବଂ ଟି-୨୦ରେ ଭାରତୀୟ ଦଳର ନେତୃତ୍ୱ ଦେବାକୁ ଏହି ଅଧିକାରୀମାନେ ମତ ଦେଇଛନ୍ତି । ରୋହିତଙ୍କ ନେତୃତ୍ୱରେ ଆଇପିଏଲ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଲଗାତାର ପ୍ରତିଟି ସିଜିନର ଚମତ୍କାର ପ୍ରଦର୍ଶନ କରିଆସୁଛି । ଖାଲି ସେତିକି ନୁହେଁ, ଦଳ ତାଙ୍କ ନେତୃତ୍ୱରେ ଅନେକ ଥର ଚାମ୍ପିୟନ ମଧ୍ୟ ହୋଇସାରିଲାଣି ।