ସୁଧୁରୁଛି ସ୍ଥିତି, ୧୨ ସୁଦ୍ଧା ସାରା ରାଜଧାନୀରେ ଆଲୋକ

ସୁଧୁରୁଛି ସ୍ଥିତି, ୧୨ ସୁଦ୍ଧା ସାରା ରାଜଧାନୀରେ ଆଲୋକ

ଭୁବନେଶ୍ୱର : ଧିରେଧିରେ ସ୍ଥିତି ସୁଧୁରିବାରେ ଲାଗିଲାଣି । ରାଜଧାନୀ ସମେତ ଅନେକ ସହରାଂଚଳରେ ଜଳଯୋଗାଣ ସ୍ଥିତିରେ ସୁଧାର ଆସିଛି । ରାଜଧାନୀରେ ଜଳଯୋଗାଣ ଶତପ୍ରତିଶତ ହୋଇସାରିଥିବାବେଳେ ଆଜି ରାତି ସୁଦ୍ଧା କଟକରେ ଜଳଯୋଗାଣ ସ୍ୱାଭାବିକ ହେବ । ପୁରୀରେ ମଧ୍ୟ ଜଳଯୋଗାଣ ହୋଇସାରିଛି । ମୋବାଇଲ କମ୍ପାନୀଗୁଡ଼ିକର ମାଷ୍ଟର ସ୍ୱିଚିଂ ସେଂଟରକୁ ବିଜୁଳି ଯୋଗାଣ ସରିଛି । ଫଳରେ ଖୁବଶୀଘ୍ର ନେଟୱାର୍କରେ ସୁଧାର ଆସିବ । ବ୍ୟାଙ୍କିଂ ସେବା ପାଇଁ ବ୍ୟାଙ୍କଗୁଡ଼ିକ ବି ପଦକ୍ଷେପ ନେଲେଣି । ପୁରୀରେ ମୋବାଇଲ ଏଟିଏମ ମାଧ୍ୟମରେ ଲୋକଙ୍କୁ ସେବା ପ୍ରଦାନ କରାଯିବ । ବିଦୁ୍ୟତ ଭିତିଭୂମି ସଜାଡ଼ିବା ପାଇଁ ବାହାର ରାଜ୍ୟରୁ ୫ ହଜାର ଲୋକ ଆସିଥିବାବେଳେ ଆହୁରି ୩ ହଜାର ଲୋକଙ୍କୁ ଅଣାଯାଇଛି । ଚାରିଦିନ ମଧ୍ୟରେ ଭୁବନେଶ୍ୱର ସମେତ ଅନେକ ସହରାଂଚଳରେ ବିଜୁଳି ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି । ତେବେ ପୁରୀରେ ୧୨ରୁ ହିଁ ବିଜୁଳି ଯୋଗାଣ ଆରମ୍ଭ କରାଯିବ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ସଂଜୟ ସିଂହ କହିଲେଯେ, ଟେଲିକମ ସେବାରେ ସୁଧାର ଆସିଛି । ଭୁବନେଶ୍ୱରରେ ଥିବା ୫ଟି ମାଷ୍ଟର ସ୍ୱିଚିଙ୍ଗ ସେଂଟର ମଧ୍ୟରୁ ବିଏସଏନଲର ୨ଟି, ଭୋଡ଼ାଫୋନର ୧ଟି ଓ ଜିଓରେ ୧ଟି ସେଂଟରକୁ ବିଦୁ୍ୟତ ଯୋଗାଣ କରାଯାଇଛି । ଖୁବଶୀଘ୍ର ଏୟାରଟେଲର ମାଷ୍ଟର ସ୍ୱିଚିଂ ସେଂଟରକୁ ବିଦୁ୍ୟତ ଯୋଗାଣ କରାଯିବ । ଫଳରେ ଟେଲିକମ ସେବା ସ୍ୱାଭାବିକ ହୋଇପାରିବ । ଇଂଟରନେଟ ସେବା ଚାଲୁ ହେବା ଫଳରେ ବ୍ୟାଙ୍କଗୁଡ଼ିକରେ ଥିବା ଇଂଟରନେଟ ସେବା ମଧ୍ୟ ପୂର୍ବବତ ଜାରି ରହିପାରିବ । ବ୍ୟାଙ୍କଗୁଡ଼ିକ ମଧ୍ୟ ଗ୍ରାହକଙ୍କୁ ସେବା ଯୋଗାଣ ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ଏସବିଆଇ ଓ ୟୁକୋ ବ୍ୟାଙ୍କର ଅନେକ ଏଟିଏମ କାର୍ଯ୍ୟ କରିବା ଆରମ୍ଭ କରିଛି । ଆରବିଆଇ ପକ୍ଷରୁ ଆବଶ୍ୟକୀୟ ନଗଦ ଟଙ୍କା ମଧ୍ୟ ଯୋଗାଇ ଦିଆଯାଇଛି । ତେବେ ପୁରୀରେ ବ୍ୟାଙ୍କିଂ ସେବା ଆରମ୍ଭ ହୋଇନଥିବାବେଳେ ମୋବାଇଲ ଏଟିଏମ ପଠାଇବାର ବ୍ୟବସ୍ଥା କରାଯାଉଛି ବୋଲି ସେ କହିଥିଲେ । ପାନୀୟ ଜଳ ଯୋଗାଣ ସମ୍ପର୍କରେ ଶ୍ରୀ ସିଂହ କହିଲେଯେ, ପୁରୀ ସହରରେ ବାତ୍ୟା ପୂର୍ବରୁ ଦୈନିକ ୨୮ ଏମଏଲଡ଼ି ଜଳ ଯୋଗାଣ ହେଉଥିଲା । ଏବେ ୨୪ ଡିଜି ସେଟ, ୩୩ ୱାଟର ଟ୍ୟାଙ୍କର ଓ ୧୦୦ ପିଭିସି ଟ୍ୟାଙ୍କ ଜରିଆରେ ୨୮ ଏମଏଲଡ଼ି ଜଳଯୋଗାଣ କରାଯାଉଛି । ସେହିପରି କୋଣାର୍କ ଓ ନିମାପଡ଼ା ସହରରେ ମଧ୍ୟ ଜଳଯୋଗାଣ ସ୍ୱାଭାବିକ ହୋଇପାରିଛି । ଭୁବନେଶ୍ୱରରେ ଦୈନିକ ୨୨୫ ଏମଏଲଡ଼ି ଜଳ ଯୋଗାଣ କରାଯାଉଥିବାବେେଳେ ଏବେ ସ୍ଥିତି ସ୍ୱାଭାବିକ ହୋଇଛି । ୬୦ ବଡ଼ ଟ୍ୟାଙ୍କର ଓ ୬୦୦ ପିଭିସି ଟ୍ୟାଙ୍କ ଜରିଆରେ ପାନୀୟ ଜଳଯୋଗାଣ କରାଯଉଛି । ମୁଣ୍ଡଳୀଠାରେ ଥିବା ପାନୀୟ ଜଳଯୋଗାଣ କେନ୍ଦ୍ରକୁ ବିଦୁ୍ୟତ ଯୋଗାଣ କରାଯାଇସାରିଛି । ସେହିପରି କଟକରେ ବାତ୍ୟା ପୂର୍ବରୁ ଦୈନିକ ୧୦୫ ଏମଏଲଡ଼ି ଜଳ ଯୋଗାଣ କରାଯାଉଥିବାବେଳେ ଏବେ ୮୦% ଅଂଚଳକୁ ପାନୀୟ ଜଳଯୋଗାଣ ସ୍ୱାଭାବିକ ହୋଇପାରିଛି । ଆଜି ରାତି ସୁଦ୍ଧା ଅବଶିଷ୍ଟ ଅଂଚଳରେ ପାନୀୟ ଜଳଯୋଗାଣ କରାଯିବ ବୋଲି ସେ ସୂଚନା ଦେଇଥିଲେ । ଅପରପକ୍ଷରେ ଖୋର୍ଦ୍ଧାର ୭୦%, ଜଟଣୀର ୫୦% ଅଚଂଳକୁ ପାଣି ଯୋଗାଣ କରାଯାଉଛି । ଖୁବଶୀଘ୍ର ଶତ ପ୍ରତିଶତ ଜଳଯୋଗାଣ କରାଯିବ । ଅପରପକ୍ଷରେ ଗଛକଟା ଓ ରାସ୍ତା ସଫେଇ କାର୍ଯ୍ୟ ମଧ୍ୟ ତ୍ୱରାନ୍ୱିତ ହୋଇଛି । ବିଦୁ୍ୟତ ଯୋଗାଣ ନେଇ ସେ କହିଲେଯେ, ୧୦ ତାରିଖ ସୁଦ୍ଧା ଭୁବନେଶ୍ୱରର ୮୦% ଅଂଚଳକୁ ବିଜୁଳି ଯୋଗାଣ କରାଯିବ । ସେହିପରି ୧୨ ସୁଦ୍ଧା ଭୁବନେଶ୍ୱରରେ ଶତ ପ୍ରତିଶତ ବିଦୁ୍ୟତ ଯୋଗାଣ କରାଯିବ । ପୁରୀରେ ୧୨ରୁ ବିଜୁଳି ଯୋଗାଣ ପ୍ରକ୍ରିୟା ଆରମ୍ଭ ହେବ । ସେଠାରେ ବିଦୁ୍ୟତ ଭିତିଭୂମି ଗଭୀର ଭାବେ ପ୍ରଭାବିତ ହୋଇଛି । ବିଜୁଳି ଯୋଗାଣ ସ୍ୱାଭାବିକ କରିବା ପାଇଁ ବାହାର ରାଜ୍ୟରୁ ୫ ହଜାର ଲୋକଙ୍କୁ ନିୟୋଜିତ କରାଯାଇଛି । ଅପରପକ୍ଷରେ ଆଉ ୩ ହଜାର ଲୋକ ଆସନ୍ତାକାଲି ଠାରୁ କାର୍ଯ୍ୟାରମ୍ଭ କରିବେ । ଭୁବନେଶ୍ୱରରେ ଥିବା ୩ଟି ଡିଭିଜନରେ ୩୩ କେଭି ଫିଡ଼ର କାର୍ଯ୍ୟ ସରିଥିବାବେଳେ ୧୧ କେଭି ଫିଡ଼ର କାର୍ଯ୍ୟ ଜାରି ରହିଛି । ଭୁବନେଶ୍ୱରରେ ମୋଟ ୧୪୯ଟି ୧୧ କେଭି ଫିଡ଼ର ଥିବାବେଳେ ଇତିମଧ୍ୟରେ ୨୪ଟି ଫିଡ଼ର କାର୍ଯ୍ୟ ଶେଷ ହୋଇଛି । ଆଜି ରାତି ସୁଦ୍ଧା ଆଉ ୪୪ଟି ଫିଡ଼ର କାର୍ଯ୍ୟ ଶେଷ ହୋଇଯିବ । ଫଳରେ ଧିରେଧିରେ ବିଜୁଳି ସଂଯୋଗ ଦିଆଯିବ । ତେବେ ଜନସାଧାରଣମାନେ ନିଜ ନିଜର ସର୍ଭିସ ଲାଇନକୁ ଠିକ କରିବା ପାଇଁ ସେ ଅନୁରୋଧ କରିଥିଲେ । ଯାହାଫଳରେ ଘରକୁ ବିଜୁଳି ସଂଯୋଗ ପହଁଚିପାରିବ ବୋଲି ଶ୍ରୀ ସିଂହ କହିଥିଲେ । କାର୍ଯ୍ୟ ତ୍ୱରାନ୍ୱିତ ଦିଗରେ ପ୍ରଚଣ୍ଡ ଖରା ବାଧକ ସାଜୁଛି ବୋଲି ସେ ପ୍ରକାଶ କରିଛନ୍ତି । ଏତଦବ୍ୟତୀତ ବାତ୍ୟାରେ ୪୧ ଜଣଙ୍କ ମୃତୁ୍ୟ ଘଟିଛି । ପୁରୀର ୨୧, ଖୋର୍ଦ୍ଧାର ୩, ମୟୂରଭଞ୍ଜର ୪, ଯାଜପୁରର ୪, କଟକର ୫ ଓ ବିଏମସି ଅଂଚଳରେ ୪ ଜଣଙ୍କର ମୃତୁ୍ୟ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି ।