ସୁପର ଫାଇଟ୍, ଆଜି ଭାରତ-ପାକିସ୍ତାନ ମୁକାବିଲା
ସୁପର ଫାଇଟ୍, ଆଜି ଭାରତ-ପାକିସ୍ତାନ ମୁକାବିଲା
ମେଲବୋର୍ଣ୍ଣ: ଆଉ କିଛି ଘଣ୍ଟା ପରେ ହାଇଭୋଲଟେଜ ଭାରତ-ପାକିସ୍ତାନ ମୁକାବିଲା। ମ୍ୟାଚକୁ ନେଇ ପଡିଆ ଭିତରେ ଯେତିକି ଉତ୍କଣ୍ଠା , ପଡିଆ ବାହାରେ ସେତିକି। ସୁପର ସଣ୍ଡେରେ ସୁପର ଫାଇଟ୍ । କ୍ରିକେଟ, ୱାର୍ଲଡ କପ ଏବଂ ଭାରତ-ପାକିସ୍ତାନ ମ୍ୟାଚ। ରୋମାଞ୍ଚର ଟ୍ରିପଲ୍ ଡୋଜ୍ । ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ପୁଣି ଥରେ ମୁହାଁ ମୁହିଁ ହେଉଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବି। କିଏ କରିବ ବାଜିମାତ୍। ତାକୁ ହିଁ ଅପେକ୍ଷା। ତାକୁ ହିଁ ନେଇ ବଢୁଛି ଉତ୍କଣ୍ଠା। ମାସକ ତଳେ ଏସିଆ କପ୍ରେ ଏହି ୨ ଦଳଙ୍କ ମଧ୍ୟରେ ମୁକାବିଲା ହୋଇଥିଲା ଏବଂ ଉଭୟ ଦଳ ଥରେ ଲେଖାଏଁ ଜିତିଥିଲେ। ଗତ ଟ୍ବେଣ୍ଟି୨୦ ବିଶ୍ବକପ୍ର ଲିଗ୍ ପର୍ୟ୍ୟାୟରେ ଉଭୟ ଦଳଙ୍କ ମୁକାବିଲାରେ ପାକିସ୍ତାନ ୧୦ ୱିକେଟ୍ ଜିତିଥିଲା। ୧୧ ମାସ ପରେ ପୁଣିଥରେ ଟ୍ବେଣ୍ଟି୨୦ ବିଶ୍ବକପ୍ରେ ଉଭୟ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି। ରବିବାର ସୁପର-୧୨ ପର୍ୟ୍ୟାୟରେ ଭାରତ ଓ ପାକିସ୍ତାନ ସେମାନଙ୍କ ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ୧ ଲକ୍ଷ ଦର୍ଶକ କ୍ଷମତା ବିଶିଷ୍ଟ ମେଲ୍ବୋର୍ଣ୍ଣ କ୍ରିକେଟ୍ ଷ୍ଟାଡିୟମ୍ରେ ଏହି ମୁକାବିଲା ଖେଳାଯିବ। ହେଲେ ସାରବିଶ୍ବର କୋଟିକୋଟି କ୍ରିକେଟ୍ପ୍ରେମୀଙ୍କ ନଜର ଏହି ମହା ମୁକାବିଲା ଉପରେ ରହିବ। ତେବେ ଟି-ଟ୍ବେଣ୍ଟିଂରେ ଭାରତ-ପାକିସ୍ତାନ ଫାଇଟ୍ ବେଶ ପୁରୁଣା । ଏ ଦୁଇ ଟିମ୍ର ପରଫରମାନସକୁ ଦେଖିଲେ ଭାରତ ସପକ୍ଷରେ ଯାଇଛି ଇତିହାସ । ଏଯାଏ ଭାରତ -ପାକିସ୍ତାନ ଫଟାଫଟ ଫର୍ମାଟରେ ୬ ଥର ମୁହାଁମୁହିଁ ହୋଇଛନ୍ତି। ଆଉ ୫ ଥର ବାଜି ମାରିନେଇଛି ଭାରତ। ମାତ୍ର ଥରେ ପାକିସ୍ତାନ ବିଜୟର ସ୍ବାଦ ଚାଖିଛି।
୨୦୦୭ ଏହି ଫର୍ମାଟ୍ରେ ପ୍ରଥମ ବିଶ୍ଵ କପ୍ରେ ପରସ୍ପରକୁ ଭେଟିଥିଲେ ଭାରତ-ପାକିସ୍ତାନ । ଲିଗ୍ ରାଉଣ୍ଡରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୪୧ ରନ କରିଥିଲା। ପାକିସ୍ତାନ ଆଗରେ ଟାର୍ଗେଟ୍ ଥିଲା ୧୪୨ । ହେଲେ ପାକିସ୍ତାନ ନିର୍ଦ୍ଧାରିତ ଉଭରରେ ୧୪୧ ରନ କରିଥିଲା। ମ୍ୟାଚ ଟାଇ ରହିଥିଲା। ଆଉ ହୋଇଥିଲା ଟି-ଟ୍ବେଣ୍ଟିଂ ବିଶ୍ବକପ୍ ଇତିହାସର ପ୍ରଥମ ବୋଲ୍ ଆଉଟ୍ । ଏଥିରେ ପାକିସ୍ତାନକୁ ୩-୦ରେ ମାତ ଦେଇଥିଲା ଧୋନୀ ସେନା ।
ସେହି ବିଶ୍ଵ କପ୍ରେ ପୁଣିଥରେ ସାମ୍ନା ସାମ୍ନି ହୋଇଥିଲେ ଦୁଇ ଦଳ । ଆଉ ଏଥର ମ୍ୟାଚ ଥିଲା ଫାଇନାଲ । ରୋମାଞ୍ଚରେ ଭରିଯାଇଥିଲା ଏହି ମ୍ୟାଚ। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ୱାଣ୍ଡେରର ଷ୍ଟାଡିୟମରେ ଖେଳାଯାଇଥିଲା ଏହି ମ୍ୟାଚ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। ୨୦ ଓଭରରେ ଭାରତ ୫ ୱିକେଟ ହରାଇ କରିଥିଲା ୧୫୭ ରନ୍ । ୧୫୮ ରନ ଟାର୍ଗେଟ୍କୁ ପିଛାକରି ପାକିସ୍ତାନ ୭୭ ରନରେ ୬ ୱିକେଟ ହରାଇ ସଙ୍କଟରେ ପଡିଥିଲା। ହେଲେ ପାକ୍ ଅଧିନାୟକ ମିସବା ଉଲ ହକ୍ ମ୍ୟାଚରେ ରୋମାଞ୍ଚ ଭରିଥିଲେ। ମ୍ୟାଚ ଶେଷ ଓଭର ପର୍ୟ୍ୟନ୍ତ ଯାଇଥିଲା। ଶେଷ ଓଭରରେ ପାକିସ୍ତାନକୁ ଦରକାର ଥିଲା ୧୩ ରନ୍ । ମିସବା ଆଉଟ ହେବା ପରେ ପାକିସ୍ତାନ ରନ ଚେଜ ଅଟକି ଯାଇଥିଲା। ମ୍ୟାଚକୁ ୫ରନରେ ଜିତିଥିଲା ଭାରତ। ଆଉ ଟି-୨୦ କ୍ରିକେଟ ଇତିହାସରେ ପ୍ରଥମ ୱାର୍ଲଡ କପ ଜିତିଥିଲା ଭାରତ।
୨୦୧୨ ଟି-୨୦ ବିଶ୍ବକପରେ ତୃତୀୟ ଥର ଭାରତ -ପାକିସ୍ତାନ ହୋଇଥିଲା ଏନକାଉଣ୍ଟର। ଏଥର ବି ସେଇୟା ହୋଇଥିଲା ଯାହ ପୂର୍ବରୁ ହୋଇଥିଲା। ଭାରତକୁ ୧୨୯ରନର ଟାର୍ଗେଟ ଦେଇଥିଲା ପାକିସ୍ତାନ। ବିରାଟ କୋହଲିଙ୍କ ୭୮ ରନ ବଳରେ ଭାରତ ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା ।
୨୦୧୪ ଟି ଟ୍ବେଣ୍ଟି ବିଶ୍ବକପ୍ରେ ଚତୁର୍ଥ ଥର ଭାରତ ପାକିସ୍ତାନ ମଧ୍ୟରେ ହୋଇଥିଲା ଟକ୍କର । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ମାତ୍ର ୧୩୦ରନ୍ କରିଥିଲା। ଭାରତ ମାତ୍ର ୩ ୱିକେଟ୍ ହରାଇ ସହଜରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଇଥିଲା ।
ସେହିପରି ପୁଣି ୨୦୧୬ ଟି ଟ୍ବେଣ୍ଟି ବିଶ୍ବକପରେ ପଞ୍ଚମ ଥର ପାଇଁ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା ଫାଇଟ। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ କରିଥିଲା ୧୧୮ ରନ୍। ୧୧୯ ରନର ଲକ୍ଷ୍ୟକୁ ପିଛା କରି ଭାରତ ୪ ୱିକେଟ ହରାଇ ୬ ୱିକେଟରେ ମ୍ୟାଚ୍ ଜିତି ନେଇଥିଲା।
ଆଉ ଗତ ବର୍ଷ ଦୁବାଇରେ ଖେଳାଯାଇଥିବା ଟି-ଟ୍ବେଣ୍ଟିଂ ୱାର୍ଲଡ୍ କପ୍ରେ ପୁଣି ପରସ୍ପରକୁ ଭେଟିଥିଲେ ଭାରତ-ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ ହରାଇ କରିଥିଲା ୧୫୧ ରନ୍ । ହେଲେ ଏଥର କିନ୍ତୁ ପାକିସ୍ତାନ କିଛି ଅଲଗା ମୁଡରେ ଥିଲା । ପାକିସ୍ତାନ ବ୍ୟାଟସମ୍ୟାନ୍ କୌଣସି କ୍ଷତି ହେବାକୁ ନଦେଇ ଅତି ସହଜରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଇଥିଲେ । ପୁରା ୧୦ ୱିକେଟରେ ଭାରତ ଠାରୁ ମ୍ୟାଚ୍ କାଢିନେଇଥିଲା ପାକିସ୍ତାନ । ଆଉ ଏହା ଥିଲା ବିଶ୍ବକପ୍ରେ ଭାରତ ବିପକ୍ଷରେ ପାକିସ୍ତାନର ପ୍ରଥମ ବିଜୟ।