ହ୍ୱାଟସ ଆପ ଗ୍ରୁପରେ ହେବ +୨ ପାଠପଢ଼ା ।
ହ୍ୱାଟସ ଆପ ଗ୍ରୁପରେ ହେବ +୨ ପାଠପଢ଼ା ।
admin
Jun 30, 2020 - 09:56
Updated: Jun 30, 2020 - 09:56
ଭୁବନେଶ୍ୱର: କରୋନାକୁ ନେଇ ଉପୁଜିଥିବା ସ୍ଥିତି ଯୋଗୁଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଦୀର୍ଘଦିନ ଧରି ଏହାଦ୍ୱାରା ପାଠପଢା ବାଧାପ୍ରାପ୍ତ ହେଉଛି । ଏଭଳି ସ୍ଥିତିରେ ଯୁକ୍ତ ଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି । ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବୃନ୍ଦାବନ ବେହେରା ଏ ନେଇ ସମସ୍ତ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରାଯାଇଛି ଯେ ପାରମ୍ପରିକ ପାଠପଢ଼ା ଉପରେ କଟକଣା ଥିବାରୁ ବିକଳ୍ପ ବ୍ୟବସ୍ଥା ସମ୍ବନ୍ଧରେ ଅଧ୍ୟକ୍ଷ ଯୋଜନା କରିବେ । ସବୁ ବିଷୟର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ନେଇ ପୃଥକ ଭାବେ ହ୍ୱାଟସ ଆପ ଗ୍ରୁପ ଗଠନ କରାଯିବ । ରାଜ୍ୟରେ ବିଦ୍ୟାଳୟରେ ଓଡ଼ିଶା ଶିକ୍ଷା ସଂଯୋଗ ହ୍ୱାଟସ ଆପ ଗ୍ରୁପ ଗଠନକୁ ସଫଳତା ମିଳିବା ପରେ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଗ୍ରୁପ ଜରିଆରେ ଅଧ୍ୟାପକ ପାଠପଢ଼ା ସମ୍ବନ୍ଧୀୟ ନୋଟ୍ ଓ ଅନ୍ୟ ଉପକରଣ ବିଦ୍ୟାର୍ଥୀଙ୍କୁ ପ୍ରଦାନ କରିବେ । ଏହା ବ୍ୟତୀତ ଅନଲାଇନରେ ପାଠ୍ୟଖସଡ଼ା ଅନୁସାରେ ଉପଲବ୍ଧ ଭିଡିଓ ଓ ପାଠ୍ୟ ବିଷୟର ଲିଙ୍କ ମଧ୍ୟ ହେବ । ଏହା ବ୍ୟତୀତ ୟୁଟ୍ୟୁବ, ଖାନ ଏକାଡେମୀ ଭଳିବିଭିନ୍ନ ଅନଲାଇନ ବ୍ୟବସ୍ଥାରେ ପାଠ ପଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ବିଭାଗୀୟ ଅଧ୍ୟାପକ ପ୍ରବର୍ତ୍ତାଇବେ । ଅନଲାଇନ ପାଠପଢ଼ାର ଅଗ୍ରଗତି ସମ୍ପର୍କରେ କନିଷ୍ଠ ମହାବିଦ୍ୟାଳୟର କର୍ତ୍ତୃପକ୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଅବଗତ କରିବେ । ଏ ନେଇ ନିର୍ଦ୍ଦେଶକ ଶ୍ରୀ ବେହେରା କହିଛନ୍ତି କୋଭଡି-୧୯ ସ୍ଥିତିରେ ଛାତ୍ରଛାତ୍ରୀ କିଭଳି ଅନଲାଇନ ବ୍ୟବସ୍ଥାରେ ପାଠ ପଢ଼ିବେ ସେ ନେଇ ସବୁ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି । ସବୁ ବିଭାଗର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ନେଇ ହ୍ୱାଟସ ଆପ ଗ୍ରୁପ୍ ଗଠନ କରାଯିବ ।