୧୧ ମାସ ପରେ ଗାଡ଼ି ବିକ୍ରି ବଢ଼ିଲା

୧୧ ମାସ ପରେ ଗାଡ଼ି ବିକ୍ରି ବଢ଼ିଲା

୧୧ ମାସ ପରେ ଗାଡ଼ି ବିକ୍ରି ବଢ଼ିଲା
ନଭେମ୍ବର, ଡିସେମ୍ବରରେ ସ୍ଥିତି ଆହୁରି ସୁଧୁରିବ ନୂଆଦିଲ୍ଲୀ: ଦୀର୍ଘ ୧୧ ମାସ ପରେ ଗାଡ଼ି ବିକ୍ରିରେ ବୃଦ୍ଧି ଘଟିଛି । ଗତ ଅକ୍ଟୋବରରେ ଗାଡ଼ି ବିକ୍ରି ସାମାନ୍ୟ ବଢ଼ିଛି ବୋଲି ଅଟୋମୋବାଇଲ୍ ନିର୍ମାତା ସଂଘ ସିଆମ୍ ପକ୍ଷରୁ କୁହାଯାଇଛି । ଉତ୍ସବ ଋତୁ ଏବଂ ନୂଆ ମଡେଲ୍ ବିକ୍ରି ବଢ଼ାଇବାରେ ସହାୟକ ହୋଇଛି । ନଭେମ୍ବର ଓ ଡିସେମ୍ବରରେ ମଧ୍ୟ ବିକ୍ରି ବୃଦ୍ଧିର ଧାରା ଜାରି ରହିବ ବୋଲି ସିଆମ୍ ଆକଳନ କରିଛି । ସିଆମ୍ ଅନୁଯାୟୀ, ଗତ ଅକ୍ଟୋବରରେ ଯାତ୍ରୀବାହୀ ଯାନ ବିକ୍ରି ୦.୨୮% ବୃଦ୍ଧି ପାଇ ୨ ଲକ୍ଷ ୮୫,୦୨୭ ହୋଇଛି । ୨୦୧୮ ଅକ୍ଟୋବରରେ ୨ ଲକ୍ଷ ୮୪ ହଜାର ୨୨୩ଟି ଯାତ୍ରୀବାହୀ ଗାଡ଼ି ବିକ୍ରି ହୋଇଥିଲା । ଯାତ୍ରୀ ପରିବହନରେ ବ୍ୟବହାର କରାଯାଉଥିବା ଗାଡ଼ିଗୁଡ଼ିକୁ ବାଦ ଦେଲେ ଅନ୍ୟ ସବୁ ପ୍ରକାର ଗାଡ଼ିର ବିକ୍ରି କମିଛି । କେବଳ ୟୁଟିଲିଟି ଯାନ, ଯାତ୍ରୀବାହୀ ଯାନ ଏବଂ କ୍ୱାଡ୍ରିସାଇକଲର ବିକ୍ରି ବଢ଼ିଛି ।ଗତ ଅକ୍ଟୋବରରେ ସ୍ଥାନୀୟ ବଜାରରେ ୧ ଲକ୍ଷ ୭୩ ହଜାର ୬୪୯ଟି କାର୍ ବିକ୍ରି ହୋଇଛି । ୟୁଟିଲିଟି ଯାନ ବିକ୍ରି ୨୨.୨୨ ପ୍ରତିଶତ ବୃଦ୍ଧି ପାଇ ୧ ଲକ୍ଷ ୭୨୫ରେ ପହଞ୍ଚିଛି । କଂପାନିଗୁଡ଼ିକ ପାଖରେ ପୂର୍ବରୁ ଉତ୍ପାଦନ ହୋଇ ପଡ଼ିରହିଥିବା ଗାଡ଼ିଗୁଡ଼ିକର ପରିମାଣ ମଧ୍ୟ ହ୍ରାସ ପାଇଛି । ଆଲୋଚ୍ୟ ମାସରେ ୧୧ ଲକ୍ଷ ୧୬ ହଜାର ୯୭୦ଟି ମୋଟରସାଇକଲ୍ ବିକ୍ରି ହୋଇଥିବା ବେଳେ ୫ ଲକ୍ଷ ୮୦ ହଜାର ୧୨୦ଟି ସ୍କୁଟର ବିକ୍ରି ହୋଇଛି । ଏହି ମାସରେ ଦେଶରେ ୬୬,୭୭୩ଟି ବାଣିଜି୍ୟକ ଯାନ ବିକ୍ରି ହୋଇଥିବା ଜଣାପଡ଼ିଛି । ଗାଡ଼ି ବିକ୍ରି ବୃଦ୍ଧି ସମ୍ପର୍କରେ ସିଆମର ସଭାପତି ରାଜନ ୱାଧେରା କହିଛନ୍ତି, ଗତବର୍ଷ ତୁଳନାରେ ଏବର୍ଷ ଉତ୍ସବ ସମୟରେ ବିକ୍ରି ବହୁତ ଭଲ ରହିଛି ।