ଆସନ୍ତା ୨୫ରେ ପାରାଦୀପରେ ପ୍ରାଦେଶିକ ସାହିତ୍ୟ ଉତ୍ସବ

ଆସନ୍ତା ୨୫ରେ ପାରାଦୀପରେ ପ୍ରାଦେଶିକ ସାହିତ୍ୟ ଉତ୍ସବ

ପାରାଦ୍ୱୀପ :(ଲକ୍ଷ୍ମୀନାରାୟଣ ସାହୁ) : ଆସନ୍ତା ୨୫ ତାରିଖରେ ପାରାଦୀପରେ ଅନୁଷ୍ଠିତ ହେବ ପ୍ରାଦେଶିକ ସାହିତ୍ୟ ସଂସ୍କୃତି ମହୋତ୍ସବ । କୁଜଙ୍ଗ ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ସ୍ଥାନୀୟ ପାରାଦୀପ ମହାବିଦ୍ୟାଳୟରେ ଏହି ରାଜ୍ୟସ୍ତରୀୟ ସାହିତ୍ୟ ମହୋତ୍ସବକୁ ବେଶ୍ ଜାକଜମକରେ ପାଳନ କରାଯିବା । ଏଥିରେ ୧୫୦ରୁ ଅଧିକ ବିଭିନ୍ନ ବର୍ଗର ପ୍ରତିଭାଶାଳୀ ବ୍ୟକ୍ତିବିଶେଷ ଯୋଗ ଦେଉଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରବୀଣ ସାହିତି୍ୟକ, ରାଜନୀତିଜ୍ଞ ଓ ବୁଦ୍ଧିଜୀବୀ ଅତିଥି ଭାବେ ଯୋଗ ଦେବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ଅବସରରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ସାଂସଦ ଡା.ରାଜଶ୍ରୀ ମଲିକ, ବିଧାୟକ ଅମର ଶତପଥୀ, ବିଧାୟକ ସମ୍ବିତ ରାଉତରାୟ, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତି୍ୟକ ଡ. ପ୍ରଫୁଲ୍ଲ କୁମାର ମହାନ୍ତି, ଡ. ଫନି ମହାନ୍ତି, ଇଫ୍କୋ ପ୍ରବନ୍ଧକ ଜ୍ଞାନଚାନ୍ଦ ଆଚାର୍ଯ୍ୟ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ଭାଷା ପରିଷଦ ସଦସ୍ୟ ସୁଶାନ୍ତ କୁମାର ନାୟକ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାସହ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ୧୫ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ କବି ପୀତାମ୍ବର ତରାଇଙ୍କ କାବ୍ୟ ଆକଳନ ପୁସ୍ତକ ଉନ୍ମୋଚିତ ହେବ । ଦ୍ୱିତୀୟ ଅଧିବେଶନରେ ହେବାକୁ ଥିବା ରାଜ୍ୟ ସ୍ତରୀୟ କବିତା ପଠୋତ୍ସବରେ ଅତିଥି ଭାବେ ପ୍ରଫେସର ହରିଶ୍ଚନ୍ଦ୍ର ବେହେରା, ଅବସରପ୍ରାପ୍ତ ପ୍ରଶାସକ କବି ସରୋଜକାନ୍ତ ଚୌଧୁରୀ, ପ୍ରଭାସ ରଂଜନ ପାଣି, ପ୍ରଫେସର ଗଦାଧର ମିଶ୍ର, କବି ଅନିମା ଦାଶ ଯୋଗ ଦେବେ ବୋଲି ଆୟୋଜକ ସଭାପତି କବି ପୀତାମ୍ବର ତରାଇ ସଂପାଦକ ଅକ୍ଷୟ କୁମାର ରାଉତ ପ୍ରମୁଖ ସୂଚନା ଦେଇଛନ୍ତି । ସାହିତ୍ୟ ଓ ସଂସ୍କୃତିର ଏହି ମହାମିଳନ ଉତ୍ସବରେ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଶ୍ରୀ ତରାଇ ଓ ଶ୍ରୀ ରାଉତ ନିବେଦନ କରିଛନ୍ତି ।