ଏଥର ମହାଟକ୍କର ନବରଙ୍ଗପୁର ଲୋକସଭା

ଏଥର ମହାଟକ୍କର ନବରଙ୍ଗପୁର ଲୋକସଭା

ଏଥର ମହାଟକ୍କର ନବରଙ୍ଗପୁର ଲୋକସଭା
ନବରଙ୍ଗପୁର: ଏଥର ନବରଙ୍ଗପୁର ଲୋକସଭା ଆସନରେ ହେବ ମହା-ଲଢେଇ । କଂଗ୍ରେସରୁ ଯୁବନେତା ପ୍ରଦୀପ ମାଝୀ , ବିଜେଡିରୁ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଏବଂ ବିଜେପିର ପ୍ରାର୍ଥୀ ହୋଇଥିବା ସାଂସଦ ବଳଭଦ୍ର ମାଝୀଙ୍କ ମଧ୍ୟରେ ହେବ ନେକ୍ ଟୁ ନେକ୍ ଫାଇଟ୍ । ଆଗରୁ ଏହି ନିର୍ବାଚନମଣ୍ଡଳୀରେ କେବେହେଲେ ଏହି ତିନି ହେଭିୱେଟ୍ ନେତା ସିଧାସଳଖ ମୁହାଁମୁହିଁ ହୋଇନଥିଲେ । ଏଥର ଲଢେଇ ସଂଘର୍ଷପୂର୍ଣ୍ଣ ହେବ ବୋଲି କୁହାଯାଉଛି । ସାଂସଦ ବଳଭଦ୍ର ବିଜେଡି ଛାଡି ବିଜେପିରେ ଯୋଗଦେବା ପରେ ତାଙ୍କୁ ସାଂସଦ ପ୍ରାର୍ଥୀ କରିଛି ଦଳ । ଏହା ପୂର୍ବରୁ କଂଗ୍ରେସର ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ଏବଂ ମନ୍ତ୍ରୀ ରମେଶଙ୍କ ଟିକେଟ ଚୂଡାନ୍ତ ହୋଇଥିଲା । ଏହି ଦୁଇ ହେଭିୱେଟ ନେତା ଏଥର ନିର୍ବାଚନରେ ସିଧାସଳଖ ମୁହାଁମୁହିଁ ହେବେ ବୋଲି ସମୀକରଣ ଥିଲା । କିନ୍ତୁ ବଳଭଦ୍ର ବିଜେପି ପ୍ରାର୍ଥୀ ହେବା ପରେ ବଦଳିଯାଇଛି ପୂରା ସମୀକରଣ । ମାନେ ୩ ଜଣ ଯାକ ହେଭିୱେଟ୍ ନେତାଙ୍କ ଉପରେ ରହିଛି ଏଥର ଭୋଟରଙ୍କ ନଜର । କାହାର ପଲା ଭାରୀ ଆଉ କାହାର କମ୍ କହିବା ମୁସ୍କିଲ । ୩ ନେତାଙ୍କ ପାଇଁ ଏଥର ନିର୍ବାଚନ ସମ୍ମାନର ପ୍ରଶ୍ନ ହେବ । ଏବେଠାରୁ ନିର୍ବାଚନୀ ମାହୋଲ ସରଗରମ ହୋଇପଡିଛି । ଚା ଜଳଖିଆ ଦୋକାନ ହେଉ କି ପାନ ଦୋକାନ, ସବୁରି ମୁହଁରେ ମୁହଁରେ ଏହି ଆସନକୁ ନେଇ ଚର୍ଚ୍ଚା । ପୂର୍ବତନ ସାଂସଦ ପ୍ରଦୀପଙ୍କୁ ଯୋଗାଯୋଗ କରିବାକୁ ସେ କହିଛନ୍ତି ଏଥର ନିର୍ବାଚନକୁ ଲୋକେ ଅଧା ଲଢିବ କଂଗ୍ରେସ । ଦୀର୍ଘ ୫ ବର୍ଷ ଧରି ଲୋକସଭା ନିର୍ବାଚନମଣ୍ଡଳୀରେ ଲୋକଙ୍କ ସମସ୍ୟାକୁ ନେଇ ଆନ୍ଦୋଳନ କରାଯାଇଛି । ଜଙ୍ଗଲ ଜମି,ଘରଡିହ ପଟ୍ଟା, ସ୍ୱାସ୍ଥ୍ୟ, ଜଳସେଚନକୁ ନେଇ କଂଗ୍ରେସ ସହ ମିଶି ଲୋକେ ଲଢିଛନ୍ତି । ତେଣୁ ଏଥର ବି କଂଗ୍ରେସ ଛାଷୀ ଓ ଚାଷ, ବେକାରୀ , ଶିକ୍ଷାଏବଂ ସ୍ୱାସ୍ଥ୍ୟ ସମସ୍ୟାକୁ ପ୍ରସଙ୍ଗ କରି ନିର୍ବାଚନ ମଇଦାନକୁ ଓହ୍ଳାଇଛି । ବିଜେଡି ଛାଡି ବଳଭଦ୍ର ବିଜେପି ପ୍ରାର୍ଥୀ ହୋଇଥିବାରୁ ବିଜେଡି ଉପରେ ସକରାତ୍ମକ ପ୍ରଭାବ ପକାଇବ । କଂଗ୍ରେସ ଲୋକଙ୍କ ସହ ମିଶି ରହିଛି । ତେଣୁ କଂଗ୍ରେସକୁ ସଫଳତା ମିଳିବ ବୋଲି ସେ ଆଶା ପ୍ରକଟ କରିଛନ୍ତି । ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ରମେଶ ମାଝୀ କହିଛନ୍ତି, ବଲଭଦ୍ର ବିଜେଡିରୁ ଇସ୍ତଫା ଦେଇ ଭଲ କରିଛନ୍ତି । କାରଣ ସେ କର୍ମୀମାନଙ୍କୁ ଜାଣିନଥିଲେ କି ତାଙ୍କ ଲୋକସମ୍ପର୍କ ଭଲ ନଥିଲା । ଆଗରୁ ବିଜେପିକୁ ଜୁମଲା ପାର୍ଟି କହୁଥିଲେ ।ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ପ୍ରଶଂସା କରୁଥିଲେ । ଏବେ ବିଜେପିରେ ଯୋଗ ଦେବା ପରେ ତାଙ୍କର ଆଚର ଉଚ୍ଚାରଣରେ ଅନେକ ଫରକ୍ ଆସିଛି । କେନ୍ଦ୍ରର ଅନୁଦାନରେ ନିର୍ବାଚନମଣ୍ଡଳୀର ବିକାଶ ହୋଇଥିବା କହୁଛନ୍ତି । ତେଣୁ ବଳଭଦ୍ର ବିଜେପି ପ୍ରାର୍ଥୀ ହେଲେ ବିଜେଡି ଉପରେ କୌଣସି ପ୍ରଭାବ ପଡିବ ନାହିଁ । ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ବିଜେଡି ସରକାର ଅନେକ ବିକାଶମୂଳକ କାର୍ଯ୍ୟ କରିଛି । ବିଚ୍ଛିନ୍ନଚଂଳକୁ ବାଟ ଫିଟାଇଛି ଗୁରୁପ୍ରିୟା ସେତୁ । ତେଣୁ ବିକାଶମୂଳକ ପ୍ରସଙ୍ଗକୁ ନେଇ ସେ ମଇଦାନକୁ ଓହ୍ଲାଇବେ ବୋଲି କହିଛନ୍ତି । ବିଜେପି ପ୍ରାର୍ଥୀ ତଥା ସାଂସଦ ବଳଭଦ୍ରଙ୍କୁ ଯୋଗାଯୋଗ କରିବାକୁ ସେ କହିଛନ୍ତି, ତାଙ୍କ ଉଦ୍ୟମରେ ନିର୍ବାଚନମଣ୍ଡଳୀରେ ରେଳସଂଯୋଗ କାର୍ଯ୍ୟ ଆରମ୍ଭ ହୋଇଛି । ଇନ୍ଦ୍ରାବତୀ,ତେଲନଦୀ,କୋଲାବ ଏବଂ ଟୁରୀଗୁଣିତାଟ୍ ଭଳି ୪ଟି ବଡ ସେଚ ପ୍ରକଳ୍ପର ଡିପିଆର୍ ସିଡବ୍ଳ୍ୟୁସି ନିକଟକୁ ପଠାଯାଇଛି । ଆଗାମୀ ଦିନରେ ଏସବୁ ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯିବ । ନିର୍ବାଚନମଣ୍ଡଳୀରେ ୨୫ ଶହ କିମି ସଡକ ନିର୍ମାଣ ହୋଇଛି । ଟେଲିସେବାରେ ଉନ୍ନତି ଆଣିବା ଲାଗି ୧୩୫ଟି ଟାୱାର ବସାଯାଇଛି । ତେଣୁ ଗତ ୫ ବର୍ଷଭିତରେ ତାଙ୍କ ଉଦ୍ୟମରେ ନବରଙ୍ଗପୁର ନିର୍ବାଚନମଣ୍ଡଳୀରେ ଅନେକ ବିକାଶମୂଳକ କାମ ହୋଇଛି ।ଏହାକୁ ସେ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରିବେ ବୋଲି କହିଛନ୍ତି ବଳଭଦ୍ର । ନବରଙ୍ଗପୁର ଲୋକସଭା ଆସନରେ ୨ ଥର ନିର୍ବାଚନ ଲଢିଛନ୍ତି ପ୍ରଦୀପ । ଥରେ ବିଜୟୀ ହୋଇଥିବା ବେଳେ ଥରେ ପରାସ୍ତ ହୋଇଛନ୍ତି । ବଳଭଦ୍ର ବିଜେଡି ଟିକେଯରେ ଥରେ ବିଜୟୀ ହୋଇଛନ୍ତି । ଆଉ ଝରିଗାଁ ବିଧାୟକ ତଥା ମନ୍ତ୍ରୀ ରମେଶ ମାଝୀ ପ୍ରଥମଥର ପାଇଁ ସାଂସଦ ପ୍ରାର୍ଥୀ ଭାବେ ଏଥର ମୈଦାନକୁ ଓହ୍ଳାଇଛନ୍ତି । ବିଭିନ୍ନ ପ୍ରସଙ୍ଗକୁ ନେଇ ଏହି ୩ ନେତା ନିର୍ବାଚନ ବୈତରଣୀ ପାରି ହେବାକୁ ପ୍ରସ୍ତୁତ କରିଛନ୍ତି ରଣନୀତି । କେବଳ ଦେଖିବାର କଥା କାହା ମୁଣ୍ଡରେ ଏଥର ସୁନା କଳସ ଢାଳୁଛନ୍ତି ଜନତା ଜନାର୍ଦ୍ଦନ ।