ଜନ୍ମମାଟିରେ ସହିଦଙ୍କୁ ଶେଷ ସଲାମ
ଜନ୍ମମାଟିରେ ସହିଦଙ୍କୁ ଶେଷ ସଲାମ
admin
Jun 20, 2019 - 06:49
Updated: Jun 20, 2019 - 06:49
ଭୁବନେଶ୍ୱର: ସୋମବାର ସଂଧ୍ୟାରେ ଜମ୍ମୁ-କାଶ୍ମୀରର ଅନନ୍ତନାଗ ଅଂଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା କାମାକ୍ଷାନଗର ବ୍ଲକ ବଡସୁଆଁଳ ଗାଁର ଅଜିତ କୁମାର ସାହୁଙ୍କ ମରଶରୀର ଆଜି ଆସି ପହଂଚିଛି । ବୀର ସହିଦଙ୍କ ଶେଷ ଦର୍ଶନ ପାଇଁ ଗାଁରେ ଜନ ସମୁଦ୍ର ଦେଖିବାକୁ ମିଳିଛି ।
ଅଜିତଙ୍କ ପାର୍ଥିବ ଶରୀର ଆସିବା ବାଟକୁ ଚାହିଁ ବସିଥିଲେ ତାଙ୍କ ଆତ୍ମୀୟସ୍ୱଜନ, ଅଂଚଳବାସୀଙ୍କ ସମେତ ଅଜିତଙ୍କ ସହକର୍ମୀ ଯବାନ ମାନେ । ସାରା ଗାଁରେ ଲାଗି ରହିଛି ଶୋକାକୁଳ ପରିସ୍ଥିତି । ସମସ୍ତେ ଆଖିରୁ ଝରାଇ ଅଜିତଙ୍କ ଗୁଣଜ୍ଞାନ କରୁଛନ୍ତି । ଅଜିତ ସାହୁ ଅମର ରହେ , ଅଜିତ ସାହୁ ଅମର ରହେ କହି ଲୋକମାନେ ଗାଁ କମ୍ପି ଉଠିଛି । ଆଖପାଖ ପ୍ରାୟ ପ୍ରତ୍ୟେକ ଗାଁର ଲୋକମାନେ ଆସି ରୁଣ୍ଡ ହେଉଛନ୍ତି । ଗାଁର ବହୁ ବରିଷ୍ଠ ବ୍ୟକ୍ତିମାନେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜଣାଉଛନ୍ତି ।
ପ୍ରକାଶ ଯୋଗ୍ୟ, ଅନନନ୍ତାଗରେ ସୋମବାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଅଜିତ୍ ଶହୀଦ ହୋଇଥିଲେ। ୨୦୧୫ରେ ସେ ଭାରତୀୟ ସେନାବାହିନୀରେ ଯୋଗ ଦେଇଥିଲେ। ମଙ୍ଗଳବାର ସେ ଶହୀଦ ହୋଇଥିବା ନେଇ ଘରକୁ ଫୋନ୍ ଆସିବା ପରେ ପରିବାର ତଥା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତେବେ ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ତାଙ୍କ ମରଶରୀର ଓଡ଼ିଶା ଆସିବାରେ ବିଳମ୍ବ ହୋଇଥିଲା।