ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସର ‘ମହଙ୍ଗାମୁକ୍ତ ଭାରତ’ ଅଭିଯାନ

ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସର ‘ମହଙ୍ଗାମୁକ୍ତ ଭାରତ’ ଅଭିଯାନ

ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସର ‘ମହଙ୍ଗାମୁକ୍ତ ଭାରତ’ ଅଭିଯାନ

ନୂଆଦିଲ୍ଲୀ: ୪ ରାଜିରେ ପରାଜୟ ପରେ ମଧ୍ୟ କଂଗ୍ରେସର ମନବଳ ଦୃଢ଼ ରହିଛି। ସବୁ କ୍ଷେତ୍ରରେ ଦଳ ଲୋକଙ୍କ ସହିତ ରହିଛି ଓ ରହିବ। ଗରିବ ଲୋକଙ୍କ ସ୍ବାର୍ଥ ପାଇଁ ଦଳ ସବୁବେଳେ ଲଢ଼େଇ ଜାରି ରଖିବ। ଏହି କ୍ରମରେ ବର୍ତ୍ତମାନ ସମଗ୍ର ଦେଶରେ ଦରଦାମ ବୃଦ୍ଧିକୁ ନେଇ ହନ୍ତସନ୍ତ ହେଉଥିବା ଲୋକଙ୍କ ପାଇ କଂଗ୍ରେସର ନୂଆ ଅଭିଯାନ ଆରମ୍ଭ ହେବ। ଏ ନେଇ ଦଳ ପକ୍ଷରୁ 'ମହଙ୍ଗା ମୁକ୍ତ ଭାରତ' ଅଭିଯାନର ଡାକରା ଦିଆଯାଇଛି। ଦେଶରେ ବିଭିନ୍ନ ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରି ଆସନ୍ତା ମାର୍ଚ୍ଚ ୩୧ରୁ ଏପ୍ରିଲ ୭ ତାରଖ ଯାଏ ଦଳ ପକ୍ଷରୁ 'ମହଙ୍ଗା ମୁକ୍ତ ଭାରତ' ଅଭିଯାନର ଘୋଷଣା କରାଯାଇଛି । ଦଳ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ ମାର୍ଚ୍ଚ ୩୧ ତାରିଖ ଦିନ ୧୧ଟା ସମୟରେ କଂଗ୍ରେସ କର୍ମୀମାନେ ନିଜ ଘର ବାହାରେ ଅଥବା ସାର୍ବଜନୀନ ସ୍ଥାନରେ ଏଲପିଜି ଗ୍ୟାସ ଦରବୃଦ୍ଧି ବିରୋଧରେ ଘଣ୍ଟି ବଜାଇ ପ୍ରତିବାଦ କରିବେ ।

ଦିଲ୍ଲୀରେ ଆୟୋଜିତ ହୋଇଥିବା କଂଗ୍ରେସ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସାଧାରଣ ସଚିବ ତଥା ଦଳ ପ୍ରଭାରୀ ସୁରଜେୱାଲା କହିଛନ୍ତି । ସେ କହିଛନ୍ତି ସାଧାରଣ ଲୋକଙ୍କ ସ୍ବର ସାମ୍ନାକୁ ଆଣିବା ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ ତିନୋଟି ପର୍ୟ୍ୟାୟରେ ଅଭିଯାନ ଆରମ୍ଭ ହେବ । ପ୍ରଥମ ପର୍ୟ୍ୟାୟ ମାର୍ଚ୍ଚ ୩୧ରେ ହେବାକୁ ଥିବାବେଳେ ଦ୍ବିତୀୟ ପର୍ୟ୍ୟାୟରେ ଏପ୍ରିଲ ୨ ରୁ ଏପ୍ରିଲ ୪ ମଧ୍ୟରେ ସାରା ଦେଶରେ ଜିଲ୍ଲା ସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ ହେବ। ସେହିପରି ଏପ୍ରିଲ ୭ତାରିଖରେ ସମସ୍ତ ରାଜ୍ୟ ରାଜଧାନୀରେ କଂଗ୍ରେସ କର୍ମୀମାନେ ଧାରଣା ଦେବେ ।ସୁରଜେୱାଲା ଆହୁରି ମଧ୍ୟ କହିଛନ୍ତି ମୋଦି ସରକାର ସାଧାରଣ ଲୋକଙ୍କୁ ଠକିଛନ୍ତି । ଭୋଟ ପାଇବା ପାଇଁ ପେଟ୍ରୋଲ, ଡିଜେଲ, ଏଲପିଜି ଗ୍ୟାସ, ସିଏନଜିର ମୂଲ୍ୟ ୧୩୭ ଦିନ ବୃଦ୍ଧି କରାଯାଇ ନାହିଁ । ମାତ୍ର ଗତ ଏକ ସପ୍ତାହରେ ବୃଦ୍ଧି ପାଇଥିବା ଦର ପ୍ରତ୍ୟେକ ଘର ପାଇଁ ବିପଦ ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି । ଗତ ପାଞ୍ଚ ଦିନ ମଧ୍ୟରେ ପେଟ୍ରୋଲ, ଡିଜେଲ ଦର ଚାରି ଗୁଣା ବୃଦ୍ଧି ପାଇଛି । ଦେଶରେ ପେଟ୍ରୋଲ ଏବଂ ଡିଜେଲକୁ ୩ ଟଙ୍କା ୨୦ ପଇସା ବୃଦ୍ଧି କରାଯାଇଛି । ଏଥିସହିତ ଏଲପିଜି ଗ୍ୟାସର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇଛି।