ନିରଞ୍ଜନଙ୍କ ପାଇଁ ଓଏଚଆରସି ଗଲା କଂଗ୍ରେସ
ନିରଞ୍ଜନଙ୍କ ପାଇଁ ଓଏଚଆରସି ଗଲା କଂଗ୍ରେସ
admin
Jan 21, 2021 - 09:08
Updated: Jan 21, 2021 - 09:08
ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣାରେ ଗୁରୁବାର ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏହି ଘଟଣାକୁ ନେଇ କଂଗ୍ରେସ ରାଜ୍ୟ ମାନବାଧିକାର କମିଶନ(ଓଏଚଆରସି)ଙ୍କ ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି । ନିଶିକାନ୍ତ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ନେତୃବୃନ୍ଦ ଓଏଚଆରସିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଏହି ଅବସରରେ ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ ପାଇଁ ନିଶିକାନ୍ତ ସ୍ଥାନୀୟ ପୁଲିସକୁ ଦାୟୀ କରିଛନ୍ତି । ପୁଲିସର ବେଖାତିର ମନୋଭାବ ଯୋଗୁଁ ଏଭଳି ଅଘଟଣ ଘଟିଲା ବୋଲି ନିଶିକାନ୍ତ କହିବା ସହ ପୁଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଖାଲି ସେତିକି ନୁହେଁ ଗସ୍ତବେଳେ ନିରଞ୍ଜନଙ୍କୁ ସରକାର ସୁରକ୍ଷା ଯୋଗାଇ ଦିଅନ୍ତୁ ବୋଲି ନିଶିକାନ୍ତ ଦାବି କରିଛନ୍ତି ।
ପ୍ରକାଶ ଯେ, ଗତ ୧୭ ତାରିଖ ଦିନ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଓ ତାଙ୍କ ପିଏସଓ ରାଜେଶ ସିଂହ ଗାଡ଼ିରେ ଯାଉଥିଲେ । କାଶୀପୁରଠାରେ ସଂଜୟ ମହାନ୍ତିଙ୍କ ସମେତ କିଛି ଅସାମାଜିକ ଯୁବ ଏକ ବୋଲେରୋରେ ଆସି ଗାଡ଼ି ଅଟକାଇଥିଲେ । ସେମାନେ ଗାଳିଗୁଲଜ ଆରମ୍ଭ କରି ଦେଇଥିଲେ । ଫଳରେ ପିଏସଓ ରାଜେଶ ପ୍ରତିବାଦ କରିବାରୁ ତାଙ୍କୁ ତଂଟିଚିପିବା ସହ ମାଡ଼ ମାରିଥିଲେ । ଯୁବକମାନେ ଗାଡ଼ି ଉପରେ ଚଢ଼ି ହଙ୍ଗାମା ବି କରିଥିଲେ । ଖବର ପାଇଁ କଂଗ୍ରେସ କର୍ମୀମାନେ ଘଟଣାସ୍ଥଳରେ ପହଁଚିଥିଲେ । ଫଳରେ ଯୁବକମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ ।
ଅପରପକ୍ଷରେ କେନ୍ଦୁଝର ଥାନାରେ ଏନେଇ ଏତଲା ଦିଆଯାଇଥିଲା । ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ପୁଲିସ ଏହି ଘଟଣାରେ ମୋଟ ୪ ଜଣଙ୍କୁ ଗିରଫ କରିଛି ।