ପାସ ପାଇଁ ଥାନାରେ ଅସମ୍ଭାଳ ଭିଡ଼

ପାସ ପାଇଁ ଥାନାରେ ଅସମ୍ଭାଳ ଭିଡ଼

ପାସ ପାଇଁ ଥାନାରେ ଅସମ୍ଭାଳ ଭିଡ଼
ଭୁବନେଶ୍ୱର: ଘରୁ ବାହାରିଲେ ପାସ ଦରକାର । ଜରୁରୀସେବା ଯୋଗାଉଥିବା ଡାକ୍ତର, ବ୍ୟାଙ୍କ କର୍ମଚାରୀ, ସାମ୍ବାଦିକଙ୍କ ସମେତ ଜରୁରୀକାଳିନ ସେବା ଯୋଗାଉଥିବା ସମସ୍ତ କର୍ମଚାରୀଙ୍କ ପାଇଁ ପାସ ଜରୁରୀ । ଏନେଇ ପୁଲିସ କମିଶନର ସୁଧାଂଶୁ ଷଢଙ୍ଗୀ ଘୋଷଣା କରିବା ପରେ ଥାନାକୁ ଲୋକଙ୍କ ସୂଅ ଛୁଟିବାରେ ଲାଗିଛି । ଫଳରେ ଭୁବନେଶ୍ୱରର ସମସ୍ତ ଥାନାରେ ଅସମ୍ଭାଳ ଭିଡ଼ ଲାଗିଛି । ବିଶେଷ କରି ଚନ୍ଦ୍ରଶେଖରପୁର, ଖଣ୍ଡଗିରି, ନୂଆପଲ୍ଲୀ, ସହିଦନଗର, ମଞ୍ଚେଶ୍ୱର, କ୍ୟାପିଟାଲ, ଶ୍ରୀଲିଙ୍ଗରାଜ, ବଡଗଡ, ଖାରବେଳନଗର, ତମାଣ୍ଡୋ, ଲକ୍ଷ୍ମୀସାଗର ଓ ଇନ୍‍ଫୋସିଟି ଆଦି ଥାନା ଗୁଡ଼ିକରେ ପ୍ରବଳ ମାତ୍ରାରେ ଭିଡ ଦେଖିବାକୁ ମିଳିଛି । ଏମିତିକି ପାସ୍ ନେବା ପାଇଁ ଲୋକଙ୍କ ଭିତରେ ଠେଲାପେଲା ହେବାର ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଥାନା ଅଧିକାରୀମାନେ ପାସ୍‍ ବାଣ୍ଟି ବାଣ୍ଟି ନାକେଦମ୍‍ ହୋଇପଡ଼ିଛନ୍ତି । ସେହିପରି ପାସ୍‍କୁ ନେଇ ଥାନା ଭିତରେ ଉତ୍ତେଜନା ଭଳି ପରିସ୍ଥିତି ଉପୁଜିଥିଲା । ଏହାସହ ପାସ୍‍ ପାଇନଥିବା କେତେକ ଗାଡି ଚାଳକମାନେ ଅସନ୍ତୋଷ ବ୍ୟକ୍ତ କରି ଘରକୁ ଫେରିଥିବା ଦେଖିବାକୁ ମିଳିଛି । ସେହିପରି ପାସ ପାଇଁ ଦହିବରା ବେପାରି, ଛେନା ବେପାରି ଓ ଛାତ୍ରମାନେ ମଧ୍ୟ ଲମ୍ବା ଲାଇନରେ ଠିଆ ହୋଇଛନ୍ତି । ଯାହାକୁ ନେଇ ପୁଲିସ ଚିନ୍ତାରେ ପଡିଯାଇଛି । ‘ଲକ୍ ଡାଉନ’ ବା ‘ତାଲା ବନ୍ଦ’ ବେଳେ କୌଣସି ଜରୁରୀ କାମରେ ବାହାରକୁ ଗଲେ ଘରୋଇ ଗାଡ଼ିକୁ ପୁଲିସର ଅନୁମତି ନେବାକୁ ପଡୁଥିଲା । କିନ୍ତୁ ‘ଲକ୍ ଡାଉନ’ର ଦ୍ୱିତୀୟ ଦିନରେ ଲୋକମାନେ ଏହାକୁ ଅମାନ୍ୟ କରି ରାସ୍ତାକୁ ଗାଡ଼ି ଧରି ଓହ୍ଲାଇଥିଲେ । ଯେଉଁଥିପାଇଁ ରାଜଧାନୀରେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା । ଏପରିକି କେତେକ ସ୍ଥାନରେ ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏନେଇ କମିଶନରେଟ ପୁଲିସ ପକ୍ଷରୁ ସବୁ ବର୍ଗର ଲୋକଙ୍କ ପାଇଁ ପାସ୍ ବାଧ୍ୟତାମୂଳକ କରି ଦିଆଯାଇଛି ।ଅପରପକ୍ଷରେ ପୁଲିସ କମିଶନର ଟ୍ୱିଟକରି କହିଛନ୍ତି ଯେ, ଲକଡାଉନ ପାଇଁ କୌଣସି ପାସ ଥାନାରେ ଦିଆଯାଉନାହିଁ । ଭୟଭୀତ ହେବାର କୌଣସି ଆଶଙ୍କା ନାହିଁ । ଜରୁରୀ କାମ ଥିଲେ ପୁଲିସ ଠାରୁ ଅନୁମତି ନେଇ ଯାଇପାରିବେ । ଅଯଥା ଥାନାରେ ଭିଡ ଜମାଇ ହଇରାଣ ହରତକ ହୁଅନ୍ତୁ ନାହିଁ କିମ୍ବା ପୁଲିସକୁ କାମରେ ହଇରାଣ କରନ୍ତୁ ନାହିଁ ।