ଗ୍ରାମାଞ୍ଚଳରେ ମୁଣ୍ଡ ପିଛା ମାସିକ ଖର୍ଚ୍ଚ ୧୪୦୩ ଟଙ୍କା

ଗ୍ରାମାଞ୍ଚଳରେ ମୁଣ୍ଡ ପିଛା ମାସିକ ଖର୍ଚ୍ଚ ୧୪୦୩ ଟଙ୍କା

ଗ୍ରାମାଞ୍ଚଳରେ ମୁଣ୍ଡ ପିଛା ମାସିକ ଖର୍ଚ୍ଚ ୧୪୦୩ ଟଙ୍କା
ଭୁବନେଶ୍ୱର : ଓଡ଼ିଶାର ଗ୍ରାମାଞ୍ଚଳରେ ମାସିକ ମୁଣ୍ଡ ପିଛା ଖର୍ଚ୍ଚ ପରିମାଣ ୨୦୧୧-୧୯ ମସିହା ତୁଳନାରେ ୨୦୧୬-୧୭ ଆର୍ଥିକ ବର୍ଷ ସୁଦ୍ଧା ବଢ଼ିଛି । ତଥାପି ଏହା ଜାତୀୟ ସ୍ତରର ମୁଣ୍ଡ ପିଛା ଖର୍ଚ୍ଚ ହାର ତୁଳନାରେ ପଛରେ ରହିଛି । ଜାତୀୟ ସ୍ତରରେ ଗ୍ରାମାଞ୍ଚଳରେ ମୁଣ୍ଡ ପିଛା ମାସିକ ଖର୍ଚ୍ଚ ୧୪୭୭ ଟଙ୍କା ଥିବା ବେଳେ ଓଡ଼ିଶାର ମୁଣ୍ଡ ପିଛା ଖର୍ଚ୍ଚ ପରିମାଣର ୧୪୦୩ ଟଙ୍କା ୨୫ ପଇସା । ଜାତୀୟ ହାରଠାରୁ ଓଡ଼ିଶାର ମୁଣ୍ଡପିଛା ଖର୍ଚ୍ଚ କମ୍ ଥିଲେ ହେଁ ଗତ ପାଞ୍ଚ ବର୍ଷ ଭିତରେ ଓଡ଼ିଶାର ମୁଣ୍ଡ ପିଛା ଖର୍ଚ୍ଚ ପରିମାଣ ୯୨ ପ୍ରତିଶତ ହାରରେ ବଢ଼ିଥିବା ବେଳେ ଜାତୀୟ ସ୍ତରରେ ଏହି ବୃଦ୍ଧି ୩ ପ୍ରତିଶତରୁ ବି କମ୍ ରହିଛି । ରାଜ୍ୟର ଆର୍ଥିକ ବିକାଶ ଯୋଗୁଁ ମୁଣ୍ଡ ପିଛା ଖର୍ଚ୍ଚ ହାର ବଢ଼ିଛି । ୧୯୯୩-୯୪ ରେ ଓଡ଼ିଶାର ପ୍ରାୟ ୬୦ ଭାଗ ଲୋକ ଦାରିଦ୍ର‌୍ୟ ସୀମାରେଖା ତଳେ ଥିଲେ । ଏପରିକି ଗୋଟିଏ ଦଶନ୍ଧି ପରେ ବି ୨୦୦୪-୦୫ ସୁଦ୍ଧା ପରିସ୍ଥିତିରେ କୌଣସି ଉନ୍ନତି ଘଟି ନଥିଲା । ଏହି ସମୟ ସୁଦ୍ଧା ଦାରିଦ୍ର‌୍ୟ ସୀମାରେଖା ତଳେ ଥିଲେ ପ୍ରାୟ ୫୭ ପ୍ରତିଶତ । କିନ୍ତୁ ୨୦୦୪-୦୫ ରୁ ୨୦୧୧-୧୨ ମଧ୍ୟରେ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଦାରିଦ୍ର‌୍ୟ ଖୁବ ଦ୍ରୁତ ଗତିରେ ପ୍ରାୟ ୨୪.୬ ପ୍ରତିଶତ ହ୍ରାସ ପାଇଥିଲା । ଏହି ସମୟ ସୁଦ୍ଧା ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ୫୭ ପ୍ରତିଶତରୁ ୩୨.୫୯ ପ୍ରତିଶତ କୁ ଖସିଛି । ଅର୍ଥାତ ୮୨ ଲକ୍ଷ ଲୋକ ୮ ବର୍ଷ ଭିତରେ ଦାରିଦ୍ର‌୍ୟ ସୀମାରେଖା ଉପରକୁ ଉଠିପାରିଛନ୍ତି । ତେବେ ଓଡ଼ିଶାରେ ତଥାପି ପ୍ରତି ଶହେ ଲୋକରେ ୩୨ ରୁ ୩୩ ଜଣ ହେଉଛନ୍ତି ଗରିବ ବା ଗରିବୀ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ହେଉଛି ୩୨.୫୯ ପ୍ରତିଶତ । ଏହି ସମୟ ଭିତରେ ଜାତୀୟ ସ୍ତରରେ ଗରିବୀ ୧୫ ପ୍ରତିଶତ ହାରରେ କମିଥିବା ବେଳେ ଓଡ଼ିଶାରେ ୨୪.୬ ପ୍ରତିଶତ ହାରେ କମି ରେକର୍ଡ କରିଛି । ତେବେ ନିଯୁକ୍ତି ସୃଷ୍ଟି, ଖାଦ୍ୟ ନିରାପତ୍ତା, ଗୃହ ନିର୍ମାଣ, ସାମାଜିକ ନିରାପତ୍ତା, ଅର୍ଥନୈତିକ ଭିତ୍ତିଭୂମି, ଜୀବିକା ସୁଯୋଗ ଭଳି ଦାରିଦ୍ର‌୍ୟ ଦୂରୀକରଣ କାର୍ଯ୍ୟକ୍ରମ ଦ୍ୱାରା ଏହା ସମ୍ଭବ ହୋଇଛି । ଜୀବିକାର୍ଜ୍ଜନ ପନ୍ଥା ଜରିଆରେ ଦାରିଦ୍ର‌୍ୟ ଦୂରୀକରଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା ଫଳରେ ଦାରିଦ୍ର‌୍ୟ ହାର କମିବା ସହିତ ମୁଣ୍ଡ ପିଛା ଆୟ ବଢ଼ୁଥିବା ଓଡ଼ିଶାର ଅର୍ଥନୀତି ସର୍ଭେ ରିପୋର୍ଟରେ କୁହାଯାଇଛି । ୨୦୧୮-୨୦୧୯ ଆର୍ଥିକ ବର୍ଷର ଆଗୁଆ ଆକଳନ ଅନୁସାରେ ମୁଣ୍ଡପିଛା ଆୟ ୨୦୧୭-୧୮ ରେ ୮୩.୭୬୯ ଟଙ୍କା ଥିବା ବେଳେ ଏହା ୯୨.୬୯୧ ଟଙ୍କାକୁ ବୃଦ୍ଧି ପାଇବ ବୋଲି ହିସାବ କରାଯାଇଛି । ମୁଣ୍ଡ ପିଛା ଆୟ ବାର୍ଷିକ ୯.୮ ପ୍ରତିଶତ ହାରରେ ବଢ଼ିବା ସହିତ ଲୋକଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଘଟୁଥିବା କୁହାଯାଇଛି । ଲୋକଙ୍କୁ ବଞ୍ଚିବାର ଆୟୁ ମଧ୍ୟ ବଢ଼ୁଛି । ୨୦୧୦ ରୁ ୨୦୧୪ ମଧ୍ୟରେ ହୋଇଥିବା ହିସାବ ଅନୁସାରେ ଓଡ଼ିଶାର ବଞ୍ଚିବାର ଆୟୁ ୬୪୮ ବର୍ଷରୁ ୬୫.୮ ବର୍ଷ ବା ହାରାହାରି ଗୋଟିଏ ବର୍ଷ ବଢ଼ିଛି । ଜାତୀୟ ସ୍ତରରେ ମହିଳାଙ୍କ ଜୀବନର ଆୟୁ ପୁରୁଷଙ୍କଠାରୁ ଅଧିକ । ଏ କ୍ଷେତ୍ରରେ ଓଡ଼ିଶା ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଆସାମଠାରୁ ଆଗରେ ଥିଲେ ହେଁ କେରଳ, ଦିଲ୍ଲୀ, ଜାମ୍ମୁ କାଶ୍ମୀର ଉତ୍ତରାଖଣ୍ଡ ଭଳି ରାଜ୍ୟଠୁ ପଛରେ ରହିଛି । ତେବେ ୨୦୧୫-୧୬ ଶିଶୁ ମୃତ୍ୟୁ ହାର ତଥ୍ୟ ଅନୁସାରେ ଓଡ଼ିଶାର ଜନ୍ମ େ ନଉଥିବା ପ୍ରତି ହଜାରେ ଶିଶୁରେ ୪୦ ଜଣ ପ୍ରାଣ ହରାଉଥିବା ବେଳେ ଜାତୀୟ ସ୍ତରରେ ଏହା ହାର ରହିଛି ୪୧ । ୨୦୨୦ ସୁଦ୍ଧା ଶିଶୁ ମୃତ୍ୟୁ ହାର ପ୍ରତି ହଜାରେ ଜନ୍ମିତ ଶିଶୁରେ ୩୦ କୁ କମାଇବା ପାଇଁ ଲକ୍ଷ୍ୟ ରହିଛି । ସେହିପରି ପାଞ୍ଚ ବର୍ଷରୁ କମ ବୟସ୍କ ଶିଶୁଙ୍କ କ୍ଷେତ୍ରରେ ୧୯୯୮-୯୯ ରେ ପ୍ରତି ହଜାରେ ଶିଶୁରେ ୧୦୪ ଜଣ ପ୍ରାଣ ହରାଉଥିବା ବେଳେ ଏବେ ମୃତ୍ୟୁ ହାର ୪୯ କୁ କମିଛି ।