ଓମଫେଡ୍ ପ୍ୟାକେଟରେ ନାହିଁ ଅଧ ଲିଟର କ୍ଷୀର, ଖାଇବା ତେଲ ୨୦ ଟଙ୍କା ବଢିଲା । ଖାଦ୍ୟ ସାମଗ୍ରୀ ଦରଦାମ ଆକାଶ ଛୁଆଁ

ଓମଫେଡ୍ ପ୍ୟାକେଟରେ ନାହିଁ ଅଧ ଲିଟର କ୍ଷୀର, ଖାଇବା ତେଲ ୨୦ ଟଙ୍କା ବଢିଲା । ଖାଦ୍ୟ  ସାମଗ୍ରୀ ଦରଦାମ ଆକାଶ ଛୁଆଁ

କଟକ :  ଖାଇବା ତେଲ ଓ ଓମ୍ଫେଡ୍ କ୍ଷୀରର ଅହେତୁକ ଦରବୃଦ୍ଧି ପ୍ରତିବାଦରେ କଟକ ନଗର(ଜିଲ୍ଲା)ଯୁବ କଂଗ୍ରେସ ପକ୍ଷରୁ ସଭାପତି ଆଡଭୋକେଟ୍ ଡ଼ ବିପ୍ଳବ ଶିଳାଦିତ୍ୟ ଙ୍କ ନେତୃତ୍ୱରେ କଟକ ଶକ୍ତିନଗର୍ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବୀପତ୍ର କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଓମ୍ଫେଡ ପ୍ୟାକେଟ ରେ ୫୦୦ମିଲି କ୍ଷୀର ବଦଳରେ ଏବେ ଆସୁଛି ୪୫୦ମିଲି । ପୂର୍ବରୁ ୫୦୦ମିଲି କୁ ୨୬ଟଙ୍କା ଦର ଥିବାବେଳେ ଏବେ ୪୫୦ମିଲି କୁ ୨୮ଟଙ୍କା ରଖାଯାଇଛି ।ହାରାହାରି ୪ଟଙ୍କା ଅଧିକ । ଓମ୍ଫେଡ ଦୁଗ୍ଧ ଚାଷୀ ଙ୍କ ଠାରୁ ଲିଟର ପିଛା ୩୫ଟଙ୍କା ୦୫ପଇସାରେ କିଣୁଥିବା ବେଳେ ୫୨ଟଙ୍କାରେ ବିକ୍ରି କରୁଥିଲା ।ଏବେ ଦର ବୃଦ୍ଧି କରି୫୬ଟଙ୍କାରେ ବିକ୍ରି ହେଉଛି ।ପୂର୍ବରୁ ସରକାର ଓ ସମବାୟ ସଂସ୍ଥା ଲିଟର ପିଛା ୧୭ଟଙ୍କା ଅଧିକ ରଖୁଥିବାବେଳେ ଏବେ ୨୧ଟଙ୍କା ବଢାଇ ଦିଆଯାଇଛି ।ଅନୁରୂପ ଭାବରେ ଖାଇବା ତେଲ କଥା କହିଲେ ନସରେ ।ଗତ ୧୩ ତାରିଖ ରେ କେନ୍ଦ୍ର ସରକାର ପାମୋଲିନ୍, ସୂର୍ଯ୍ୟମୁଖୀ,ଏବଂ ସୋୟବିନ ତେଲ ଉପରେ ଆମଦାନୀ ଶୁଳ୍କ ବଢାଇ ଗ୍ରାହକ ମାନଙ୍କ ଉପରେ ବୋଝ ଲଦିଦେଇଛନ୍ତି ।ଆମଦାନୀ ଟିକସ ଖାଇବା ତେଲ ୫.୦୫ପ୍ରତିଶତ ପରିବର୍ତ୍ତେ ୨୭.୦୫ପ୍ରତିଶତ ବଢ଼ିଯାଇଥିବା ବେଳେ ରିଫାଇନ ୧୩.୭୫ ପ୍ରତିଶତ ପରିବର୍ତ୍ତେ ଏହା ୩୫.୭୫ପ୍ରତିଶତ ବଢ଼ାଯାଇଛି ।ଫଳରେ ଖାଇବା ତେଲ ଇତ୍ୟାଦି ରେ ପ୍ରାୟ ୨୦ଟଙ୍କା ବୃଦ୍ଧି ଘଟିଛି ।ଏଥି ସହିତ ୧୩ତାରିଖ ପୂର୍ବରୁ ଯେଉଁ ତେଲ କମ୍ପାନୀ ଓ ବ୍ୟବସାୟୀଙ୍କ ପାଖରେ ତେଲ ଗଚ୍ଛିତ ଥିଲା ତାର ଦର ମଧ୍ୟ କାହିଁକି ବଢ଼ିଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ ।ଏଣୁ ଜନସ୍ବାର୍ଥ ଦୃଷ୍ଟିରୁ ଖାଇବା ତେଲ ଉପରୁ ବୃଦ୍ଧି ପାଇଥିବା ଆମଦାନୀ ଟିକସ କୁ ପ୍ରତ୍ୟାହାର କରିବା ସହ ଉପଯୁକ୍ତ ଓଜନ ଓ ସୁଲଭ ମୂଲ୍ୟରେ କ୍ଷୀର ଯୋଗେଇ ଦେବାକୁ କଟକ ନଗର ଯୁବ କଂଗ୍ରେସ ଦାବୀ କରିଛି ।ନଚେତ୍ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି । ବ୍ୟୁରୋ ରିପୋର୍ଟ ୟୁବିସି ଓଡିଆ ।