ବଢ଼ୁଛି ବିଜେପୁର ତାତି
ବଢ଼ୁଛି ବିଜେପୁର ତାତି
admin
Oct 11, 2019 - 07:30
Updated: Oct 11, 2019 - 07:30
ଭୁବନେଶ୍ୱର : ପୂଜା ଛୁଟି ସରିବା ପରେ ବିଜେପୁର ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ବିଜେପୁରରେ ବିଭିନ୍ନ ଦଳର ନେତାମାନେ ପ୍ରଚାର ଅଭିଯାନ ଜୋରଦାର କରିଥିବା ବେଳେ ଭୁବନେଶ୍ୱରରେ ମଧ୍ୟ ଏହାର ତାତି ଅନୁଭୂତ ହେଉଛି । ଗୋଟିଏ ପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳର ବରିଷ୍ଠ ନେତା ରିପୁନାଥ ସେଠଙ୍କର ମାନଭଞ୍ଜନ କରିଛନ୍ତି । ଅନ୍ୟପଟେ ବିଜେପି ନେତା ଅଶୋକ ପାଣିଗ୍ରାହୀ ଦଳ ତ୍ୟାଗକୁ ଗୁଜବ ବୋଲି କହିଥିଲେ ହେଁ, ଅସନ୍ତୋଷ ଝାଡିବାକୁ ଭୁଲିନାହାନ୍ତି । ବିଜେଡି କିନ୍ତୁ ଆଜି ପୁଣି ଜୋର ଦେଇ କହିଛି ଯେ ବିଜେପୁର ଉପନିର୍ବାଚନରେ ସେମାନଙ୍କୁ କେହି ଅଟକାଇପାରିବେ ନାହିଁ ।
ତେବେ ମିଳିଥିବା ସୂଚନା ଅନୁସାରେ, ବିଜେପି ଶିବିରକୁ ଚଳଚଞ୍ଚଳ କରିବା ଲାଗି ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ପ୍ରଚାର ପାଇଁ ଯାଉଥିବା ଜଣାପଡିଛି । ଦଳ ପାଇଁ ସେ ମାରାଥନ୍ ପ୍ରଚାର କରିବେ । ସକାଳ ୧୧ଟାରେ ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ ତଳପାଲିଠାରେ ସାଧାରଣ ସଭାରେ ସେ ଯୋଗଦେବେ । ଅପରାହ୍ନ ୧ଟାରେ ବିଜେପୁର ବ୍ଲକ ଲାଉମୁଣ୍ଡାରେ ତାଙ୍କ ରୋଡ୍ ସୋ କାର୍ଯ୍ୟକ୍ରମ ରହିଛି । ଏହି ରୋଡ୍ ସୋ ବିଜେପୁର ଓ ବରପାଲି ବ୍ଲକର ପଥରଲା, ସାଇପାଲି, ମହୁଲପାଲି, ମାମା ଛକ, ଖରମୁଣ୍ଡା, ବୈରଖପାଲି ପର୍ଯ୍ୟନ୍ତ ଯିବ । ଅପରାହ୍ନ ୪ଟାରେ ବରପାଲି ବ୍ଲକ ଅଗଲପୁରରେ ଆଉ ଏକ ସାଧାରଣ ସଭାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।
ସେହିଭଳି କଂଗ୍ରେସ ମଧ୍ୟ ପ୍ରସ୍ତୁତି ଚଳାଇଛି । ଦଳ ପାଇଁ ପ୍ରଚାର କରିବେ ରିପୁନାଥ ସେଠ । ଆଜି ରିପୁନାଥଙ୍କ ଅଭିମାନ ଦୂର କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକଙ୍କ ଘରେ ପୂର୍ବତନ ବିଧାୟକ ରିପୁନାଥ ସେଠଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ପରେ ପିସିସି ସଭାପତି କହିଥିଲେ ଯେ ଶ୍ରୀ ସେଠ କଂଗ୍ରେସ ଦଳରେ ଦୀର୍ଘ ୪୦ ବର୍ଷ ଧରି କାମ କରିଛନ୍ତି । ଏହି ଉପନିର୍ବାଚନରେ ସେ ନିଜେ ପ୍ରାର୍ଥୀ କିମ୍ବା ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରିବା ନେଇ ଆଶା ରଖିଥିଲେ । ସେଥିପାଇଁ ତାଙ୍କ ମନରେ କିଛିଟା କ୍ଷୋଭ ଥିଲା । କିନ୍ତୁ ସେ କେବେ ବି ଦଳର ନେତା କିମ୍ବା ଦଳ ବିରୋଧରେ ମତ ମନ୍ତବ୍ୟ ଦେଇନାହାନ୍ତି । କଂଗ୍ରେସକୁ ବଦନାମ କରିବା ସହ ତାଙ୍କୁ ବଦନାମ କରିବାକୁ ଏପରି ଅପପ୍ରଚାର କରାଯାଉଛି । ବିଶେଷକରି ଗଣମାଧ୍ୟମ ଏପରି ଖବର ପ୍ରଚାର କରୁଥିବା ନେଇ ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଥିଲେ । ସେ କହିଥିଲେ, ରିପୁନାଥ ସେଠ ଜଣେ ବରିଷ୍ଠ ନେତା । ତାଙ୍କୁ ବିଜେପୁର ନିର୍ବାଚନମଣ୍ଡଳୀର କୌଣସି ଗୋଟିଏ ଜୋନର ଦାୟିତ୍ୱରେ ରଖାଯିବନି । ବରଂ ୭ଟି ପଞ୍ଚାୟତର ସାମଗ୍ରିକ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଇଛି । ଏଥିପାଇଁ ସେ ମଧ୍ୟ ରାଜି ହୋଇଛନ୍ତି । ଏହି ଉପନିର୍ବାଚନରେ ସେ ପୂରା ନିର୍ବାଚନମଣ୍ଡଳୀ ପାଇଁ କିନ୍ତୁ ପ୍ରଚାର କରିବେ ।
ଅନ୍ୟପଟେ ଶ୍ରୀ ସେଠ କହିଥିଲେ, ଉପନିର୍ବାଚନକୁ ନେଇ ତାଙ୍କୁ ନିର୍ଦ୍ଧିଷ୍ଟ ଭାବେ ଦାୟିତ୍ୱ ମିଳିନଥିବାରୁ ତାଙ୍କ ମନରେ କିଛିଟା ବ୍ୟକ୍ତିଗତ ଅସନ୍ତୋଷ ଥିଲା । ଆଜି ସଭାପତିଙ୍କ ସହ ଆଲୋଚନା ପରେ ସେ ମତାନ୍ତର ଦୂର ହାଇଛି । କଂଗ୍ରେସ ଏବେ ଏକ ଘଡ଼ସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । ସେ ଦଳୀୟ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ପାଇଁ ନୁହଁ, କଂଗ୍ରେସ ପାଇଁ ପ୍ରଚାର କରିବେ । ୨୦୧୯ ସାଧାରଣ ନିର୍ବାଚନରେ ଯେପରି ମୁଖ୍ୟମନ୍ତ୍ରୀଙ୍କ ସହ ମୁକାବିଲା କରିଥିଲେ ସେହିପରି ଏଥରକ ଉପନିର୍ବାଚନରେ କଂଗ୍ରେସ ପାଇଁ ପୂର୍ଣ୍ଣପ୍ରାଣରେ ଉଦ୍ୟମ କରିବେ ବୋଲି ଶ୍ରୀ ସେଠ କହିଥିଲେ ।
ପୂର୍ବରୁ ରିପୁୁନାଥ ରୋକଠାକ୍ ମନା କରିଦେଇଥିଲେ ଯେ ସେ ବିଜେପୁର ଉପ ନିର୍ବାଚନରେ ପ୍ରଚାର କରିବେ ନାହିଁ । ଏକଥା ବି କହିଥିଲେ, ୨୦୧୮ ମସିହାର ଭୁଲକୁ ପୁଣି ଥରେ ଦାହରାଇ କଂଗ୍ରେସକୁ ମୂଳପୋଛ କରିବା ପାଇଁ ଉଦ୍ୟମ ଚାଲିଛି ଏବଂ ଏଠି ନେତା ସଚ୍ଚୋଟ ନ ଥିବାରୁ କର୍ମୀ ମାନେ କିପରି ସଚ୍ଚୋଟ ହେବେ ବୋଲି ପ୍ରଶ୍ନ କରିଥିଲେ । ଆଜି ଏହି ବିବାଦର ପରିସମାପ୍ତି ପରେ ସ୍ଥାନୀୟ ଅଞ୍ଚଳର କଂଗ୍ରେସ କର୍ମୀ ଅଧିକ ସକ୍ରିୟ ହୋଇ କାର୍ଯ୍ୟ କରିବେ ବୋଲି ଦଳୀୟ ନେତା ଆଶା ପ୍ରକଟ କରିଛନ୍ତି ।
ସେପଟେ କିନ୍ତୁ ବିଜେପି ଘରେ ପୁଣି କେଁ ବାହାରିଲାଣି । ୨୦୧୮ ଉପ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ଦଳୀୟ ନେତାଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛନ୍ତି । ଅଶୋକ ଗଣମାଧ୍ୟମ ସାମ୍ନାରେ ଖୋଲା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦିନେ ଦୁଇ ଦିନ ଭିତରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ସିଧାସଳଖ କହିଛନ୍ତି । ବିଜେପୁର ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ଅଶୋକଙ୍କ ଅସନ୍ତୋଷ ଦଳ ପାଇଁ ଶୁଭଦାୟକ ମନେହେଉନାହିଁ । ବିଜେପୁରରେ ପ୍ରଚାର ସରଗରମ ହେବାକୁ ଯାଉଥିବା ବେଳେ ଅଶୋକଙ୍କ ଏପରି ବୟାନ ବିଜେପିକୁ ଅକଳରେ ପକାଇଛି ।
ଶ୍ରୀ ପାଣିଗ୍ରାହୀ କହିଛନ୍ତି, ଦାମ ବାବୁଙ୍କ ପରି ତାଙ୍କୁ ବି ଦଳ ଅଣଦେଖା କରୁଛି । ଉପନିର୍ବାଚନର ତାରକା ପ୍ରଚାରକ ତାଲିକାରେ ତାଙ୍କ ନାମ ନାହିଁ । ଦଳର ସଂସଦୀୟ କମିଟି ପ୍ରାର୍ଥୀ ଚୟନ କରିଥାଏ, କିନ୍ତୁ ତାଙ୍କୁ ଯେପରି ଭାବେ ଏହି ଉପନିର୍ବାଚନରେ କୌଣସି ସାଂଗଠନିକ କାର୍ଯ୍ୟରୁ ବିରତ ରଖାଯାଇଛି ସେ ନେଇ ତାଙ୍କ କର୍ମୀମାନେ ଘୋର ଅସନ୍ତୁଷ୍ଟ ଅଛନ୍ତି । ଦଳର କୌଣସି କାର୍ଯ୍ୟରେ ତାଙ୍କୁ ଡକାଯାଉନାହିଁ । ଏହା ସତ୍ତ୍ୱେ ସେ ବିଜେପିର ଜଣେ ସଚ୍ଚୋଟ କର୍ମୀଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କର ଦଳ ଛାଡ଼ିବା ନେଇ ଯେଉଁ ଖବର ପ୍ରଚାର ହେଉଛି ତାର କୌଣସି ସତ୍ୟତା ନଥିବା ସେ କହିଛନ୍ତି ।
ଇତିମଧ୍ୟରେ ବିଜେଡି ନେତା ଦେବାଶିଷ ସାମନ୍ତରାୟ ଆଜି କହିଛନ୍ତି ଯେ ବିଜେପୁର ଉପ ନିର୍ବାଚନ ପ୍ରଚାରରେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଯିବେ । ବିରୋଧୀ ଯେତେ ଯାହା କହିଲେ ବି ବିଜେଡି ପ୍ରାର୍ଥୀ ରୀତା ସାହୁ ବହୁ ବ୍ୟବଧାନରେ ଉପନିର୍ବାଚନରେ ବିଜୟ ଲାଭ କରିବେ ।
ଉଲ୍ଲେଖଯୋଗ୍ୟ ଯେ, ୨୦୧୪ ନିର୍ବାଚନରେ ଏହି ଆସନଟି କଂଗ୍ରେସ ହାତରେ ଥିଲା । ୨୦୧୮ ଉପନିର୍ବାଚନରେ ବିଜେଡି ଏହାକୁ ଛଡାଇ ନେଇଥିଲା । ପରେ ଗତ ସାଧାରଣ ନିର୍ବାଚନରେ ନିଜେ ମୁଖ୍ୟମନ୍ତ୍ରୀ ଏଠାରୁ ପ୍ରାର୍ଥୀ ହୋଇ ୧ଲକ୍ଷ ୧୦ ହଜାର ୬୦୪ ଖଣ୍ଡ ଭୋଟ ପାଇଥିଲେ । ଏହି ସଂଖ୍ୟାର ଭୋଟ ଯେଭଳି ଅତୁଟ ରହେ, ସେ ନେଇ ବିଜେଡି କସରତ ଚଳାଇଥିବା ନେତାମାନେ କହିଛନ୍ତି ।