ବିଜେପି ବିରୋଧରେ ୬୦୦ କଳାକାର ଏକାଠି

ବିଜେପି ବିରୋଧରେ ୬୦୦ କଳାକାର ଏକାଠି

ବିଜେପି  ବିରୋଧରେ  ୬୦୦  କଳାକାର  ଏକାଠି
ନୂଆଦିଲ୍ଲୀ: ନାସିରୁଦ୍ଦିନ ଶାହା, ଗିରିଶ କର୍ଣ୍ଣଡ, ଅନୁରାଗ କଶ୍ୟପ, ଆମୋଲ ପାଲେକର, କୋଙ୍କଣା ସେନ୍ ଶର୍ମା ଓ ଉଷା ଗାଙ୍ଗୁଲିଙ୍କ ଭଳି ପ୍ରାୟ ୬୦୦ରୁ ଅଧିକ କଳାକାର ବିଜେପି ବିରୋଧରେ ଭୋଟ ଦେବାକୁ ଭୋଟମାନଙ୍କୁ ନିବେଦନ କରାଯାଇଛି । ସେମାନେ ଅଭିଯୋଗ କରିଛନ୍ତି ଯେ ବିଜେପି ଶାସନରେ ଦେଶର ମୂଲ୍ୟବୋଧ ଓ ସମ୍ବିଧାନ ବିପଦରେ ପଡିଛି । ସେମାନଙ୍କ ଦସ୍ତଖତ ସମ୍ବଳିତ ଏକ ଚିଠି ମଧ୍ୟ ଭୋଟମାନଙ୍କ ଉଦ୍ଦେଶ୍ୟରେ ଜାରି କରିଛନ୍ତି । ୧୨ ଟି ଭାଷାରେ ଏହି ଚିଠି ଲେଖାଯାଇଛି । ଆର୍ଟିଷ୍ଟ ୟୁନାଇଟ ଇଣ୍ଡିଆ ୱେବସାଇଟରେ ଏହି ଚିଠି ଅପଲୋଡ କରାଯାଇଛି । ସେଥିରେ କୁହାଯାଇଛି ଯେ ଚଳିତ ଲୋକସଭା ନିର୍ବାଚନର ଦେଶର ଇତିହାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା । ଆଜି ଭାରତର ପ୍ରତ୍ୟେକ ସଂସ୍ଥା ବିପଦରେ ପଡିଛି । ସେହିଭଳି ନୃତ୍ୟ, ଗୀତ ଓ ହସ ମଧ୍ୟ ବିପଦରେ ପଡିଛି । ଯେଉଁଠି ଯୁକ୍ତି ,ବିତର୍କ ଓ ଆଲୋଚନା କରାଯାଏ ସେଭଳି ଅନୁଷ୍ଠାନକୁ ସରକାର ଶ୍ୱାସରୁଦ୍ଧ କରିଦେଇଛନ୍ତି । ବିନା ବିତର୍କ ଓ ବିରୋଧୀରେ ଗଣତନ୍ତ୍ର କାର୍ଯ୍ୟକ୍ଷମ ହୁଏ ନାହିଁ । ମାତ୍ର ଏସବୁକୁ ବର୍ତମାନର ସରକାର ପଥଚ୍ୟୁତ କରିଦେଇଛି । ବିକାଶର ନାରା ଦେଇ ୫ ବର୍ଷ ତଳେ ବିଜେପି କ୍ଷମତାକୁ ଆସିଥିଲା । ମାତ୍ର ଏହି ୫ ବର୍ଷ ଭିତରେ ହିନ୍ଦୁ ଗୁଣ୍ଡାମାନେ ହିଂସା ଓ ଘୃଣା ରାଜନୀତି ସୃଷ୍ଟି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ଉଲ୍ଲେଖ କରା ନଯାଇ କୁହାଯାଇଛି କି ସେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିବାରେ ବିଫଳ ହୋଇଛନ୍ତି । ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ବହୁ ଅନୁଷ୍ଠାନ ଧ୍ୱଂସ ପାଇବା ସହ ଅନେକ ଲୋକ ତଳିତଳାନ୍ତ ହୋଇଯାଇଛନ୍ତି । କଳାଟଙ୍କା ଫେରାଇ ଆଣିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଦେଶକୁ ଲୁଟି ଶିଳ୍ପପତି ଓ ବ୍ୟବସାୟୀମାନେ ବିଦେଶ ପଳାଇଛନ୍ତି । ଧନୀଙ୍କ ଧନ ଆଶାତୀତ ଭାବେ ବଢିଚାଲିଥିବା ବେଳେ ଗରିବମାନେ ଆହୁରି ଗରିବ ହୋଇଚାଲିଛନ୍ତି । ତେଣୁ ଏଭଳି ସରକାରକୁ କ୍ଷମତାଚ୍ୟୁତ କରିବା ଲାଗି ଭୋଟରଙ୍କୁ ଏହି ଚିଠିରେ ନିବେଦନ କରାଯାଇଛି ।