ରାଜ୍ୟସଭା ପାଇଁ କଂଗ୍ରେସର ୧୦ ପ୍ରାର୍ଥୀ
ରାଜ୍ୟସଭା ପାଇଁ କଂଗ୍ରେସର ୧୦ ପ୍ରାର୍ଥୀ
admin
May 29, 2022 - 17:01
Updated: May 29, 2022 - 17:01
ନୂଆଦିଲ୍ଲୀ: କଂଗ୍ରେସରୁ କିଏ ଯିବେ ରାଜ୍ୟସଭା? ଏ ନେଇ ଦଳରେ ଏକାଧିକ ହେଭିୱେଟ ନେତାଙ୍କ ନାଁ ଚର୍ଚ୍ଚାରେ ଥିଲା । ତେବେ ବହୁ ବିଚାର ବିମର୍ଷ ପରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ୧୦ ନେତାଙ୍କ ନାମରେ ମୋହର ମାରିଛନ୍ତି । ସେମାନେ ହେଲେ ରାଜୀବ ଶୁକ୍ଳା, ରଂଜିତ ରଞ୍ଜନ, ଅଜୟ ମାକେନ, ଜୟରାମ ରମେଶ, ବିବେକ ତନଖା, ଇମ୍ରାନ ପ୍ରତାପଗଡ଼ି, ରଣଦୀପ ସିଂ ସୁର୍ଯେ୍ୟୱାଲା, ମୁକୁଲ ୱାସନିକ, ପ୍ରମୋଦ ତିୱାରୀ, ପି.ଚିଦାମ୍ବରମ ।
ଜୁନ୍ ୧୦ରେ ୫୭ଟି ଆସିନ ପାଇଁ ନିର୍ବାଚନ ଥିବାବେଳେ ୩୧ରେ ସରିବ ନାମାଙ୍କନ । ତେଣୁ କଂଗ୍ରେସ ଆଜି ୭ଟି ରାଜ୍ୟରୁ ୧୦ଜଣଙ୍କୁ ରାଜ୍ୟସଭା ପଠାଇବା ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବଡ଼ କଥା ହେଲା, ଏ ତାଲିକାରେ ଜି-୨୩ ଗ୍ରୁପର କୌଣସି ବଡ଼ ନେତା ନାହାନ୍ତି । ଏମିତିକି ଗୁଲାମନବୀ ଆଜାଦ, ଆନନ୍ଦ ଶର୍ମାଙ୍କ ନାଁକୁ ନେଇ ଢେର ଚର୍ଚ୍ଚା ହେଉଥିବାବେଳେ ସେମାନଙ୍କୁ ବି ନିରାଶ ହେବାକୁ ପଡ଼ିଛି । ନିକଟରେ ଜି-୨୩ ଗ୍ରୁପର ପୂର୍ବତନ ସଦସ୍ୟ ତଥା ବରିଷ୍ଠ ନେତା କପିଲ ଶିବଲ କଂଗ୍ରେସ ଛାଡ଼ି ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭା ଯିବାକୁ ନାମାଙ୍କନ ଭରିଛନ୍ତି । ଆଶା କରାଯାଉଥିଲା, ଜି-୨୩ ଗ୍ରୁପର ଅନ୍ୟ ସଦସ୍ୟଙ୍କୁ ସନ୍ତୁଷ୍ଟ କରିବାକୁ କଂଗ୍ରେସ ନିଶ୍ଚିତ ଗୁଲାମନବୀ ଓ ଆନନ୍ଦ ଶର୍ମାଙ୍କୁ ରାଜ୍ୟସଭା ପଠାଇପାରେ । ମାତ୍ର ସେମିତି କିଛି ହେଲାନି ।
କଂଗ୍ରେସ ଜାରି କରିଥିବା ପ୍ରେସ ରିଲିଜ ମୁତାବକ, ପି.ଚିଦାମ୍ବରମ ତାମିଲନାଡୁରୁ ରାଜ୍ୟସଭା ପ୍ରାର୍ଥୀ ହେବେ । ରାଜସ୍ଥାନରୁ ସୁର୍ଯେ୍ୟୱାଲା, ମୁକୁଲ ୱାସନିକ ଓ ପ୍ରମୋଦ ତିୱାରୀ ରାଜ୍ୟସଭା ଯିବାକୁ ନାମାଙ୍କନ ଭରିବେ । କଂଗ୍ରେସ ସଂଖ୍ୟାଲଘୁ ସେଲ୍ ମୁଖ୍ୟ ତଥା ଯୁବ ଚେହେରା ଇମ୍ରାନ ପ୍ରତାପଗଡ଼ୀଙ୍କୁ ମହାରାଷ୍ଟ୍ରରୁ ରାଜ୍ୟସଭା ପଠାଇବାକୁ ଘୋଷଣା କରିଛି । ବିବେକ ତନଖା ମଧ୍ୟପ୍ରଦେଶରୁ, କର୍ଣ୍ଣାଟକରୁ ଜୟରାମ ରମେଶ, ହରିୟାଣାରୁ ଅଜୟ ମାକେନ, ଛତିଶଗଡ଼ରୁ ରାଜୀବ ଶୁକ୍ଳା ଏବଂ ରଂଜିତ ରଞ୍ଜନ ରାଜ୍ୟସଭା ପ୍ରାର୍ଥୀ ହେବେ । କ୍ରସ ଭୋଟିଂ ନ ହେଲେ ଏହି ୧୦ ନେତା ରାଜ୍ୟସଭାକୁ ଯିବା ପ୍ରାୟତଃ ନିଶ୍ଚିତ ।
ରାଜ୍ୟସଭା ପ୍ରାର୍ଥୀ ଘୋଷଣା ହେବା ପରେ ଆନନ୍ଦ ଶର୍ମା, କୁମାରୀ ଶୈଳଜା, ଗୁଲାମନବୀ ଆଜାଦ, ପୱନ ଖେଡ଼ା, ଜିତେନ୍ଦ୍ର ସିଂହ, ଦିନେଶ ଖଗାଡ଼ିଆଙ୍କ ଭଳି ଆଶାୟୀ ନେତା ନିରାଶ ହୋଇଛନ୍ତି । ତେବେ କପିଲ ଶିବଲଙ୍କ ଭଳି ଆନନ୍ଦ ଶର୍ମା ଓ ଗୁଲାମନବୀ କିଛି ବଡ଼ ନିଷ୍ପତ୍ତି ନେବେ କି ନାହିଁ, ତାହା ଦେଖିବାକୁ ବାକି ରହିଲା ।