ଲଘୁଚାପ ବର୍ଷା ଅଜାଡ଼ିବ

ଲଘୁଚାପ ବର୍ଷା ଅଜାଡ଼ିବ

ଲଘୁଚାପ ବର୍ଷା ଅଜାଡ଼ିବ


ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତା ୪୮ ଘଣ୍ଟା ଭିତରେ ଏହା ଅବପାତ (ଡିପ୍ରେସନ୍) ରୂପ ନେବ । ଏହା ପ୍ରଭାବରେ ପାଗ ବଦଳିଛି । କେତେକ ଜାଗାରେ ବର୍ଷା ହୋଇଛି । ତେବେ ଆସନ୍ତା ୧୪ ତାରିଖ ଯାଏ ଏହା ପ୍ରଭାବରେ ବର୍ଷା ଲାଗି ରହିବ । ଆସନ୍ତାକାଲିଠାରୁ ବର୍ଷା ପ୍ରକୋପ  ବେଶି ବଢ଼ିବ । ରବିବାର ଓ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରିଛି ପାଣିପାଗ ବିଭାଗ ।

  ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ରାଜ୍ୟର ଅଧିକାଂଶ ଅଂଚଳରେ ବର୍ଷା ସମ୍ଭାବନା ଅଛି । କୋରାପୁଟ, ମାଲକାନଗିରି, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହୋଇପାରେ । ରବିବାର ବର୍ଷା ପ୍ରକୋପ ବଢ଼ିବ । ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ନୟାଗଡ଼, ଭଦ୍ରକ, ଯାଜପୁର ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ଅଛି । କନ୍ଧମାଳ, ବାଲେଶ୍ୱର, ଢେଙ୍କାନାଳ, ନବରଙ୍ଗପୁର, କଳାହାଣ୍ଡି, ଅନୁଗୁଳ, ବୌଦ୍ଧରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ସୋମବାର ବର୍ଷା ଆହୁରି ବଢ଼ିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ବରଗଡ଼ ଓ ଦେବଗଡ଼ ଜିଲ୍ଲାରେ । ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା କରାଇବ । ମଙ୍ଗଳବାର ଆଭ୍ୟନ୍ତରୀଣ ଓଡ଼ିଶାରେ ଭଲ ବର୍ଷା ହେବ ।

  ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି । ୧୪ ତାରିଖ ଯାଏ ସମୁଦ୍ର ଜୁଆରିଆ ରହିବ । ଓଡ଼ିଶା ଉପକୂଳ ସମୁଦ୍ର ତଟରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିପାରେ । ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ବେଳାଭୂମି ବୁଲିବାକୁ ଆସୁଥିବା ଲୋକେ ସମୁଦ୍ର ପାଣିକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ସମୁଦ୍ରରେ ଗାଧୋଇବା ଏବେ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।