ସତ୍ୟବାଦୀସ୍ଥିତ ସ୍ଥାପନ ନିମନ୍ତେ ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ ଡିଜାଇନ୍‌କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ସତ୍ୟବାଦୀସ୍ଥିତ ସ୍ଥାପନ ନିମନ୍ତେ ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ ଡିଜାଇନ୍‌କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ସତ୍ୟବାଦୀସ୍ଥିତ ସ୍ଥାପନ ନିମନ୍ତେ ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ ଡିଜାଇନ୍‌କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ବର: ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ ଡିଜାଇନ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ବନ ବିଦ୍ୟାଳୟ ଢାଞ୍ଚାରେ ଏ ବିଶ୍ୱବିଦ୍ୟାଳୟର ଡିଜାଇନ୍‌ ପ୍ରସ୍ତୁତ ହୋଇଛି । ଏହାର ନିର୍ମାଣ ବିସ୍ତୃତ ଯୋଜନା ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇ ନିଷ୍ପତି ନିଆଯିବ ବୋଲି ସୂଚନା ଦିଆଯାଇଛି । ପୁରୀ ଜିଲ୍ଲାର ସତ୍ୟବାଦୀସ୍ଥିତ ପ୍ରସିଦ୍ଧ ବନ ବିଦ୍ୟାଳୟରେ ଏହି ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ବନ ବିଦ୍ୟାଳୟ ପରିସରରେ ଏହି ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଏହାର ମର୍ୟ୍ୟାଦାକୁ ବହୁଗୁଣିତ କରିବ । ବିଶ୍ୱବିଦ୍ୟାଳୟରେ ଶାନ୍ତ, ସ୍ନିଗ୍ଧ ଓ ମୁକ୍ତ ପରିବେଶ ମଧ୍ୟରେ ଉତ୍ତମ ଶୈକ୍ଷିକ ଅନୁଭବ ପ୍ରଦାନର ଲକ୍ଷ୍ୟ ରଖାଯାଇଛି । ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଗବେଷଣା କରିବାର ବ୍ୟବସ୍ଥା ରହିବ । ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷାକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରିବା ପାଇଁ ଏକ ଅନନ୍ୟ ସୁଯୋଗ । ଓଡ଼ିଆ ଭାଷା ସମ୍ପର୍କରେ ଉଚ୍ଚତର ଶିକ୍ଷା ପ୍ରଦାନ ସହିତ ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ଉଚ୍ଚତର ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରାଯିବ । ସାରା ଦେଶରେ ଓଡ଼ିଆ ଜାତିର ସ୍ୱତନ୍ତ୍ରତା ଏବଂ ଓଡ଼ିଆ ଭାଷାର ମହନୀୟତା ସମ୍ପର୍କରେ ଏହା ଏକ ଉଦାହରଣ ସୃଷ୍ଟି କରିବ । ଏହି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନ ଶକ୍ତିର ପରିପୂର୍ଣ୍ଣ ବିକାଶ ସହିତ ଓଡ଼ିଆ ଭାଷାର ବ୍ୟାକରଣ, ଶବ୍ଦ ଭଣ୍ଡାର, କଥନ, ଲିଖନ ବିଷୟରେ ଉଚ୍ଚତର ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରିବ । ଡିଜାଇନ୍‌ ଅନୁମୋଦନ ବୈଠକକୁ ୫ଟି ସଚିବ ଭିକେ ପାଣ୍ଡିଆନ ସଞ୍ଚାଳନ କରିଥିଲେ । ବିଧାୟକ ଉମାକାନ୍ତ ସାମନ୍ତରାୟ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପିକେ ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ ।