ହାଇକୋର୍ଟ ସର୍ତ୍ତ: ଗାଁରେ ୧୦୦ ଚାରା ଲଗାଇବ ଅଭିଯୁକ୍ତ ।
ହାଇକୋର୍ଟ ସର୍ତ୍ତ: ଗାଁରେ ୧୦୦ ଚାରା ଲଗାଇବ ଅଭିଯୁକ୍ତ ।
admin
Jun 16, 2020 - 10:41
Updated: Jun 16, 2020 - 10:41
କଟକ:ଏକ ପ୍ରେମ ମାମଲାରେ ଝିଅ ତଥା ଝିଅର ପରିବାରକୁ ଆକ୍ରମଣ କରିଥିବା ଅଭିଯୋଗରେ ଗିରଫ ଯୁବକର ଜାମିନ ମଞ୍ଜୁର କରିବା ଅବସରରେ ହାଇକୋର୍ଟ ଏକ ଅଭିନବ ସର୍ତ୍ତ ରଖିଛନ୍ତି । ଆକ୍ରମଣକାରୀ ଜାମିନରେ ଛାଡ଼ ପାଇଲେ ମଧ୍ୟ ଗାଁରେ ୧୦୦ ଚାରା ରୋପଣ କରିବାକୁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି । ଅଭିଯୁକ୍ତ ନିଜ ଗାଁରେ ଏହି ୧୦୦ ଗଛ ଲଗାଇବ । ଏଥିପାଇଁ ଅଭିଯୁକ୍ତକୁ ହାଇକୋର୍ଟ ୩ ମାସ ସମୟ ଦେଇଛନ୍ତି । ଅଭିଯୁକ୍ତ ଗଛ ଲଗାଇଲା କି ନାହିଁ ତାହାର ପ୍ରମାଣ ସ୍ୱରୂପ ଫଟୋ ଉଠାଇ ସ୍ଥାନୀୟ ଥାନା ଅଧିକାରୀଙ୍କୁ ଦେବ । ଏହି ଫଟୋକୁ ଥାନା ଅଧିକାରୀ ବୌଦ୍ଧ ଏସଡିଜେଏମଙ୍କ ଅଦାଲତରେ ଦାଖଲ କରିବେ । ଏଥି ସହ ନିମ୍ନ ଅଦାଲତ ଅଭିଯୁକ୍ତକୁ ଜାମିନରେ ଛାଡ଼ିଲା ବେଳେ ଅନ୍ୟ ସର୍ତ୍ତାରୋପ କରିବେ ବୋଲି ମାନ୍ୟବର ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ବୌଦ୍ଧ ଥାନା ଅନ୍ତର୍ଗତ ମଧୁପୁର ଗ୍ରାମର ଶୁଭ୍ରାଂଶୁ ପ୍ରଧାନଙ୍କୁ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ.କେ.ପାଣିଗ୍ରାହୀ ଏହିଭଳି ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି । ଏଭଳି ସର୍ତ୍ତାରୋପ ଉଦାହରଣୀୟ ଓ ଅଭିଯୁକ୍ତକୁ ଭଲ ରାସ୍ତାକୁ ଫେରାଇ ଆଣିବା ପାଇଁ ଉଚିତ ଦଣ୍ଡ ତଥା ମାର୍ଗ ବୋଲି ଆଇନ ବିଶେଷଜ୍ଞ ମହଲରେ ମତ ପ୍ରକାଶ ପାଇଛି ।
ମାମଲାରୁ ଜଣାଯାଇଛି ଯେ, ଅଭିଯୁକ୍ତ ଶୁଭ୍ରାଂଶୁ ପ୍ରଧାନ ସେହି ଗ୍ରାମର ଜଣେ ଝିଅକୁ ଭଲ ପାଉଥିଲା । ଗତ ଜାନୁଆରୀ ୧ ତାରିଖ ରାତିରେ ଅଭିଯୁକ୍ତ ତାର କିଛି ସାଙ୍ଗଙ୍କ ସହ ଝିଅ ଘରକୁ ଯାଇ ସେମାନଙ୍କ ପରିବାରକୁ ଧମକ ଚମକ ଦେଇଥିଲା । ଝିଅ ବେକରେ ଛୁରୀ ଲଗାଇ ତା ସହ ଯିବାକୁ ବି ବାଧ୍ୟ କରିଥିଲା । ଏପରିକି ପରିବାର ଲୋକଙ୍କୁ ଧମକ ଚମକ ଦେଇ ଝିଅକୁ ବିବାହ କରିବା ପାଇଁ କହିଥିଲା । ଏହି ଘଟଣାକୁ ନେଇ ଝିଅର ବାପା ଥାନାରେ ଏତଲା ଦେଇଥିଲା । ଏତଲା ଆଧାରରେ ପୁଲିସ ଅଭିଯୁକ୍ତ ଶୁଭ୍ରାଂଶୁକୁ ଗିରଫ କରିଥିଲା । ନିମ୍ନ ଅଦାଲତରେ ଜାମିନ ଖାରଜ ପରେ ଶୁଭ୍ରାଂଶୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଆବେଦନକାରୀ ପକ୍ଷରୁ ଅଦାଲତରେ ଯୁକ୍ତି ଦର୍ଶାଯାଇଥିଳା ଯେ, ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି । ପରିବାର ଲୋକଙ୍କୁ ଆକ୍ରମଣ କଥା ଯାହା କୁହାଯାଉଛି ସମ୍ପୂର୍ଣ୍ଣ ଭୁଲ । ଅଭିଯୁକ୍ତ ଆକ୍ରମଣ କରିଥିବାର କାହାଠାରେ କୌଣସି ଆଘାତର ପ୍ରମାଣ ନାହିଁ । ତେଣୁ ଅଭିଯୁକ୍ତକୁ ଜାମିନରେ ଛାଡ଼ିବାକୁ ପ୍ରାର୍ଥନା କରାଯାଇଥିଲା । ହାଇକୋର୍ଟ ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ପକ୍ଷରୁ ଆଇନଜୀବୀ ଅମୂଲ୍ୟ ରତ୍ନ ପଣ୍ଡା ମାମଲା ପରିଚାଳନା କରୁଥିଲେ ।