ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ଦୀପକ ଚହର
ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ଦୀପକ ଚହର
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପର ଅଷ୍ଟମ ସଂସ୍କରଣ ଆରମ୍ଭ ହେବାକୁ ଥିବାବେଳେ ଭାରତୀୟ ଦଳର ଆହତ ସମସ୍ୟା ପିଛା ଛାଡୁନି। ପୂର୍ବରୁ ଆହତ ପାଇଁ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ବାଦ୍ ପଡିଥିଲେ। ଷ୍ଟାଣ୍ଡବାଇ ଖେଳାଳି ଦୀପକ ଚହର ଏବେ ଆହତ ହେବାରୁ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ପଡିଛନ୍ତି। ବୁମ୍ରା ଓ ଚହର ଟ୍ବେଣ୍ଟି୨୦ ବିଶ୍ବକପରୁ ବାଦ୍ ପଡିବାରୁ ଭାରତୀୟ ଦଳରେ ଦ୍ରୁତ ବୋଲର ମହମ୍ମଦ ସାମି, ମହମ୍ମଦ ସିରାଜ ଓ ସାର୍ଦୁଳ ଠାକୁର ଅଷ୍ଟ୍ରେଲିଆ ଯିବେ। କିନ୍ତୁ ଏହି ୩ ଜଣ ଖେଳାଳିଙ୍କ ମଧ୍ୟରୁ କିଏ ୧୫ଜଣିଆ ଦଳରେ ସ୍ଥାନ ପାଇବେ ସେ ନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରା ଯାଇନାହିଁ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି୨୦ ଶୃଙ୍ଖଳାରେ ଚହର ଆହତ ହୋଇଥିଲେ। ତାଙ୍କ ପିଠି ଯନ୍ତ୍ରଣା ହେବାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ମଧ୍ୟ ବାଦ୍ ପଡିଥିଲେ। ତାଙ୍କ ପିଠି ଯନ୍ତ୍ରଣା ସମସ୍ୟା ଗୁରୁତର ଥିବାରୁ ତାଙ୍କୁ ବେଙ୍ଗାଲୁରୁସ୍ଥ ଜାତୀୟ କ୍ରିକେଟ ଏକାଡେମୀକୁ ଚିକିତ୍ସା ଲାଗି ପଠା ଯାଇଥିଲା। ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ତାଙ୍କୁ ଟ୍ବେଣ୍ଟି୨୦ ଷ୍ଟାଣ୍ଡବାଇ ଦଳରୁ ବାଦ୍ ଦିଆଯାଇଛି। ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ଚହରଙ୍କ ପିଠି ଯନ୍ତ୍ରଣା ପୁଣି ଦେଖାଦେଇଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ କିିଛିଦିନ ଲାଗିବ। ବିସିସିଆଇ ବିଶ୍ବକପ ପାଇଁ ୩ ଜଣଙ୍କୁ ଅଷ୍ଟ୍ରେଲିଆ ପଠାଇବାକୁ ନିଷ୍ପତ୍ତି ନେଇଛି। ମହମ୍ମଦ ସାମି, ମହମ୍ମଦ ସିରାଜ ଓ ସାର୍ଦୁଳ ଠାକୁର ଅଷ୍ଟ୍ରେଲିଆ ଯିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ବଦଳ ଖେଳାଳି ନାମ ଘୋଷଣା କରିବାକୁ ବିସିସିଆଇ ନିକଟରେ ଅକ୍ଟୋବର ୧୫ ପର୍ୟ୍ୟନ୍ତ ସମୟ ରହିଛି। ଉପରୋକ୍ତ ୩ ଦ୍ରୁତ ବୋଲରଙ୍କ ଫିଟ୍ନେସ୍ ଯାଞ୍ଚ କରାଯିବ। ସେହି ଆଧାରରେ ବୁମରାଙ୍କ ବଦଳ ଖେଳାଳି ଭାବେ କିଏ ୧୫ ଜଣିଆ ଦଳରେ ସାମିଲ ହେବେ; ତାହାର ନିଷ୍ପତ୍ତି ନିଆଯିବ। ବୁମ୍ରାଙ୍କ ସ୍ଥାନ ନେବା ନେଇ ଏବେ ସିରାଜ୍ ଓ ସାମିଙ୍କ ଫିଟ୍ନେସ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ରହିବ। ତେବେ ବୁମ୍ରାଙ୍କ ସ୍ଥାନନେବା ଦୌଡ଼ରେ ମହମ୍ମଦ ସାମି ଆଗରେ ଅଛନ୍ତି।ସାର୍ଦୁଳ ଠାକୁର ଷ୍ଟାଣ୍ଡବାଇ ରହିବେ। ସେ ଦୀପକ ଚହରଙ୍କ ସ୍ଥାନରେ ଷ୍ଟାଣ୍ଡବାଇ ରହିବେ।