କୋର୍ଟରେ ହାଜଲ ହେଲେନି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ
କୋର୍ଟରେ ହାଜଲ ହେଲେନି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ
admin
Aug 8, 2019 - 06:13
Updated: Aug 8, 2019 - 06:13
ଭୁବନେଶ୍ୱର : ଦୁଇଟି ପୁରୁଣା ଆପରାଧିକ ମାମଲାରେ ଛନ୍ଦି ହୋଇ ପଡ଼ିଥିବା ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ପାଇଁ ଅଢ଼ୁଆ ବଢ଼ିଛି । ଲୋକ ପ୍ରତିନିଧିଙ୍କ ପାଇଁ ସ୍ୱତନ୍ତ୍ର କୋର୍ଟ ତଥା ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍ (୩)ଙ୍କ କୋର୍ଟରେ ଆଜି ତାଙ୍କର ହାଜର ହେବା ପାଇଁ ତାରିଖ ରହିଥିଲେ ମଧ୍ୟ ସେ ଆସିନାହାନ୍ତି । ଲୋକ ପ୍ରତିନିଧି ଭାବରେ ଦାୟିତ୍ୱ ବଢ଼ିଥିବାରୁ ଓକିଲଙ୍କ ଜରିଆରେ ସେ କୋର୍ଟକୁ ସମୟ ମାଗିଛନ୍ତି । କୋର୍ଟ ପରବର୍ତ୍ତୀ ଶୁଣାଣୀ ପାଇଁ ସେପ୍ଟେମ୍ବର ୯ ତାରିଖକୁ ଧାର୍ଯ୍ୟ କରିଛନ୍ତି । ଏହି ମାମଲାରେ ଗତ ଜୁଲାଇ ୧୫ ତାରିଖରେ ହାଜର ହେବା ପାଇଁ ଶ୍ରୀ ଷଡଙ୍ଗୀଙ୍କୁ ସମନ ହୋଇଥିଲା । ହେଲେ ସେ ଲୋକସଭା ଚାଲିଥିବା ଦର୍ଶାଇ ସମୟ ମାଗିଥିଲେ । ତାଙ୍କ ଆବେଦନକୁ ଆଧାର କରି ଆଜି ଶୁଣାଣି ପାଇଁ ତାରିଖ ସ୍ଥିର ହୋଇଥିଲା ।
ସୂଚନା ମୁତାବକ ୨୦୦୪ ମସିହାରେ ବାଲେଶ୍ୱର ଜିଲ୍ଲା ଗୋପୀନାଥପୁରରେ ଏକ ବିବାଦ ହୋଇଥିଲା । ସେଠାରେ ଏକ ଗୋଷ୍ଠୀ ପୋଡ଼ାଜଳା କରିଥିଲେ । ପୋଡ଼ାଜଳାରେ ଆଦିବାସୀ ଠାକୁରଙ୍କ ମୂର୍ତ୍ତି ପୋଡ଼ି ଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏତଲାରେ ଶ୍ରୀ ଷଡଙ୍ଗୀଙ୍କ ନାମ ରହିଥିଲା । ସେହିପରି ୨୦୧୧ ମସିହାରେ ଏକ ମନ୍ଦିର ଟ୍ରଷ୍ଟ କାର୍ଯ୍ୟକ୍ରମରେ ସେ ଆଦିବାସୀ ବିରୋଧୀ ମନ୍ତବ୍ୟ ଦେଇଥିବା ନେଇ ନୀଳଗିରି ଥାନାରେ ଏତଲା ହୋଇଥିଲା । ଏହି ଦୁଇ ଏତଲାକୁ ଆଧାର କରି ବାଲେଶ୍ୱର କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା । ଏବେ ଅଧିକୃତ କୋର୍ଟରେ ଲୋକପ୍ରତିନିଧିଙ୍କ ମାମଲାର ଶୁଣାଣି ହେବା ପାଇଁ ନିଷ୍ପତ୍ତି ହେବାରୁ ଭୁବନେଶ୍ୱର ଏଡିଜେ-୩ କୋର୍ଟକୁ ଉଭୟ ମାମଲା ସ୍ଥାନାନ୍ତର ହୋଇଛି । ଏହି ମାମଲାରେ ଅନ୍ୟ ଦୁଇଜଣ ଅଭିଯୁକ୍ତ କୋର୍ଟରେ ହାଜର ହୋଇ ସାରିଥିବା ବେଳେ ଶ୍ରୀ ଷଡଙ୍ଗୀଙ୍କୁ ହିଁ ହାଜର ହେବାକୁ ରହିଛି । ତେବେ କେବଳ ଏହି ଦୁଇଟି ମାମଲା ନୁହେଁ, ନାମାଙ୍କନ ପତ୍ର ଦାଖଲ କେବଳ ସତ୍ୟପାଠ ମୁତାବକ ତାଙ୍କ ନାମରେ ୭ଟି ମାମଲା ବିଚାରାଧୀନ ରହିଛି ।