ବିରୋଧୀ ଦଳ ନେତା ନହେବାରୁ ଦୁଃଖ ପ୍ରକାଶ କଲେ ଜୟନାରାୟଣ

ବିରୋଧୀ ଦଳ ନେତା ନହେବାରୁ ଦୁଃଖ ପ୍ରକାଶ କଲେ ଜୟନାରାୟଣ

 ବିରୋଧୀ ଦଳ ନେତା ନହେବାରୁ  ଦୁଃଖ ପ୍ରକାଶ କଲେ ଜୟନାରାୟଣ
ଭୁବନେଶ୍ୱର: ବିଧାନସଭାରେ ବିରୋଧୀ ଦଳ ନେତା ନହେବାର କ୍ଷୋଭ ଫିଟାଇଛନ୍ତି ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର । ଗଣମାଧ୍ୟମ ସାମ୍ନାରେ ଶ୍ରୀ ମିଶ୍ର ନିଜ ମନର କ୍ଷୋଭକୁ ଜଣାଇଛନ୍ତି । ସେ କହିଛନ୍ତି ଯେ, ବିରୋଧୀ ନେତା ପାଇଁ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ସବୁ ବିଧାୟକ ଜଣଙ୍କ ନାମ କହିଥିଲେ । ସମସ୍ତେ ମୋର ନାମ ହିଁ କହିଥିବା ନେଇ ମୋତେ କହିଥିଲେ । ତେବେ ପରବର୍ତ୍ତୀ ଅବସ୍ଥାରେ କଣ ହେଲା କେଜାଣି । ମୋ ନାମକୁ କାହିଁକି ପରିବର୍ତ୍ତନ କରାଗଲା ସେ କଥା ମୁଁ ଜାଣିନି । ଏନେଇ କେନ୍ଦ୍ରୀୟ ନେତୃତ୍ୱ କହିବେ । ଦଳ କହିବା ଅନୁଯାୟୀ ୧ ମାସ ଧରି ମୁଁ ସେ ଭୂମିକାରେ ରହିଥିଲି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି । ତେବେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ପାଇଁ ସେ ବଳିପଡ଼ିଲେ ବୋଲି କି ପ୍ରଶ୍ନରେ ଶ୍ରୀ ମିଶ୍ର ‘ହଁ ହୋଇଥାଇପାରେ’ ବୋଲି କହିଛନ୍ତି । ପ୍ରକାଶ ଯେ, ବିରୋଧୀ ଦଳ ନେତା ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ । ରାଜନୀତି ବିଜ୍ଞାନ ଭାଷାରେ ଛାୟା ମନ୍ତ୍ରୀମଣ୍ଡଳର ସେ ପ୍ରମୁଖ ସଦସ୍ୟ । ବିଶେଷକରି ବିଧାନସଭା ଅଧିବେଶନ କାଳରେ ବିରୋଧୀ ଦଳ ନେତାଙ୍କ ବହୁ କ୍ଷମତା ରହିଛି । ସେ ଯେତେବେଳେ କହିବାକୁ ଚାହିଁବେ ବାଚସ୍ପତି ତାଙ୍କୁ ସୁଯୋଗ ଦେବାର ବିଧି ରହିଛି । ଅର୍ଥାତ୍ ବିରୋଧୀ ଦଳ ନେତା ପଦବୀ କେବଳ କ୍ଷମତା ବା ପଦମର୍ଯ୍ୟାଦା ଭିତରେ ସୀମିତ ନୁହେଁ ବରଂ ବିଧାନସଭାରେ ବିରୋଧୀ ଦଳର ପ୍ରଦର୍ଶନ କିଭଳି ରହିବ ତାହା ତାଙ୍କ ଉପରେ ହିଁ ନିର୍ଭର କରିଥାଏ । ବିଧାନସଭାର ପରିଚାଳନାଠାରୁ ନେଇ ସମସ୍ତ ବିଭାଗ ଉପରେ ତାଙ୍କର ଟିକିନିଖି ଧାରଣା ରହିବାର ମଧ୍ୟ ଆବଶ୍ୟକତା ରହିଛି ।