ଶୁଭେନ୍ଦୁଙ୍କୁ ଚିହ୍ନି ନପାରିବା ମୋର ବଡ଼ ବୋକାମୀ: ମମତା
ଶୁଭେନ୍ଦୁଙ୍କୁ ଚିହ୍ନି ନପାରିବା ମୋର ବଡ଼ ବୋକାମୀ: ମମତା
admin
Mar 22, 2021 - 09:39
Updated: Mar 22, 2021 - 09:39
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ଦଳୀୟ ଶୋଭାଯାତ୍ରାରେ ନିଜର ପୂର୍ବତନ ସହଯୋଗୀ ତଥା ବର୍ତ୍ତମାନର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ପୂର୍ବ ମେଦିନୀପୁରର ଦକ୍ଷିଣ କୋନଟାଇରେ ଟିଏମସିର ଶୋଭାଯାତ୍ରାକୁ ସମ୍ବୋଧନ କରି ମମତା କହିଛନ୍ତି ଯେ ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ପରିବାର ଲୋକଙ୍କ ଅସଲ ମୁହଁକୁ ଚିହ୍ନି ନ ପାରିବା ମୋର ବଡ଼ ବୋକାମୀ । ତେଣୁ ମୁଁ ‘ମୁଁ ଏକ ବଡ଼ ଗଧ’ । ଶୁଭେନ୍ଦୁ ସମବାୟ ବ୍ୟାଙ୍କ ଓ ଅନ୍ୟାନ୍ୟ ସରକାରୀ ବୋର୍ଡର ଅଧ୍ୟକ୍ଷ ଥିବା ସମୟରେ ତାଙ୍କ ପରିବାର ଲୋକ ୫୦୦୦ କୋଟି ଟଙ୍କା ଜମା ଆତ୍ମାସାତ କରିଥିବା ଏବେ ଶୁଣିବାକୁ ମିଳୁଛି । ଏହି ଟଙ୍କାରେ ଏବେ ସେମାନେ ଭୋଟ କିଣିବେ । ମାତ୍ର ଏହି ପ୍ରତାରକଙ୍କୁ ଭୋଟ ନ ଦେବାକୁ ମମତା ନିବେଦନ କରିଛନ୍ତି । ରାଜ୍ୟରେ ତୃଣମୂଳ କଂଗ୍ରେସ ସରକାର କ୍ଷମତା ବଜାୟ ରଖିଲେ ଅଧିକାରୀଙ୍କ ପିରବାର ଆତ୍ମସାତ କରିଥିବା ଅର୍ଥର ତଦନ୍ତ କରାଯିବ । ଶୁଭେନ୍ଦୁ ଓ ତାଙ୍କ ପରିବାର ଲୋକଙ୍କୁ ସେ ବହୁତ ସମ୍ମାନ କରୁଥିଲେ ମାତ୍ର ସେମାନେ ଏତେବଡ଼ ପ୍ରତାରକ ହୋଇପାରିବେ ବୋଲି ବିଶ୍ୱାସ ନଥିଲା । ଶୁଭେନ୍ଦୁଙ୍କୁ ‘ମୀରଜାଫର’ଙ୍କ ସହିତ ମମତା ତୁଳନା କରିବା ସହିତ ଏପରି ‘ଧୋକାବାଜ’କୁ ଭୋଟ ନ ଦେବାକୁ କହିଛନ୍ତି । ମମତାଙ୍କ ଘନିଷ୍ଠ ସହଯୋଗୀ ଥିବା ଶୁଭେନ୍ଦୁ ଅଧିକାରୀ ବିଜେପିରେ ଯୋଗ ଦେବା ସହିତ ନନ୍ଦିଗ୍ରାମ ଆସନରେ ମମତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି । ଏହା ସହିତ ଶୁଭେନ୍ଦୁଙ୍କ ପିତା ଶିଶିର ଅଧିକାରୀ ମଧ୍ୟ ରବିବାର ବିଜେପିରେ ଯୋଗ ଦେଇଛନ୍ତି ।