ମିଚେଲ ମାର୍ଶଙ୍କ ବିରୋଧରେ ମାମଲା ରୁଜୁ

ମିଚେଲ ମାର୍ଶଙ୍କ ବିରୋଧରେ ମାମଲା ରୁଜୁ

ଲକ୍ଷ୍ନୌ: ବିଶ୍ବକପ ଟ୍ରଫି ଉପରେ ଗୋଡ ରଖି ଫଟୋ ଉଠାଇବା ଘଟଣା । ଅଷ୍ଟ୍ରେଲିଆ କ୍ରିକେଟର ମିଚେଲ ମାର୍ଶଙ୍କ ବିରୋଧରେ ଉତ୍ତରପ୍ରଦେଶ ଅଲିଗଡରେ ଏକ ମାମଲା ରୁଜୁ ହୋଇଛି । ବିଶ୍ବକପକୁ ଅସମ୍ମାନ କରିଥିବାରୁ ମାର୍ଶଙ୍କ ବିରୋଧରେ ଅଲିଗଡର ପଣ୍ଡିତ କେଶବ ନାମକ ଜଣେ ଆରଟିଆଇ କର୍ମକର୍ତ୍ତା ମାମଲା ଦାୟର କରିଛନ୍ତି । ମାର୍ଶଙ୍କୁ ବାସନ୍ଦ କରିବାକୁ ସେ ଅପିଲ କରିଛନ୍ତି । ସେ ଟ୍ରଫି ଉପରେ ଗୋଡ ରଖି ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ଅପମାନ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପତ୍ରର ଏକ କପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ପଠାଇଛନ୍ତି ପଣ୍ଡିତ କେଶବ । ଅଷ୍ଟ୍ରେଲିଆ କ୍ରିକେଟର ମିଚେଲ ମାର୍ଶଙ୍କୁ ଭାରତରେ ଖେଳିବାକୁ ଅନୁମତି ନଦେବା ପାଇଁ ସେ ଅନୁରୋଧ କରିଛନ୍ତି । ଏହି ଘଟଣାରେ ପୋଲିସ ମଧ୍ୟ ମିଚେଲ ମାର୍ଶଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି । 
ମହମ୍ମଦ ଶାମି ମଧ୍ୟ ମିଚେଲ ମାର୍ଶ ଫଟୋକୁ ନାପନ୍ଦ କରି କହିଛନ୍ତି ଯେ, ଏପରି ଆଚରଣ ମୋତେ ଆଘାତ ଦେଇଛି । ଯେଉଁ ଟ୍ରଫି ପାଇଁ ବିଶ୍ବର ସମସ୍ତ ଦଳ ଲଢେଇ କରୁଛନ୍ତି ଓ ଟ୍ରଫିକୁ ମୁଣ୍ଡରେ ରଖିବାକୁ ଚାହୁଁଛନ୍ତି, ସେହି ଟ୍ରଫି ଉପରେ ଗୋଡ ରଖିବା ମୋତେ ଦୁଃଖିତ କରିଛି । ବିଶ୍ବକପ୍‌ ୨୦୨୩ ଫାଇନାଲ୍‌ ମ୍ୟାଚ୍‌ରେ ଭାରତକୁ ହରାଇ ଟ୍ରଫି ହାତେଇଥିଲା ଅଷ୍ଟ୍ରେଲିଆ । ହେଲେ ବିଜୟ ଉତ୍ସବ ପରେ ଅଷ୍ଟ୍ରେଲିଆ ଖେଳାଳି ବିଶ୍ବକପ ଟ୍ରଫିକୁ ଗୋଡ ତଳେ ରଖିଥିବା ଫଟୋ ଉଠାଇଥିଲେ । ଯାହା ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଚମ୍ପିଆନ୍‌ ହେବାପରେ ଅଷ୍ଟ୍ରେଲୀୟ ଖେଳାଳି ମିଚେଲ୍‌ ମାର୍ଶଙ୍କ ଏପରି ବ୍ୟବହାରକୁ ସାମାଜିକ ଗଣମାଧ୍ୟମରେ ଖୁବ୍ ଟ୍ରୋଲ୍ କରାଯାଇଥିଲା । ଏଭଳି ଫଟୋକୁ ପ୍ରଥମେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରିଥିଲେ । ପରେ ସୋସିଆଲ ମିଡିଆରେ ଏହା ଭାଇରାଲ୍ ହୋଇଥିଲା । ପ୍ରତିଟି ଭାରତୀୟ ମିଚେଲ ମାର୍ଶଙ୍କ ଏପରି ବ୍ୟବହାରକୁ ନାପସନ୍ଦ କରିଥିଲେ । ମିଚେଲ ମାର୍ଶଙ୍କୁ ଚାରିଆଡୁ ସମାଲୋଚନା କରାଯାଇଥିଲା ।