ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନ୍ୟୁଜ ପୋର୍ଟାଲ ଓଡ଼ିଶା ଭାସ୍କର ବିରୋଧରେ ଏତଲା ଦରଜ ଓଡ଼ିଶା ଭାସ୍କର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନ୍ୟୁଜ ପୋର୍ଟାଲ ଓଡ଼ିଶା ଭାସ୍କର ବିରୋଧରେ ଏତଲା ଦରଜ ଓଡ଼ିଶା ଭାସ୍କର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର : ଗାନ୍ଧୀ ପରିବାର ବିରୁଦ୍ଧରେ କୁତ୍ସାର ରଟନା କରି ନିରାଧାର ସମ୍ବାଦ ପରିବେଷଣ କରିଥିବା ଓଡ଼ିଶା ଭାସ୍କର ନ୍ୟୁଜ ପୋର୍ଟାଲ ବିରୁଦ୍ଧରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ମଂଚେଶ୍ୱର ଥାନାରେ ଏତଲା ଦରଜ କରିବା ସହ ମଂଚେଶ୍ୱର ଶିଳ୍ପାଂଚଳରେ ଅବସ୍ଥିତ ଓଡ଼ିଶା ଭାସ୍କର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା । ଏହି କାର୍ଯ୍ୟାଳୟକୁ ଘେରାଉ କରି ରଖାଯାଇଥିବାବେଳେ ପୋଲିସ୍ ପହଂଚି ୟାସିର ନୱାଜ ସହ ଅନ୍ୟାନ୍ୟ ଛାତ୍ର କଂଗ୍ରେସର କର୍ମକର୍ତାମାନଙ୍କୁ ଜୋର ଜବରଦସ୍ତ କରି ଉଠାଇନେଇଥିଲେ । ଛାତ୍ର କଂଗ୍ରେସ ପକ୍ଷରୁ ଭାସ୍କର କାର୍ଯ୍ୟାଳୟ ଉପରକୁ କାଳି ମାଡ କରାଯାଇଥିଲା । ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନିମ୍ନ ଏତଲା ମଂଚେଶ୍ୱର ଥାନାରେ ଦାଖଲ କରାଯାଇଛି –
ଏତଲା
ନିବେଦନର ଅଭିପ୍ରାୟ ଏହି କି ଯେ, ଆମ୍ଭେ ପ୍ରଦେଶ ଛାତ୍ର କଂଗ୍ରେସ (ଏନ୍.ଏସ୍.ୟୁ.ଆଇ) ର କର୍ମକର୍ତା ଅଟୁ । ଏହା ଭାରତୀୟ ଜାତୀୟ କଂଗ୍ରେସର ଏକ ଛାମୁଆ ସଂଗଠନ । ଆମେ କଂଗ୍ରେସର ଆଦର୍ଶରେ ଅନୁପ୍ରାଣିତ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି କି ଯେ, ଓଡ଼ିଶା ଭାସ୍କର ନାମକ ଏକ ନ୍ୟୁଜ ପୋର୍ଟାଲ କଂଗ୍ରେସର ଦିଗଙ୍ଗତ ନେତା, ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ନାମରେ ମିଥ୍ୟା, କପୋଳକଳ୍ପିତ ଓ ଉଦେଶ୍ୟ ପ୍ରଣୋଦିତ ଖବର ଜାଣିଶୁଣି ପ୍ରସାରଣ କରିଛି ।
ଏହି ନ୍ୟୁଜ ପୋର୍ଟାଲ କଂଗ୍ରେସ ଦଳକୁ ବଦନାମ ଓ ଅପମାନିତ କରିବା ପାଇଁ ଚକ୍ରାନ୍ତ କରିଛି । ଏହି ପୋର୍ଟାଲ ଜାତିର ଜନକ ମହାତ୍ମାଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହାନ ସ୍ୱାଧିନତା ସଂଗ୍ରାମୀ ପଣ୍ଡିତ ଜବାହାରଲାଲ ନେହୁରୁ ତାଙ୍କର ସହଧର୍ମିଣୀ କମଳା ନେହୁରୁ ଓ ବିଶେଷ କରି ଲୌହ ମାନବୀ ଓ ନାରୀ ଶକ୍ତିର ପ୍ରେରଣାର ଉତ୍ସ, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କର ଚରିତ୍ର ସଂହାର କରିଛି । ଏଥିରେ ଆମେ ଦୁଃଖିତ, ମର୍ମାହତ ଓ ଅପମାନିତ । ମୃତ୍ୟୁର ୪୦ ବର୍ଷ ପରେ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କର ଚରିତ୍ରକୁ ଯେପରି ଭାବରେ ଏହି ପୋର୍ଟାଲରେ ଚିତ୍ରଣ କରାଯାଇଛି, ତାହା ଆମ ମାନଙ୍କୁ ଅତ୍ୟନ୍ତ ମର୍ମାହତ କରିଛି । ଏ ସବୁ କାହାଣୀ ମନଗଢ଼ା ଏବଂ କଂଗ୍ରେସ ଦଳ ଓ ଏହାର ଆଦର୍ଶମୟ ନେତୃବର୍ଗ ତଥା ଏ ଦେଶକୁ ସ୍ୱାଧୀନତା ଦେଇଥିବା ମହାନ ନେତୃବର୍ଗଙ୍କୁ ଜାଣିଶୁଣି ଏଭଳି ଅପମାନିତ କରିବା ଏବଂ ତାଙ୍କ ନାମରେ କୁତ୍ସାରଟନା କରିବା ଅସହ୍ୟ ଅଟେ । ଏହି ଖବରର ଆଧାର କିଛି ନାହିଁ । ଏଥିରେ କମଳା ନେହୁରୁଙ୍କ ଚରିତ୍ର ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ସହ ଇନ୍ଦିରା ଗାନ୍ଧୀଙ୍କୁ ଅବୈଧ୍ୟ ସନ୍ତାନ ବୋଲି କୁହାଯାଇଛି । ଏପରି କି ସଞ୍ଜୟ ଗାନ୍ଧୀଙ୍କୁ ମଧ୍ୟ ଅବୈଧ ସନ୍ତାନ ବୋଲି କୁହାଯାଇଛି । ପଣ୍ଡିତ ନେହୁରୁଙ୍କ ନାମରେ ମଧ୍ୟ କୁତ୍ସା ରଟନା କରାଯାଇଛି । ଧର୍ମ ପରିବର୍ତନର ମିଥ୍ୟା କାହାଣୀ ମଧ୍ୟ ବର୍ଣ୍ଣନା କରାଯାଇଛି । ଏଥିରେ ଆମର ମାନହାନି ହୋଇଛି । ଯେଉଁ ଇନ୍ଦିରା ଗାନ୍ଧୀ ଦେଶ ପାଇଁ ବଳିଦାନ ଦେଇଛନ୍ତି ତାଙ୍କୁ ଏହି ନ୍ୟୁଜ ସଂସ୍ଥା ଯେଉଁଭଳି ଭାବରେ ଚିତ୍ରଣ କରିଛି ତାହା କେବଳ ଆମ ପାଇଁ ନୁହେଁ ଏ ଦେଶ ପାଇଁ ଏକ ଦୁଃଖ ଦାୟକ ଘଟଣା ।
ଏଥିରେ ମୁସଲମାନ ସଂପ୍ରଦାୟକଙ୍କ ପ୍ରତି ମଧ୍ୟ ଅପମାନ ସୂଚକ ମନ୍ତବ୍ୟ ରହିଛି । ସେଥିରେ ନିର୍ଦ୍ଧିଷ୍ଟ ଭାବରେ କୁହାଯାଇଛି ଯେ, ମୁସଲମାନମାନେ ଖରାପ ଚିନ୍ତାଧାରା ରଖିଥାନ୍ତି । ଏହି ପୋର୍ଟାଲର ଉଦ୍ୟେଶ ଭାରତର ଧର୍ମ ନିରିପେକ୍ଷତାକୁ ଆଘାତ ଦେବା ସହ ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟର ଧର୍ମୀୟ ଭାବନାକୁ ଆକ୍ରମଣ କରିବେ । ଏଥିରେ ଜାତି ଜାତି ମଧ୍ୟରେ ଦଙ୍ଗା ସୃଷ୍ଟି ପାଇଁ ମଧ୍ୟ ଉସୁକେଇବାକୁ ଷଡ଼ଯନ୍ତ୍ର ରହିଛି । ଏହାକୁ ରାଜଦ୍ରୋହ ଭାବେ ମଧ୍ୟ ନିଶ୍ଚିତ ରୁପେ ଗ୍ରହଣ କରାଯିବ ।
ଏଭଳି ସମାଜ ବିରୋଧରେ କାର୍ଯ୍ୟକରୁଥିବା ଏବଂ ଦଙ୍ଗା ସୃଷ୍ଟି କରିବା ପାଇଁ ଉଦ୍ୟେଶ ରଖିଥିବା ନ୍ୟୁଜ୍ ପୋର୍ଟାଲ ଓଡ଼ିଶା ଭାସ୍କରଙ୍କୁ ବନ୍ଦ କରିବା ସହ ଏହାର ମାଲିକ, ସମ୍ପାଦକ ଓ ନ୍ୟୁଜ ପଢ଼ୁଥିବା ସାମ୍ବାଦିକଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ ଏମାନଙ୍କ ବିରୋଧିରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଛାତ୍ର କଂଗ୍ରେସ ଦାବୀ କରିଛି । ଆଜିର କାର୍ଯ୍ୟକ୍ରମରେ ପିସିସିର ସାଧାରଣ ସମପାଦକ ପ୍ରକାଶ ମିଶ୍ର, ଚିନ୍ନୟ ସୁନ୍ଦର ଦାସ, ମନୋଜ ବିଶ୍ୱାଳ ଓ ପ୍ରଣତି ମିଶ୍ର, ରଞ୍ଜିତ ପାତ୍ର, ନଳୀନକାନ୍ତ ନାୟକ, ମହମ୍ମଦ ଗୁଲ୍ଫାନ, ସାଗର ପଟ୍ଟନାୟକ, ପ୍ରଭାତ ପ୍ରତାପ ସିଂ, ଶ୍ରୀଧର ବଳିଆର ସିଂ, ମିହିର ଆଚାର୍ଯ୍ୟ, ଶ୍ରେୟାଶ୍ମିତା ପଣ୍ଡା, ସୁରଜ ରାଉତ, ଉଦିତ୍ ପ୍ରଧାନ, ନିତେଶ ରଞ୍ଜନ ବେହେରା, ସମୀର ରାଉତ, ମୁନା ପରିଡ଼ା, ଚିତରଞ୍ଜନ ନାୟକ, ଅମୀତ କୁମାର ନାୟକ, ପଦ୍ମନାଭ ପଣ୍ଡା, ସନ୍ତୋଷ ପ୍ରହରାଜ, ସେକ୍ ଆଜମ୍ ଅଲ୍ଲୀ, ରାଜେଶ ଦାସ ଓ ସଭାଶିଷ ମହାନ୍ତି ପ୍ରମୁଖ ବହୁ ଛାତ୍ର କଂଗ୍ରେସ କର୍ମକର୍ତା ଅଂଶ ଗ୍ରହଣ କରିଥିଲେ ।