ଶ୍ରୀମନ୍ଦିର : ଭାଙ୍ଗିଗଲାଣି ଘଣ୍ଟିଦ୍ବାର

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବାଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବାପରେ କିଛିଦିନ ତଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ଝୁଲା ବ୍ୟବସ୍ଥା କରାଇବା ନେଇ ନିଷ୍ପତ୍ତି ହୋଇଛି।
ଦିବ୍ୟାଙ୍ଗମାନେ ଉତ୍ତରଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ ଘଣ୍ଟିଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯିବେ। ସେଠାରୁ ବାହାର କାଠ ଓ ଭିତର କାଠ ମଝିରେ ଜୟ ବିଜୟ ଦ୍ବାରରୁ ଦର୍ଶନ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ମାତ୍ର, ଘଣ୍ଟିଦ୍ବାର ଉପରୁ ପଲସ୍ତରା ଖସିଯାଇଥିବାରୁ ଏବଂ କିଛି ଅଂଶରେ ଫାଟ ରହିଥିବାରୁ ଏହାକୁ ମରାମତି କରିବା ନେଇ ଗୁରୁତ୍ବ ଦିଆଯାଇ ନାହିଁ। ଏ ସମସ୍ୟା ବହୁଦିନର ହୋଇଥିଲେ ସୁଦ୍ଧା ଏହାକୁ ନଜର ଅନ୍ଦାଜ କରାଯାଇଛି।
ଅନ୍ୟପକ୍ଷରେ, ଘଣ୍ଟିଦ୍ବାର କେବଳ ସୀମିତ ଭକ୍ତ ଓ ସେବକଙ୍କ ପ୍ରବେଶ ଲାଗି ଉଦ୍ଦିଷ୍ଟ ହୋଇଥିବାରୁ ଏହା ଅନ୍ୟ ଦ୍ବାର ଅପେକ୍ଷା ଛୋଟ। ତେବେ, ତୁରନ୍ତ ମରାମତି ନକରିବାରୁ ଲୁହା ବିମ୍ରେ ମଧ୍ୟ କଳଙ୍କି ଲାଗି ଝଡ଼ୁଥିବାରୁ ଏହା ଦୁର୍ବଳ ହେଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଘଣ୍ଟିଦ୍ବାରର ଡାହାଣ ପାର୍ଶ୍ବ ଉପରି ଭାଗରୁ ପଲସ୍ତରା ଖସି ଯାଇ ଲୁହା ବିମ୍ ଦେଖାଯାଉଛି। ଏହାର ପ୍ରଭାବରେ ପାର୍ଶ୍ବବର୍ତ୍ତୀ ସ୍ଥାନମାନଙ୍କରେ ଫାଟ ସୃଷ୍ଟି ହୋଇଛି।
କିଛିଦିନ ତଳେ ଶ୍ରୀମନ୍ଦିରର ନାଟମଣ୍ଡପରେ ଫାଟ ଦେଖିବାକୁ ମିଳିଥିଲା। ପରେ ଜୟ ବିଜୟ ଦ୍ବାର ଓ ବେହରଣ ଦ୍ବାରରେ ମଧ୍ୟ ଫାଟ ସୃଷ୍ଟି ହୋଇଥିଲା। ନାଟମଣ୍ଡପରେ କ୍ରାକ୍ ମିଟର ଲଗାଇ ଫାଟ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି। ଆଇଆଇଟି ଖଡ଼ଗପୁର ପକ୍ଷରୁ କ୍ରାକ୍ ମିଟର ଜରିଆରେ ନାଟମଣ୍ଡପ ଫାଟର ତୀବ୍ରତା ଅନୁଧ୍ୟାନ କରାଯାଉଛି।