ସରକାର ଗଢ଼ିଲେ ସମସ୍ତ ଭୂମିହୀନଙ୍କୁ ଭୂମି ଓ ବାସଗୃହ ଯୋଗାଇ ଦିଆଯିବ

ସରକାର ଗଢ଼ିଲେ ସମସ୍ତ ଭୂମିହୀନଙ୍କୁ ଭୂମି ଓ ବାସଗୃହ ଯୋଗାଇ ଦିଆଯିବ

କଂଗ୍ରେସ ରାଜ୍ୟରେ ସରକାର ଗଢ଼ିଲେ, ରାଜ୍ୟରେ ଥିବା ସମସ୍ତ ଭୂମିହୀନ ଦଳିତ ଓ ଆଦିବାସୀମାନଙ୍କୁ ଜମି ଯୋଗାଇଦେବା ସହିତ ବାସଗୃହ ମଧ୍ୟ ଯୋଗାଇଦିଆଯିବ । ଆବଶ୍ୟକସ୍ଥଳେ ସରକାର ଆର୍ଥିକ ଅନଗ୍ରସର ପରିବାର ପାଇଁ ଜମି କିଣି ଯୋଗାଇଦେବେ ।  ଅନୁସୂଚିତ ଜାତି ବର୍ଗର ଲୋକମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନର କମିଶନ ଗଠନ କରାଯିବ । ଆର୍ଥିକ ବିକାଶ ପାଇଁ ଅନୁସୂଚିତ ଜାତି ଅର୍ଥ ନିଗମକୁ କ୍ରିୟାଶିଳ କରାଯାଇ, ଋଣ ପ୍ରଦାନ ସୁବିଧା କରାଯିବ ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ବେହେରା ସୂଚନା ଦେଇଛନ୍ତି । ସରକାର ଗଢ଼ିବାର ୧୦୦ ଦିନ ମଧ୍ୟରେ ପେସା ଆଇନ୍ର ନିୟମ ପ୍ରଣୟନ କରାଯାଇ ଲାଗୁ କରାଯିବ । ୧୦୦ଦିନ ମଧ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କନାମରେ ୫ବର୍ଷରୁ ଉଦ୍ଧ୍ୱର୍ ପଡ଼ି ରହିଥିବା ସମସ୍ତ ଫୌଜଦାରୀ ମକଦ୍ଦମା ଓ ଜମିଜମା ମକଦ୍ଦମାକୁ ପ୍ରତ୍ୟାହାର କରିନିଆଯିବ । ସମସ୍ତ ଆଦିବାସି ଗୋଷ୍ଠି ଓ ପରିବାରକୁ ଜଙ୍ଗଲ, ଜମି ଅଧିକାର ପ୍ରଦାନ କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି । ପ୍ରତ୍ୟେକ ଗ୍ରାମକୁ ନିଶାମୁକ୍ତ ହେବାର ପ୍ରମାଣ ମିଳିଲେ ସେହି ଗାଁଟି ପୁରସ୍କୃତ ହେବା ସହିତ ଗ୍ରାମ୍ୟ କମିଟିର ଇଚ୍ଛା ମୁତାବକ ସେହି  ଗାଁରେ ବର୍ଷକୁ ୧୦ଲକ୍ଷ ଟଙ୍କା ଗ୍ରାମର ବିକାଶ ପାଇଁ ଖର୍ଚ୍ଚ ହେବ । ପ୍ରତି ମହିଳାମାନଙ୍କୁ ବର୍ଷକୁ ୧ଲକ୍ଷ ଟଙ୍କା ଦିଆଯିବ । ବେକାର ଦଳିତ ଆଦିବାସୀ ଯୁବକ ଯୁବତୀଙ୍କୁ ମାସିକ ୩୦୦୦ ହଜାର ଟଙ୍କା ଭତା ପ୍ରଦାନ କରାଯିବ । ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଦଳିତ ଓ ଆଦିବାସୀ ଘରର ମୁଖ୍ୟ ମହିଳାଙ୍କୁ ମାସିକ ଭତା ୩୦୦୦ ଟଙ୍କା ପ୍ରଦାନ କରାଯିବ । ଅନୁସୂଚିତ ଜାତି ଜନଜାତି ପାଇଁ ଉଦ୍ଧିଷ୍ଟ ଖାଲି ପଡ଼ିଥିବା ସରକାରୀ ଚାକିରୀ ପଦବୀ ଗୁଡିକୁ ସ୍ୱତନ୍ତ୍ର ନିଯୁକ୍ତି କାର୍ଯ୍ୟକ୍ରମ ଜରିଆରେ ପୂରଣ କରାଯିବ । ଦଳିତ ଆଦିବାସୀମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇବା ସହିତ ଶିକ୍ଷା କ୍ଷେତ୍ରରେ ଓ ଚାକିରୀ କ୍ଷେତ୍ରରେ ଆର୍ଥôକ ବିକାଶ ଦିଗରେ କଂଗ୍ରେସ ସ୍ୱତନ୍ତ୍ର ଭାବରେ ଧ୍ୟାନ ଦେବ ବୋଲି ଆଜି ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ବେହେରା, ପୂର୍ବତନ ସାଂସଦ ନକୂଳ ନାଏକ, ଅଖିଳ ଭାରତ ମହିଳା କଂଗ୍ରେସ ସମ୍ପାଦିକା ସସ୍ମିତା ବେହେରା ପ୍ରମୁଖ ପ୍ରକାଶ କରିଛନ୍ତି । କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାର ଶାସନ ସମୟରେ ଅନୁସୂଚିତ ଜାତି ବର୍ଗର ଲୋକମାନଙ୍କୁ ମୌଳିକ ସୁବିଧା ଦେବାକୁ ଅସମର୍ଥ ହୋଇଥିବାବେଳେ ସାମ୍ବିଧାନିକ ଅଧିକାରକୁ ମଧ୍ୟ କ୍ଷୂର୍ଣ୍ଣ କରିଛନ୍ତି । ସାମାଜିକ ସୁରକ୍ଷା ଦେବାରେ ବିଫଳ, ନାରି ନିର୍ଯ୍ୟାତନା, ଧର୍ଷଣ ଓ ହତ୍ୟା କ୍ଷେତ୍ରରେ ଓଡ଼ିଶା ସର୍ବାଗ୍ରେ ରହିଛି । ଶିକ୍ଷା, ନିଯୁକ୍ତି କ୍ଷେତ୍ରରେ ସଂଖ୍ୟାନୁଭିତିକ ସଂରକ୍ଷଣ ନଦେବା, ପେଷା ଆଇନ୍ ଲାଗୁ ନରକିବା, ରାଜ୍ୟ ଡି.ଏମ୍.ଏଫ୍. ପାଣ୍ଠିରୁ ଆବଶ୍ୟକୀୟ ଅର୍ଥ ଅନୁସୂଚିତ ଜାତି ଜନଜାତିଙ୍କ ବିକାଶ ପାଇଁ ଖର୍ଚ୍ଚ କରାନଯିବା, ବେକାର ଦଳିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଯୋଗାଇ ନଦେଇ ବେକାରୀ ସମସ୍ୟାକୁ ବୃଦ୍ଧି କରିବା ସହିତ ସେମାନଙ୍କୁ ଆର୍ଥିକ ଦୁରବସ୍ତାକୁ ଠେଲି ଦେଇଛନ୍ତି ଓ ସେମାନଙ୍କୁ ସାମ୍ବିଧାନିକ ଅଧିକାରରୁ ସରକାର ବଂଚିତ କରୁଛନ୍ତି ବୋଲି ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବେହେରା ଅଭିଯୋଗ କରିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାସ ଓ ପିସିସି ସାମାଜିକ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଅମୀୟ ପାଣ୍ଡବ ଉପସ୍ଥିତ ଥିଲେ