ଓଡ଼ିଶାରେ କରୋନା ନେଇ ଏହା କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଓଡ଼ିଶାରେ କରୋନା ନେଇ ଏହା କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ପୁଣି ଡରାଇଲାଣି କୋରୋନା ମହାମାରୀ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ନୂଆ ଭାରିଆଣ୍ଟ ଚିହ୍ନଟ ହୋଇନଥିବା ବେଳେ ସତର୍କ ରହିବା ପାଇଁ ଜନସାଧାରଣଙ୍କୁ ଅପିଲ୍‌ କରିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।କୋଭିଡର ନୂଆ ଭାରିଆଣ୍ଟ ଜେଏନ୍‌-୧କୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, "ଯେଉଁ ନୂଆ ଭାରିଏଣ୍ଟ କଥା କୁହାଯାଉଛି ତାହା ନାଚୁରାଲ । କେରଳ ଓ କର୍ଣ୍ଣାଟକରେ ସଂକ୍ରମିତ ଚିହ୍ନଟ ହେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ କମିଟି ମଧ୍ୟ ଆଲୋଚନା ଜାରି ରଖିଛନ୍ତି । ଆବଶ୍ୟକ ପଡ଼ିଲେ ରାଜ୍ୟରେ ମଧ୍ୟ ଗାଇଡଲାଇନ ଜାରି କରାଯାଇ ପାରେ । ଏବେ ବି ସର୍ଭିଲାନ୍ସ ଜାରି ରହିଛି । ଯେଉଁ ମାନଙ୍କର ଥଣ୍ଡା କାଶ ଜ୍ଵର ଅଧିକ ଦିନ ରହୁଛି, ସେମାନେ ପୂର୍ବ ଭଳି କୋଭିଡ ଟେଷ୍ଟ କରାନ୍ତୁ ।"

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇନଥିବା ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଯଦି ସଂକ୍ରମିତ ଚିହ୍ନଟ ହୁଅନ୍ତି ତାହେଲେ ଆମେ ଜିନମ୍ ସିକ୍ୟୁଏନ୍ସ ପାଇଁ ପଠାଇବୁ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି,"ବର୍ତ୍ତମାନ ସୁଦ୍ଧା ଏହି ନୂଆ ଭାରିଆଣ୍ଟରେ କୌଣସି ଭୟାନକ ସୂଚନା ନାହିଁ, ତଥାପି ସର୍ଭିଲାନ୍ସ ଜାରି ରହିଛି । କେନ୍ଦ୍ରର ଗାଇଡଲାଇନ୍ ଅନୁଯାୟୀ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ ଓ ଯଥେଷ୍ଟ ପରିମାଣ ଟେଷ୍ଟ କିଟ୍ ମଧ୍ୟ ଉପଲବ୍ଧ ରହିଛି । ଏଣୁ ଯେଉଁ ଲୋକଙ୍କ ପାଖରେ କୌଣସି ସିମ୍‌ଟମ୍ସ ବା ଲକ୍ଷଣ ରହୁଛି, ସେମାନେ ଆସି କୋଭିଡ ଟେଷ୍ଟ କରାନ୍ତୁ । ମ୍ୟାନପାୱାର, ବେଡ୍, ଔଷଧ ସହ ସମସ୍ତ ପ୍ରକାର ପ୍ରସ୍ତୁତି ଆଗରୁ ସ୍ୱାସ୍ଥ୍ୟ ବିଭାଗ କରିଥିଲା ଏବେ ବି କରିଛୁ । ଯେଉଁମାନଙ୍କୁ ଥଣ୍ଡା, କାଶ ରହୁଛି ସେମାନେ ପ୍ରିକସନ୍ ନେବା ସହ କୋଭିଡ୍ ନିୟମ ଅନୂପାଳନ କରନ୍ତୁ ।" ଆଉ ଦିନ କେଇଟା ପରେ ନୂଆ ବର୍ଷ ଆସିବାକୁ ଥିବା ବେଳେ ଥଣ୍ଡା, ଜ୍ବର ଭଳି ଲକ୍ଷଣ ରହିଥିଲେ ଘରୁ ବାହାରନ୍ତୁ ନାହିଁ କିମ୍ବା ପିକ୍‌ନିକ୍‌ ଯାଆନ୍ତୁ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।