ଦଳଡିଆଁଙ୍କ ମଇଦାନ କେନ୍ଦ୍ରାପଡା | ଗୋଟିଏ ଆସନରୁ ଲଢିବେ ତିନି ଦଳଡିଆଁ, ସାଂସଦ ପ୍ରାର୍ଥୀବି ଅନ୍ୟ ଦଳରୁ ଆସିଛନ୍ତି  

ଦଳଡିଆଁଙ୍କ ମଇଦାନ କେନ୍ଦ୍ରାପଡା | ଗୋଟିଏ ଆସନରୁ ଲଢିବେ ତିନି ଦଳଡିଆଁ, ସାଂସଦ ପ୍ରାର୍ଥୀବି ଅନ୍ୟ ଦଳରୁ ଆସିଛନ୍ତି   

ରାଜନୀତିର ଏନ୍ତୁଡିଶାଳ କୁହାଯାଉଥିବା କେନ୍ଦ୍ରାପଡା ଜିଲ୍ଲା ଏବେ ଦଳଡିଆଁଙ୍କ ମଇଦାନ ପାଲଟିଛି । ବିଶେଷକରି କେନ୍ଦ୍ରାପଡା ବିଧାନସଭା ଆସନରେ ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ସଂରକ୍ଷିତ ଆସନରୁ ଲଢୁଥିବା ତିନି ପ୍ରମୁଖ ଦଳର ପ୍ରାର୍ଥୀ ଅନ୍ୟଦଳରୁ ଡିଆଁମାରି ଆସିଛନ୍ତି । ଏଠାରୁ ବିଜେଡି ପ୍ରାର୍ଥୀ ହୋଇଥିବା ଗଣେଶ୍ୱର ବେହେରାଙ୍କ ମୂଳ ଦଳ ହେଉଛି କଂଗ୍ରେସ । ପୂର୍ବରୁ ସେ କଂଗ୍ରେସ ସରକାରରେ ମନ୍ତ୍ରୀ ଥିଲେ । ଶେଷ ମୂହୂର୍ତ୍ତରେ ବିଜେଡିକୁ ଆସି କେନ୍ଦ୍ରାପଡା ଟିକଟ ହାତେଇ ନେଇଛନ୍ତି । ଗଣେଶ୍ୱର ବିଜେଡି ଟିକଟ ପାଇବାପରେ ସେଠାରେ ଦଳର ଅନ୍ୟତମ ଆଶାୟୀ ତଥା ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ତୁରନ୍ତ କଂଗ୍ରେସରେ ଯୋଗଦେବା ସହିତ ସେଠାରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ।ଦଳଡିଆଁଙ୍କୁ ଆଣି ପ୍ରାର୍ଥୀ କରିବାରେ ବିଜେପି ବି ପଛରେ ନାହିଁ । ଦୁଇ ଦଳଡିଆଁଙ୍କୁ ଦେଖି ବିଜେଡିର କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ ବିଜେପିରେ ଯୋଗଦେବା ସହିତ ତତ୍କାଳ ଟିକଟ ହାତେଇ ନେଇଛନ୍ତି । ତେଣୁ ଏବେ କେନ୍ଦ୍ରାପଡାରେ ଗଣେଶ୍ୱର-ସିପ୍ରା-ଗୀତାଞ୍ଜଳୀଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବାକୁ ଯାଉଛି । ନେତାମାନେ ଏଥିପାଇଁ ପ୍ରସ୍ତୁତ ହେଉଥିବାବେଳେ କର୍ମୀମାନେ କିନ୍ତୁ ଏକ ପ୍ରକାର ବାଉଳା । କାରଣ ମଇଦାନରେ ଥିବା ତିନି ପ୍ରାର୍ଥୀଙ୍କ ମଧ୍ୟରୁ ଦୁଇଜଣ ପୂର୍ବତନ ବିଜେଡି ହୋଇଥିବାବେଳେ ଜଣେ ପୂର୍ବତନ କଂଗ୍ରେସ । କେନ୍ଦ୍ରାପଡା ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିବା ଅଂଶୁମାନ ମହାନ୍ତି କଂଗ୍ରେସରୁ ବିଜେଡିକୁ ଡିଆଁ ମାରିଥିବାବେଳେ ପାଟକୁରାରୁ ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ଅରବିନ୍ଦ ମହାପାତ୍ର ହେଉଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ସୁପୁତ୍ର । ବିଜୟ ଏବେ ବି ବିଜେପିରେ ରହିଛନ୍ତି । ରାଜନଗର ବିଧାନସଭା ଆସନରେ ବର୍ତ୍ତମାନ ସୁଦ୍ଧା ବିଜେପି ତାହାର ପ୍ରାର୍ଥୀ ଘୋଷଣା କରିନାହିଁ । ଯାହା ସୂଚନା ମିଳୁଛି ସେଠାରେ ମଧ୍ୟ ଜଣେ ଦଳଡିଆଁଙ୍କୁ ବିଜେପି ପ୍ରାର୍ଥୀ କରିପାରେ ।