ନବୀନଙ୍କ ପଶ୍ଚିମ ଓଡିଶା ଗୋଟି; ବିରୋଧୀଙ୍କ ମନରେ ଛନକା
ନବୀନଙ୍କ ପଶ୍ଚିମ ଓଡିଶା ଗୋଟି; ବିରୋଧୀଙ୍କ ମନରେ ଛନକା
admin
Mar 18, 2019 - 03:33
Updated: Mar 18, 2019 - 03:33
ଭୁବନେଶ୍ୱର : ବିଗତ ଦିନର ରାଜନୀତିକୁ ଅନୁଶୀଳନ କଲେ ଉପକୂଳ ଓଡ଼ିଶାରେ ବିଜୁ ଜନତା ଦଳ ଏକପାଖିଆ ଭାବେ ଆଧିପତ୍ୟ ବିସ୍ତାର କରିଛି । ଉପକୂଳର ଗଡରେ ବିଜେପି କି କଂଗ୍ରେସ ପ୍ରବେଶ କରିପାରୁନାହାନ୍ତି । ହେଲେ ପଶ୍ଚିମ ଓଡିଶାରେ ଉପକୂଳ ଓଡିଶା ଭଳି ପତିଆରା ବିସ୍ତାର କରିପାରିନାହିଁ ବିଜୁ ଜନତା ଦଳ । ୨୦୧୪ରେ ଦଳ ପଶ୍ଚିମ ଓଡିଶାରେ ପୂର୍ବାପେକ୍ଷା ଭଲ ଆସନ ପାଇଥିଲେ ବି ସେଠାରେ କଂଗ୍ରେସ ଓ ବିଜେପିର ମଧ୍ୟ ଦବଦବା ରହିଥିବା ଦେଖିବାକୁ ମିଳେ । ଆଗାମୀ ଦିନରେ ପଶ୍ଚିମ ଓଡିଶାରୁ ବିଜେପି ଭଲ ଆସନ ଭିଡିବାର ଲକ୍ଷ୍ୟ ରଖିଥିବାବେଳେ ହଠାତ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଚକମା ଦେଇଛନ୍ତି । ୨୦୧୯ରେ ସେ ଦକ୍ଷିଣ ଓଡିଶାରୁ ନୁହେଁ ବରଂ ପଶ୍ଚିମ ଓଡିଶାରୁ ଲଢିବେ ବୋଲି ଚର୍ଚ୍ଚା ଜୋରଧରିଛି । ଯାହାକି ବିରୋଧୀ ଦଳ ମନରେ ଛନକା ପୂରାଇ ଦେଇଛି ବୋଲି ବିଜେଡି ନେତା ବିଜୟ ନାୟକ ପ୍ରକାଶ କରିଛନ୍ତି ।
ରବିବାର ରାଜ୍ୟ ରାଜନୀତିରେ ନୂତନ ସମୀକରଣର ସଂକେତ ମିଳିଥିଲା । ପଶ୍ଚିମ ଓଡିଶାର ପ୍ରାୟ ସମସ୍ତ ବିଧାୟକ, ସାଂସଦ, ବରିଷ୍ଠ ନେତା, ବୁଦ୍ଧିଜୀବୀ, ସାମ୍ବାଦିକମାନେ ପହଁଚିଥିଲେ ନବୀନ ନିବାସରେ । ନବୀନଙ୍କ ସହ ବେଶ କିଛି ସମୟ ଆଲୋଚନା ମଧ୍ୟ କରିଥିଲେ । ନବୀନଙ୍କୁ ପଶ୍ଚିମ ଓଡିଶାରୁ ଲଢିବାକୁ ଅନୁରୋଧ କରାଯାଇଥିଲା । ଏକଥାକୁ ଗମ୍ଭୀରତାର ସହ ବିଚାର କରୁଛନ୍ତି ବୋଲି ନବୀନ ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଅର୍ଥାତ ପଶ୍ଚିମ ଓଡ଼ିଶାରୁ ନବୀନ ପ୍ରାର୍ଥୀ ହେବା ନିଶ୍ଚିତ ହୋଇଯାଇଛି । ୨୦୧୪ରେ ନରେନ୍ଦ୍ର ମୋଦି ଗୁଜୁରାଟ ସହ ଉତରପ୍ରଦେଶରୁ ବି ଲଢିଥିଲେ । ବିଶେଷକରି ବାରଣାସୀରୁ ଲଢି ଉଭୟ ଉତରପ୍ରଦେଶ ଓ ବିହାର ରାଜନୀତିକୁ ସେ ପ୍ରଭାବିତ କରିଥିଲେ । ଅନରୂପ ଭାବେ ପଶ୍ଚିମ ଓଡ଼ିଶାର ପ୍ରାର୍ଥୀ ହୋଇ ନବୀନ ପଶ୍ଚିମ ଓଡ଼ିଶା ରାଜନୀତିକୁ ବିଜେଡି ମୁହାଁ କରିବା ପାଇଁ ଯୋଜନା କରିଛନ୍ତି । ବରଗଡ଼ର ବିଜେପୁର କିମ୍ବା ସମ୍ବଲପୁର ବିଧାନସଭା ଆସନରୁ ନବୀନ ପ୍ରାର୍ଥୀ ହେବେବୋଲି ଚର୍ଚ୍ଚା ହେଉଛି । ଯଦି ନବୀନ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହୁଅନ୍ତି ତେବେ ବିଜେପି ଓ କଂଗ୍ରେସ ସ୍ୱପ୍ନରେ ପାଣି ପଶିଯିବ ବୋଲି ଶ୍ରୀ ନାୟକ କହିଛନ୍ତି ।