କୌଣସି ଦାୟିତ୍ୱ ଦେଉ ନାହାନ୍ତି, ବରିଷ୍ଠମାନେ ଗାଳି କରୁଛନ୍ତି 

କୌଣସି ଦାୟିତ୍ୱ ଦେଉ ନାହାନ୍ତି, ବରିଷ୍ଠମାନେ ଗାଳି କରୁଛନ୍ତି 

 ପ୍ରତିଦିନ ଶଙ୍ଖ ଭବନରେ ଚାଲିଚି ଘନ ଘନ ବୈଠକ । ଜିଲ୍ଲାବାରି ସ୍ଥିତି ସମୀକ୍ଷା କରୁଛନ୍ତି ନବୀନ । ଦଳୀୟ ନେତା, କର୍ମଚାରୀ, ସଂଗଠକ ନବୀନଙ୍କୁ ଦେଉଛନ୍ତି ନିଜ ଜିଲ୍ଲାର ରିପୋର୍ଟ । ଏ ସବୁ ଭିତରେ କିନ୍ତୁ ଦଳ ପରାଜୟ ପାଇଁ ପୁରୁଖା ଓ ଯୁବ ନେତା ଗୋଟି ଗୋଟି କରି ନିଜ ଅସନ୍ତୋଷ ନବୀନଙ୍କ ଆଗରେ ପ୍ରକାଶ କରୁଛନ୍ତି । ପ୍ରଥମେ ପ୍ରଦୀପ ମାଝୀ, ପରେ ଅବିନାଶ ସାମଲ ଆଉ ଏବେ ମଙ୍ଗଳା କିସାନ ବିଜେଡି ହାରିବାର କାରଣ ନବୀନଙ୍କୁ ରୋକଠୋକ ଶୁଣାଇ ଦେଇଛନ୍ତି । ସେ କହିଛନ୍ତି ନିଜ ଭିତରେ ଭୁଲ ବୁଝାମଣା ଓ ସଂଗଠନ ଦୁର୍ବଳ ଥିବାରୁ ଆମକୁ ପରାଜୟର ମୁହଁ ଦେଖିବାକୁ ପଡିଲା । ଏହା ସହ ଯେଉଁମାନେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିଲେ ସେମାନେ ବି ଭୋଟରଙ୍କ ମୁଡ୍ ଜାଣିପାରିଲେ ନାହିଁ । କେବଳ ନିଜ ପ୍ରଚାରରେ ମାତିଲେ । ମଙ୍ଗଳା ଏକ ପ୍ରକାର ପରାଜୟର କାରଣ ସାଂଗଠନିକ ସଂପାଦକ ବବି ଦାସ୍ ଓ ଭିକେ ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି । ନାଁ ନେଇ ନାହାନ୍ତି, କିନ୍ତୁ ମନ ଖୋଲି ଅସନ୍ତୋଷ କ୍ରୋଧ ଝାଡି ଦେଇଛନ୍ତି । ସେହପରି ପ୍ରଦୀପ ମାଝୀ ବି ବିଜେଡିର ୨୦୨୪ ନିର୍ବାଚନ ପରିଚାଳନାରେ କୌଣସି ମେକାନିଜମ୍ ନ ଥିଲା ବୋଲି କହି ସାରିଛନ୍ତି । ଢେଙ୍କାନାଳର ଯୁବ ନେତା ତଥା ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ବି ଏପରି କିଛି କହିଛନ୍ତି । ନବୀନ ପ୍ରଚାର ଦାୟିତ୍ୱ ଅନ୍ୟ ହାତରେ ଧରାଇବା, ସବୁଠାରୁ ବଡ ଭୁଲ ନିଷ୍ପତି ଥିଲା । 


ଏ ତ ଗଲା ବଡ ନେତାଙ୍କ କଥା । କର୍ମୀ ବି ସମାନ ଆକ୍ରୋଶ ରଖିଛନ୍ତି । ଏକା ପ୍ରକାର ଅଭିଯୋଗ ଆଣୁଛନ୍ତି । ହେଲେ ବଡ ଲୋକଙ୍କୁ ଉତର ନାହିଁ ବୋଲି, ମୁଖିଆଙ୍କ ଆଗରେ କହି ପାରୁ ନାହାନ୍ତି । ଏ ସବୁ ଅଭିଯୋଗ ଓ ପରିସ୍ଥିତିକୁ ଦେଖି ନବୀନ ଏକ କଠୋର ନିଷ୍ପତି ନେଇଛନ୍ତି । ବବି ଓ ପାଣ୍ଡିଆନଙ୍କୁ ଷ୍ଟେଜ୍ ଉପରୁ ଓହ୍ଲାଇ ଦେଇଛନ୍ତି । ସେ ନିଜେ ଜିଲ୍ଲାର କାଯ୍ୟକର୍ତାଙ୍କୁ ବସାଇ ସ୍ଥିତି ସମୀ କ୍ଷା କରୁଛନ୍ତି । ଏପିରିକି ଗୁରୁତ୍ୱ ପୂଣ୍ଣ ବୈଠକ ବେଳେ ବବି ଓ ପାଣ୍ଡିଆନଙ୍କୁ ନିଜ ପାଖରେ ବସାଉ ନାହାନ୍ତି । ଦଳର ପୁରୁଖା ବରିଷ୍ଠ ଓ ଅଭି ଜ୍ଞ ମାନଙ୍କୁ ନେଇ ଆଲୋଚନା କରୁଛନ୍ତି । ଏପିରିକି ନିଷ୍ପତି ବି ନେଉଛନ୍ତି । କେବଳ ସେତିକି ନୁହେଁ ଶଙ୍ଖ ଭବନର କନଫରେନ୍ସ ହଲରେ ମିଟିଂ ବେଳେ ଆଗ ଧାଡିରେ ବସୁ ନାହାନ୍ତି ବବି । କର୍ମୀଙ୍କ ସହ ପଛରେ ବସି ରହୁଛନ୍ତି ବବି । କଥା ବି କମ୍‌, ପରାମର୍ଶ ବି କମ୍ । ପତିଆରା ଆଉ ଦେଖାଉ ନାହାନ୍ତି ସେ । 
ସେହିପରି ଭିକେ ପାଣ୍ଡିଆନଙ୍କୁ ଶଙ୍ଖ ଭବନ ମନା । ବିଜେଡି କ୍ଷମତାରୁ ଯିବା ଦିନ ଠାରୁ ସେ ଶଙ୍ଖ ଭବନ ମାଟି ମାଡୁ ନାହାନ୍ତି । ବା ମାଡିବାକୁ ତାଙ୍କୁ ଡର ଲାଗୁଛି । ଯେଉଁମାନେ ତାଙ୍କୁ ଦେଖିଲେ ଭୟ କରୁଥିଲେ ସେମାନେ ଏବେ ତାଙ୍କ ମୁହଁରେ କହିବାକୁ ପଛାଉ ନାହାନ୍ତି ବୋଲି ଦଳ ଭିତରେ ଚର୍ଚ୍ଚା । ଲୋକ ଲଜ୍ଜା ଭୟରେ ସେ ଘରୁ ବି ବାହାରୁ ନାହାନ୍ତି । କେବଳ ନବୀନ ନିବାସ ଓ ନିଜ କ୍ୱାଟର, ଏତିକିରେ ତାଙ୍କ ଯିବା ଆସିବା ସୀମିତ ରହୁଛି । ନବୀନ ବି ତାଙ୍କୁ ପାଖରେ ବସାଇ ଆଉ ଦଳୀୟ ଆକ୍ରୋଶର ଶିକାର ହେବାକୁ ଚାହୁଁ ନାହାନ୍ତି । ଜଣା ପଡୁଛି ବବି ପାଣ୍ଡିଆନଙ୍କୁ ନିଜ ପାଖରୁ ତଡି ଦେଇଛନ୍ତି ନବୀନ । ବ୍ୟୁରୋ ରିପୋର୍ଟ, ୟୁବିସି ଓଡିଆ ।