“ବିଜେପି ସରକାର ହଟିଯିବ” ଚେତାବନୀ ଦେଲେ ଶଙ୍କରାଚାର୍ଯ୍ୟ
ପୁରୀ ବେଳାଭୂମିରେ ରାଜ୍ୟ ସରକାର ମଦକୁଡିଆ ଖୋଲିବା ନିଷ୍ପତ୍ତି ବିରୋଧରେ ତେଜିଛି ପ୍ରତିବାଦର ସ୍ୱର । ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ଓ ତୀର୍ଥ କ୍ଷେତ୍ର ସୁରକ୍ଷା ମଂଚ ପକ୍ଷରୁ ଏ ନେଇ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ନିଶା ହଟାଅ, ଦେଶ ବଂଚାଅ, ମଦ ମୁକ୍ତ ଓଡିଶା ଓ ବେଳାଭୂମି ମଦକୁଡିଆ ଯୋଜନାକୁ ବିରୋଧ କରି ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଏକତ୍ରିତ ହୋଇଛନ୍ତି ୪୦ ସାମାଜିକ ଓ ଧାର୍ମିକ ଅନୁଷ୍ଠାନ । ସେହିପରି ତୀର୍ଥ କ୍ଷେତ୍ର ସୁରକ୍ଷା ମଂଚ ପକ୍ଷରୁ ମନ୍ଦିର ଆଗେର ସମୂହ ଦୀନଦାନ କରାଯାଇଛି । ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ସଭାପତି ପଦ୍ମଚରଣ ନାୟକଙ୍କ ନେତ୍ୃତ୍ୱରେ ଗାନ୍ଧୀ ସ୍ମୃତିପୀଠରେ ଏକତ୍ରୀତ ହୋଇ ମୋହନ ସରକାରକୁ ତୀବ୍ର ସମାଲୋଚନା କରାଯାଇଛି । ପବିତ୍ର ପୁରୀ ବେଳାଭୂମୀରେ ମଦ ବିକ୍ରି ହେବା ଦ୍ୱାରା ମହୋଦଧୀର ଆଧ୍ୟାତ୍ମିକତା ନଷ୍ଟ ହେବ । ତେଣୁ ଏହାକୁ ସଂପୂର୍ଣ ବନ୍ଦ ପାଇଁ ଦାବି କରିଛନ୍ତି ଏହି ସବୁ ଅନୁଷ୍ଠାନ ।
ଗୋଆ ଭଳି ପୁରୀ ସମୁଦ୍ର ବେଳାଭୂମୀରେ ବିଚ୍ ସ୍ନାକ୍ସ ବା ମଦ କୁଡିଆ ଖୋଲାଯିବ ବୋଲି ଘୋଷଣା କରିଛନ୍ତି ମୋହନ ସରକାର । ରାଜସ୍ୱ ବୃଦ୍ଧି ପାଇଁ ଏପରି ଯୋଜନା କରିଛନ୍ତି ବର୍ତମାନର ବିଜେପି ସରକାର । ଏହା ପୂର୍ବରୁ ୨୦୧୧ରେ ବିଜେଡି ସରକାର ବି ସମାନ ଯୋଜନା ଆଣିଥିଲେ । କିନ୍ତୁ ସାମାଜିକ ଅନୁଷ୍ଠାନ ଓ ଆଦି ଜଗତଗୁରୁ ଶଙ୍କରାଚାଯ୍ୟ ପ୍ରତିକ୍ରିୟାଶୀଳ ହୋଇ ତପୋଭୂମିକୁ ଭୋଗଭୂମୀରେ ପରିଣତ କରା ନଯାଉ ବୋଲି କହିବା ପରେ ତକ୍ରାଳୀନ ବିଜେଡି ସରକାର ଏହି ଯୋଜନାରୁ ଓହରି ଯାଇଥିଲେ । ହେଲେ ନୂଆ ବିଜେପି ସରକାର ପୁଣି ଥରେ ମଦକୁଡିଆ ଯୋଜନା ପାଇଁ ଆଗ୍ରହ ଦେଖାଇଛନ୍ତି । ଯାହାକୁ ନେଇ ଘୋର ପ୍ରତକ୍ରିୟା ପ୍ରକାଶ କରିଛନ୍ତି ପୁରୀ ଗୋବର୍ଧନ ମଠର ଜଗତଗୁରୁ ଶଙ୍କରାଚାଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରଜ । ନଦୀତଟ ଓ ମହୋଦଧୀ ଆସ୍ଥାର କେନ୍ଦ୍ର । ପ୍ରତିଦିନ ସଂଧ୍ୟାରେ ମହୋଦଧି ଆଳତୀ ସମାପନ କରାଯାଏ । ହେଲେ ମହୋଦଧୀ ତଟରେ ମଦବିକ୍ରି କରିବା ରାଷ୍ଟ୍ର ପାଇଁ କଳଙ୍କ ସୃଷ୍ଟି କରିବ । ଦରକାର ପଡିଲେ ରାଜ୍ୟରେ ଓ ଦେଶରେ ଏହି ନିଷ୍ପତି ପାଇଁ ବିଜେପି ସରକାର ହଟିଯିବ ବୋଲି ସେ ଚେତାଇ ଦେଇଛନ୍ତି । ସେପଟେ ଜିଲ୍ଲାପାଳ କହିଛନ୍ତି ସବୁ ପରିସ୍ଥିତିକୁ ଦେଖି ସ୍ଥିତି ଓ ନିଷ୍ପତି ଉପରେ ତର୍ଜମା କରାଯିବ ।
ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟକୁ ମଦ ମୁକ୍ତ କରିବା ପାଇଁ ନାରା ଦେଇଥିଲା । ହେଲେ ମୋହନ ସରକାର ନିଜ ମନ ପରିବର୍ତ୍ତନ କରି ଏବେ ରାଜ୍ୟକୁ ମଦମୟ କରିବାପାଇଁ ପ୍ରଚେଷ୍ଟା ଆରମ୍ଭ କରି ଦେଇଛନ୍ତି । ସହର ଛାଡନ୍ତୁ ପୁରୀ ଭଳି ପବିତ୍ର ଧାମ ଓ ବେଳାଭୂମୀରେ ମଦ ବିକ୍ରି ପାଇଁ ଯୋଜନା ବିଜେପି ସରକାରର ଅସଲ ମୁଖା ଖୋଲି ଦେଇଛି ।




