ଓଡ଼ିଶାରେ ଗାନ୍ଧିଜୀଙ୍କ ରହଣି, ଭ୍ରମଣ ସ୍ଥାନ ହେବ ସର୍କିଟ ଡେଷ୍ଟିନେସନ୍
ଓଡ଼ିଶାରେ ଗାନ୍ଧିଜୀଙ୍କ ରହଣି, ଭ୍ରମଣ ସ୍ଥାନ ହେବ ସର୍କିଟ ଡେଷ୍ଟିନେସନ୍
admin
Aug 4, 2019 - 07:32
Updated: Aug 4, 2019 - 07:32
ଭୁବନେଶ୍ୱର: ଗତ ବର୍ଷ ଅକ୍ଟୋବର ୨ ରୁ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ହୋଇ ଆସୁଥିବା ବେଳେ ଏହା ଚଳିତ ବର୍ଷ ଅକ୍ଟୋବର ୨ରେ ଶେଷ ହେବ । ଅନ୍ତର୍ଜାତୀୟ ସ୍ତରରେ ଏହା ପାଳନ ହେବା ସହ ପ୍ରତ୍ୟେକ ରାଜ୍ୟରେ ପାଳନ କରାଯିବ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ମହାତ୍ମା ଗାନ୍ଧି ଓଡ଼ିଶାରେ ଯେଉଁ ସ୍ଥାନକୁ ଆସିଛନ୍ତି ଓ ଯେଉଁ ସ୍ଥାନରେ ରହଣି କରିଛନ୍ତି ସେଠାରେ ସମ୍ପୃକ୍ତ ଜିଲ୍ଲାପାଳ ଓ ସଂସ୍କୃତି ଅଧିକାରୀଙ୍କ ମିଳିତ ଉଦ୍ୟମରେ ଉତ୍ସବ ପାଳନ ହେବ । ସେହି ସ୍ଥାନଗୁଡ଼ିକୁ ନେଇ ପର୍ଯ୍ୟଟନ ବିଭାଗ ସର୍କିଟ ଡେଷ୍ଟିନେସନ କରିବାକୁ ନିଷ୍ପତ୍ତି ନେଇଛି । ସ୍ୱରାଜ ଆଶ୍ରମ, ସତ୍ୟଭାମାପୁର, ତେଲେଙ୍ଗାପେଣ୍ଠ, ବାଲିଅନ୍ତା ନିକୁଞ୍ଜ ବିହାରୀ ମନ୍ଦିର, ବେରବୋଇ ଆଦି ସ୍ଥାନରେ ଏହି ଉତ୍ସବ ପାଳିତ ହେବ । ରାଜ୍ୟ ଅଭିଲେଖାଗାରରେ ଅଗଷ୍ଟ ୯ରେ କ୍ରାନ୍ତି ଦିବସ ଦିନ ଗାନ୍ଧି ଚର୍ଚ୍ଚା ହେବ । ଗାନ୍ଧିଜୀଙ୍କ ଆଗମନ ସମ୍ବନ୍ଧୀୟ ଏକ ପ୍ରଦର୍ଶନୀ ଆୟୋଜିତ ହେବ । ଅଗଷ୍ଟ ୧୬ରେ ଗାନ୍ଧିବାଦୀ ବ୍ୟକ୍ତିତ୍ୱ କୁମାର ପ୍ରଶାନ୍ତ ଗାନ୍ଧିଙ୍କ ସମ୍ପର୍କରେ ବକ୍ତବ୍ୟ ରଖିବେ । ଅକ୍ଟୋବର ମାସର ସଂସ୍କୃତି ଚର୍ଚ୍ଚା ଓ ପୁସ୍ତକ ଚର୍ଚ୍ଚା ଗାନ୍ଧିଙ୍କ ଉଦେ୍ଧଶ୍ୟରେ ସମର୍ପିତ ହେବ । ଏହି ଜୟନ୍ତୀ ପାଳନ ପାଇଁ ପୂର୍ବରୁ ଗଠିତ ରାଜ୍ୟସ୍ତରୀୟ କମିଟି ଓ ସବ୍ କମିଟି ଏ ନେଇ ତ୍ୱରିତ ବେଗରେ କାମ କରିବାକୁ କୁହାଯାଇଛି । ଏହାର ପୁନର୍ଗଠନ ମଧ୍ୟ ହୋଇପାରେ ବୋଲି ସୂଚନା ଦିଆଯାଇଛି ।
ବୈଠକରେ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିଦେ୍ର୍ଧଶକ ବିଜୟ କୁମାର ନାୟକ, ସୂଚନା ଓ ଲୋକସମ୍ପର୍କ ନିଦେ୍ର୍ଧଶକ କୃପାସିନ୍ଧୁ ମିଶ୍ର, ପର୍ଯ୍ୟଟନ ନିଦେ୍ର୍ଧଶକ ନିର୍ମଳ ଚନ୍ଦ୍ର ମିଶ୍ର ଏବଂ ୩ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।