ସୋମବାରଠୁ ସ୍ପେଶାଲ ଓଜେଇଇ ପରୀକ୍ଷା

ସୋମବାରଠୁ ସ୍ପେଶାଲ ଓଜେଇଇ ପରୀକ୍ଷା

ଭୁବନେଶ୍ୱର: ସୋମବାରଠାରୁ ୩ଦିନ ଧରି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଦ୍ୱିତୀୟ ତଥା ସ୍ୱତନ୍ତ୍ର ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ରାଜ୍ୟରେ ୪୭ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ବିଟେକ୍‌, ଏମ୍‌ବିଏ, ଲାଟେରାଲ୍‌ ଏଣ୍ଟ୍ରି ଟୁ ବି ଟେକ୍‌, ବିଏସ୍‌ସି ଏଲ୍‌ଇ ଟୁ ବିଟେକ୍‌, ବି ଫାର୍ମା, ଏମ୍‌ସିଏ/ ଏମ୍‌ଏସ୍‌ସି କମ୍ପ୍ୟୁଟର ସାଇନ୍ସ ପାଇଁ ୪ଟି ସିଫ୍ଟରେ ପରୀକ୍ଷା କରାଯିବ । ପରୀକ୍ଷାର୍ଥୀମାନେ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମୋଡ୍‌ରେ ପରୀକ୍ଷା ଦେବେ ।

ସ୍ୱତନ୍ତ୍ର ଓଜେଇଇ ପାଇଁ ରାଜ୍ୟର ୨୭ହଜାର ୩୫୦ରୁ ଅଧିକ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି । ୬ଟି ବିଷୟ ପାଇଁ ୪ଟି ସିଫ୍ଟରେ ପରୀକ୍ଷା କରାଯିବ । ପ୍ରଥମ ସିଫ୍ଟ ପୂର୍ବାହ୍ନ ୯ଟାରୁ ୧୦ଟା, ଦ୍ୱିତୀୟ ସିଫ୍ଟ ୧୧ଟା ୩୦ରୁ ୧୨ଟା ୩୦, ତୃତୀୟ ସିଫ୍ଟ ପାଇଁ ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ଏବଂ ଚତୁର୍ଥ ସିଫ୍ଟ ଅପରାହ୍ନ ୫ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ହେବ ।

ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ୨୬ ତାରିଖରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସିଫ୍ଟରେ ବିଟେକ୍‌ ପରୀକ୍ଷା ହେବ । ଚତୁର୍ଥ ସିଫ୍ଟରେ ଏମ୍‌ବିଏ ପାଇଁ ପ୍ରବେଶିକା ପରୀକ୍ଷା ହେବ । ୨୭ରେ ପ୍ରଥମ ସିଫ୍ଟରେ ବିଏସ୍‌ସି ଏଲ୍‌ଇ ଟୁ ବିଟେକ୍‌, ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ଲାଟେରାଲ୍‌ ଏଣ୍ଟ୍ରି ଟୁ ବି ଟେକ୍‌, ଏବଂ ତୃତୀୟ ସିଫ୍ଟରେ ବି ଫାର୍ମା ଓ ଚତୁର୍ଥ ସିଫ୍ଟରେ ଏମ୍‌ବିଏ ପାଇଁ ପରୀକ୍ଷା ହେବ । ୨୯ରେ ଏମ୍‌ସିଏ/ ଏମ୍‌ଏସ୍‌ସି କମ୍ପ୍ୟୁଟର ସାଇନ୍ସ ପାଇଁ ପ୍ରବେଶିକା ପରୀକ୍ଷା କରାଯିବ ।