ଅଖଣ୍ଡ ଭାରତ ଏକ କଳ୍ପନା, ଏକ ସ୍ୱପ୍ନ
ଅଖଣ୍ଡ ଭାରତ ଏକ କଳ୍ପନା, ଏକ ସ୍ୱପ୍ନ
admin
Oct 19, 2019 - 07:21
Updated: Oct 19, 2019 - 07:21
ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ
ଭୁବନେଶ୍ୱର : ଅଖଣ୍ଡ ଭାରତ ଏକ କଳ୍ପନା ଓ ଏକ ସ୍ୱପ୍ନ । ଏହି କଳ୍ପନା ଓ ସ୍ୱପ୍ନ ବାସ୍ତବ ରୂପ ନେଇପାରିବ କି ନାହିଁ, ତାହା ଭବିଷ୍ୟତ ହିଁ ନିର୍ଣ୍ଣୟ କରିବ । ତେଣୁ ଏବେ ଏହା ଉପରେ କିଛି କହିବା ଠିକ୍ ହେବ ନାହିଁ । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ତିନିଦିନିଆ ସ୍ୱତନ୍ତ୍ର ବୈଠକ ଉଦ୍ୟାପନୀ ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆର୍ଏସ୍ଏସ୍)ର ସରକାର୍ଯ୍ୟବାହ ସୁରେଶ ସଦାଶିବ ଯୋଶୀ ଏଭଳି ମତବ୍ୟକ୍ତ କରିଛନ୍ତି ।
ତିନି ଦିନିଆ ବୈଠକର ଅନ୍ତିମ ଦିବସରେ ଆଜି ମଣ୍ଡଳ ପକ୍ଷରୁ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଯୋଶୀ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ କାଶ୍ମୀରରୁ ପଣ୍ଡିତମାନେ ସୁରକ୍ଷା ଦୃଷ୍ଟିରୁ ପଳାୟନ କରିଥିଲେ । ତକ୍ରାଳୀନ ସରକାରୀ ବ୍ୟବସ୍ଥା ସେମାନଙ୍କୁ ସୁରକ୍ଷା ଦେଇ ପାରି ନ ଥିଲା । ଫଳରେ ଭିଟାମାଟି ଛାଡ଼ିବାକୁ ସେମାନେ ବାଧ୍ୟ ହୋଇଥିଲେ ଓ ନିଜ ଦେଶରେ ଶରଣାର୍ଥୀ ଭାବେ ରହିବାକୁ ବାଧ୍ୟ ହୋଇଥିଲେ । ଏବେ ୩୭୦ ଧାରା ଉଚ୍ଛେଦ ହେବା ପରେ ସରକାର ସେଠାରେ ପଣ୍ଡିତମାନଙ୍କ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦେବା ଉଚିତ । ପଣ୍ଡିତମାନଙ୍କୁ ପୁଣି ସେମାନଙ୍କ ଜନ୍ମମାଟିକୁ ଫେରାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରିବା ସରକାରଙ୍କ ଦାୟିତ୍ୱ ବୋଲି ସେ କହିଥିଲେ । ସେହିଭଳି ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଉପରେ ମତ ରଖି ସେ କହିଲେ ଯେ ଖୁବ୍ ଶୀଘ୍ର ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ପ୍ରକାଶ ପାଇବ । ଉକ୍ତ ରାୟକୁ ଅପେକ୍ଷା କରିବାକୁ ପଡ଼ିବ । ଯଦି ମଧ୍ୟସ୍ଥତା ଜରିଆରେ ଏହି ସମସ୍ୟାର ସମାଧାନ ହୋଇପାରୁଛି, ତେବେ ତାହା ମଧ୍ୟ ସ୍ୱାଗତଯୋଗ୍ୟ ବୋଲି ସେ ମତ ଦେଇଥିଲେ ।
ଏନ୍ଆର୍ସି (ନନ୍ ରେସିଡେଣ୍ଟ ସିଟିଜେନ୍) ପ୍ରସଙ୍ଗ ଉପରେ ସେ କହିଲେ ଯେ ଏନ୍ଆର୍ସିମାନେ ହେଉଛନ୍ତି ବିଦେଶୀ ନାଗରିକ । ସେମାନେ ଭାରତରେ ବିଦେଶୀ ନାଗରିକ ତଥା ଅନୁପ୍ରବେଶକାରୀ ହିସାବରେ ରହିବା ଉଚିତ ବା ସେମାନଙ୍କୁ ରଖାଯିବା ଜରୁରୀ । ଏଥିପାଇଁ ସରକାର ଏକ ସ୍ୱତନ୍ତ୍ର ନୀତି ପ୍ରଣୟନ କରିବା ଉଚିତ । ଏହା ବ୍ୟତୀତ ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ କରାଯିବା ପ୍ରସଂଗରେ ସେ କହିଥିଲେ ଏହା ଏକ ପୁରୁଣା ଦାବି । ଏହି ଅବସରରେ ଶ୍ରୀ ଯୋଶୀ ସଂଘର ବିସ୍ତାର ଓ କାର୍ଯ୍ୟକ୍ରମ ଉପରେ କହିଥିଲେ ଯେ ସଂଘର ଗ୍ରାମ ବିକାଶ ଯୋଜନା ବେଶ୍ ଫଳପ୍ରଦ ହେଉଛି । ବର୍ତ୍ତମାନ ସୁଦ୍ଧା ଦେଶର ୨୫୦ ଖଣ୍ଡ ଗାଁରେ ଏହି ଯୋଜନା ଦ୍ୱାରା ଲୋକେ ଉପକୃତ ହୋଇଛନ୍ତି ଓ ଏହାଦ୍ୱାରା ଗ୍ରାମୀଣ ବିକାଶ ସମ୍ଭବ ହୋଇପାରିଛି । ସମ୍ପ୍ରତି ଦେଶରେ ୧୩ ଲକ୍ଷରୁ ଅଧିକ ଆର୍ଏସ୍ଏସ୍ କର୍ମୀ ସମାଜ ଗଠନରେ ବ୍ରତୀ ହୋଇଥିବା ବେଳେ ୧୮ରୁ ୩୫ବର୍ଷ ବୟସର ଯୁବକମାନଙ୍କ ସଂଖ୍ୟା ଏକ ଲକ୍ଷ ୧୫ହଜାରରୁ ଅଧିକ ବୋଲି ସେ ସୂଚନା ଦେଇଥିଲେ । ଏହି ସମ୍ମିଳନୀରେ ଅଖିଳ ଭାରତ ପ୍ରଚାର ମୁଖ୍ୟ ଅରୁଣ କୁମାର ଓ ସହ ପ୍ରଚାର ମୁଖ୍ୟ ନରେନ୍ଦ୍ର ଠାକୁର ପ୍ରମୁଖ ଉପସ୍ଥିତ ଥିଲେ ।