ଆପ୍ ରାସ୍ତାରେ ଟିଆରଏସ : ଜାଣନ୍ତୁ କଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଆପ୍ ରାସ୍ତାରେ ଟିଆରଏସ : ଜାଣନ୍ତୁ କଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
admin
Nov 23, 2020 - 15:03
Updated: Nov 23, 2020 - 15:03
ହାଇଦ୍ରାବାଦ : ଦିଲ୍ଲୀର ରାଜନୈତିକ ଦଳ ଆପର ମଡେଲକୁ ଅନୁସରଣ କରିଛି ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) । ଦଳ କ୍ଷମତାକୁ ଆସିଲେ ସମସ୍ତଙ୍କୁ ପାଣି ମାଗଣାରେ ମିଳିବ ବୋଲି ଟିଆରଏସ ସଭାପତି ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ହାଇଦ୍ରାବାଦ ନଗର ନିଗମ ନିର୍ବାଚନ ପୂର୍ବରୁ କେସିଆର ଏହି ଘୋଷଣା କରିଛନ୍ତି ।
ସୋମବାର କେସିଆର କରିଥିବା ଘୋଷଣା ଅନୁଯାୟୀ ହାଇଦ୍ରାବାଦ ଏବଂ ଅନ୍ୟାନ୍ୟ ନଗରପାଳିକାରେ ପାଣି ମାଗଣା ମିଳିବ । ୨୦ ହଜାର ଲିଟର ପର୍ଯ୍ୟନ୍ତ ପାଣିର ବ୍ୟବହାର ପାଇଁ କୌଣସି ଦେୟ ଲାଗିବ ନାହିଁ । ଯଦି ଟିଆରଏସ ବିଜୟୀ ହୁଏ ତେବେ ଆସନ୍ତା ଡିସେମ୍ବର ମାସରୁ ଏହି ନିୟମ ଲାଗୁ କରାଯିବ । ଏହା ସହିତ ସେଲୁନ ଏବଂ ଧୋବା ଘାଟ ଗୁଡିକରେ ମାଗଣା ବିଦ୍ୟୁତ ପ୍ରଦାନ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି କେସିଆର । ୨୦୨୦ର ମାର୍ଚ୍ଚରୁ ସେପ୍ଟେମ୍ବର ମଧ୍ୟରେ କିଣାଯାଇଥିବା ଗାଡି ଗୁଡିକ ଉପରୁ ମୋଟର ଯାନ କର ଛାଡ କରିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।
ଯଦି ଏହି ସେବା ଲାଗୁ କରାଯାଏ ତେବେ ଦିଲ୍ଲୀ ପରେ ଦ୍ୱିତୀୟ ସହର ଭାବରେ ଏପରି କରିବ ହାଇଦ୍ରାବାଦ । ଏହା ଦ୍ୱାରା ସହରର ୯୭ ପ୍ରତିଶତ ଲୋକ ଉପକୃତ ହେବେ ବୋଲି କେସିଆର ମତ ଦେଇଛନ୍ତି । ୨୦ ହଜାର ଲିଟରରୁ ଅଧିକ ବ୍ୟବହାର କରୁଥିଲେ ବିଲ ଦେବାକୁ ପଡିବ ବୋଲି କେସିଆର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ ଅବସରରେ କହିଛନ୍ତି । ଆସନ୍ତା ଡିସେମ୍ବର ୧, ତାରିଖରୁ ୧୫୦ଟି ନଗର ପାଳିକା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ ।