ଋଷିକୁଲ୍ୟାରେ ବିରଳ ଦୃଶ୍ୟ
ଋଷିକୁଲ୍ୟାରେ ବିରଳ ଦୃଶ୍ୟ
admin
Mar 25, 2020 - 09:52
Updated: Mar 25, 2020 - 09:52
ବ୍ରହ୍ମପୁର: ଗଞ୍ଜାମ ଋଷିକୁଲ୍ୟା ମୁହାଣରେ ଚଳିତ ବର୍ଷ ଦେଖିବାକୁ ମିଳଛି ବିରଳ ଘଟଣା । ସାଧାରଣତଃ ଅଲିଭ ରିଡଲେ କଇଁଛ ରାତିରେ ଆସି ଅଣ୍ଡାଦାନ କରିଥାନ୍ତି । କିନ୍ତୁ ଚଳିତ ବର୍ଷ ସହସ୍ରାଧିକ କଇଁଛ ଦିନରେ ଆସି ଗଣଅଣ୍ଡାଦାନ କରିଥିବା ଦେଖିବାକୁ ମିଳିଛି । ପ୍ରତିକୂଳ ପାଗ ଓ ଅନିୟନ୍ତ୍ରିତ ତାପମାତ୍ରା ଆଦିକୁ ଖାତିର ନ କରି କଇଁଛମାନେ ଗତ ଦୁଇ ଦିନ ହେଲା ଦିନରେ ଅଣ୍ଡାଦାନ କରିଛନ୍ତି । ନୂଆ ପୋଡ଼ମପେଟାଠାରୁ ପୁରୁଣାବନ୍ଧ ମଧ୍ୟରେ ୩ କିମି ବ୍ୟାପୀ ବେଳାଭୂମିରେ ଏହି ଗଣଅଣ୍ଡାଦାନ ହୋଇଛି ।
୨୦୧୩ ମସିହାରେ ଗଣଅଣ୍ଡାଦାନ ଋତୁ ଶେଷରେ ୧୫ ଦିନ ବି କିଛି କଇଁଛ ଦିନରେ ଆସି ଅଣ୍ଡା ଦେଇଥିବା ଦେଖିବାକୁ ମିଳିଛି । ୭ ବର୍ଷ ପରେ ଏହାର ପୁନରାବୃତ୍ତି ହୋଇଛି । ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇଛି ଅଲିଭ ରିଡଲେଙ୍କ ଅଣ୍ଡାଦାନ ଋତୁ । ଗଞ୍ଜାମର ଋଷିକୁଲ୍ୟା ମୁହାଣରେ ସାଧାରଣତଃ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରୁ ଗଣଅଣ୍ଡାଦାନ ହୋଇଥାଏ । ହେଲେ ଗତବର୍ଷ ଅନିୟମିତ ବର୍ଷା ସାଙ୍ଗକୁ ପ୍ରତିକୂଳ ପାଗ କାରଣରୁ ଗଣଅଣ୍ଡାଦାନ ବ୍ୟାହତ ହୋଇଥିଲା । ଚଳିତ ବର୍ଷ ମଧ୍ୟ ପ୍ରତିକୂଳ ପାଗ ଗଣଅଣ୍ଡାଦାନରେ ବାଧା ସୃଷ୍ଟି କରିଥିଲା । ଅନିୟମିତ ବର୍ଷା ଓ ଦକ୍ଷିଣା ପବନରେ ବ୍ୟତିକ୍ରମ କାରଣରୁ ଅଣ୍ଡାଦାନ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା । ପ୍ରୟାଗୀ ଠାରୁ ବଟେଶ୍ୱର ପର୍ଯ୍ୟନ୍ତ ବେଳାଭୂମିରେ କାଁ ଭାଁ କଇଁଛ ଅଣ୍ଡା ଦେଇଥିବା ଦେଖିବାକୁ ମିଳିଥିଲା ।
ଚଳିତ ବର୍ଷ ନଭେମ୍ବର ୧ ତାରିଖ ଠାରୁ ଗତ ୨୦ ତାରିଖ ସୁଦ୍ଧା ସବୁଦାୟ ୩୩୮ଟି କଇଁଛ ବେଳାଭୂମିରେ ଅଣ୍ଡା ଦେଇଥିଲେ । କିନ୍ତୁ ଗତ ୧୫ ତାରିଖରୁ ଚଳିତ ବର୍ଷର ଗଣ ଅଣ୍ଡାଦାନର ସଙ୍କେତ ମିଳିସାରିଥିଲା । ଗତ ୧୫ ତାରିଖରେ ୫୪ଟି, ୧୬ ତାରିଖରେ ୫୬ଟି, ୧୭ ତାରିଖରେ ୩୮ଟି ଓ ୧୯ ତାରିଖରେ ୨୬ଟି ଅଲିଭ ରିଡଲେ ଅଣ୍ଡା ଦେଇଥିଲେ । ଗତ ୨୦ ତାରିଖ ଭୋର ୩ଟା ୧୦ରେ ନୂଆ ପୋଡମପେଟା ଠାରୁ ପୁରୁଣାବନ୍ଧ ୩ କିମି ବେଳାଭୂମିରେ ୨ ହଜାର ୩୪ ଅଲିଭ ରିଡଲେ ଆସି ଅଣ୍ଡାଦାନ କରିଥିଲେ । ୨୦ ତାରିଖ ଓ ୨୨ ତାରିଖ ମଧ୍ୟରେ ସମୁଦାୟ ୪୮ ହଜାର ୮୬୨ଟି କଇଁଛ ଅଣ୍ଡା ଦେଇଛନ୍ତି । ୨୧ ତାରିଖ ରାତି ତମାମ ୫୦ ୧୬୬ ଟି କଇଁଛ ଅଣ୍ଡା ଦେଇଛନ୍ତି ।
ଅନ୍ୟ ପକ୍ଷରେ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ପ୍ରୟାଗୀ ଠାରୁ ବଟେଶ୍ୱର ପର୍ଯ୍ୟନ୍ତ ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ନୂଆପୋଡମ ପେଟା ଠାରୁ ପୁରୁଣାବନ୍ଧ ମଧ୍ୟରେ ପୁଲିସ ଫୋର୍ସ ମୁତୟନ ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୫ କିମି ବ୍ୟାପୀ ବେଳାଭୂମିକୁ ୧୦ଟି ସେକ୍ଟରରେ ବିଭକ୍ତ କରାଯାଇଛି । ପ୍ରତି ସେକ୍ଟର ଲାଗି ଜଣେ ଲେଖାଏଁ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସେମାନେ ପାଳି କରି ୨୪ ଘଣ୍ଟିଆ ପଇଁତରା ଦେଉଛନ୍ତି । ସେହିପରି ଗୋଖରକୁଦାରେ ବନବିଭାଗ ପକ୍ଷରୁ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି ।