ଏହି ଦେଶରେ ବର୍ଷେ ପର୍ଯ୍ୟନ୍ତ ବଢ଼ିଲା କଟକଣା, ପ୍ରଧାନମନ୍ତ୍ରୀଙ୍କ ସୂଚନା

ଏହି ଦେଶରେ ବର୍ଷେ ପର୍ଯ୍ୟନ୍ତ ବଢ଼ିଲା କଟକଣା, ପ୍ରଧାନମନ୍ତ୍ରୀଙ୍କ ସୂଚନା

ଏହି ଦେଶରେ ବର୍ଷେ ପର୍ଯ୍ୟନ୍ତ ବଢ଼ିଲା କଟକଣା, ପ୍ରଧାନମନ୍ତ୍ରୀଙ୍କ ସୂଚନା
ଅଷ୍ଟ୍ରେଲିଆରେ କରୋନା ସଂକ୍ରମଣ ରୋକିବା ପାଇଁ ଲଗାଯାଇଥିବା କିଛି କଟକଣା ବର୍ଷେ ଯାଏଁ ଜାରି ରହିବ ବୋଲି ସେଠିକାର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ସୂଚନା ଦେଇଛନ୍ତି । ଅଷ୍ଟ୍ରେଲିଆରେ ଏ ପର୍ଯ୍ୟନ୍ତ କରୋନା ଭାଇରସ ଯୋଗୁଁ ୬୫୦୦ ଜଣ ସଂକ୍ରମିତ ହୋଇଥିଲା ବେଳେ ୬୩ ଜଣ ପ୍ରାଣ ହରାଇଛନ୍ତି । ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ଦେଶରେ ୟୁରୋପ ଓ ଆମେରିକା ଭଳି ଭୟଙ୍କର ସ୍ଥିତି ସୃଷ୍ଟି ହୋଇନାହିଁ । ସରକାର ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ସ୍କୁଲ, କଲେଜ ଆଦି ବନ୍ଦ କରି ଦିଆଯାଇଛି । ବାର, ରେସ୍ତୋରାଁ, ହୋଟେଲ ଆଦି ବି ବନ୍ଦ କରାଯାଇଛି । ସାଧାରଣ ଲୋକଙ୍କୁ କେବଳ ଜରୁରୀ ଆବଶ୍ୟକତା ପାଇଁ ଘରୁ ବାହାରିବାକୁ ଅନୁମତି ପ୍ରଦାନ କରାଯାଇଛି । ବାହାରକୁ ଗଲେ ପରସ୍ପର ଭିତରେ ୧.୫ ମିଟର ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ନିୟମ ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ଉପରେ ଜରିମାନା ଲଗାଯାଉଛି । ଏସବୁ କଟକଣା ଯୋଗୁଁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ପୂର୍ବ ଭଳି ଆଉ ବୃଦ୍ଧି ପାଉନାହିଁ । କିଛି ସପ୍ତାହ ପୂର୍ବରୁ ଦୈନିକ ୨୫% ହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲା । ଏବେ ତାହା ଏକକ ସଂଖ୍ୟାକୁ ଖସି ଆସିଛି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋରିସନ ଘୋଷଣା କରିଛନ୍ତି ଯେ ଲକଡାଉନ ଆଉ କିଛି ସପ୍ତାହ ଜାରି ରହିବ । ତେବେ ଦେଶରୁ ଲକଡାଉନ ହଟିବା ପରେ ବି ସାମାଜିକ ଦୂରତ୍ୱ ସହ ସମ୍ପର୍କିତ କିଛି କଟକଣା ଆଉ ବର୍ଷେ ଯାଏଁ ଜାରି ରଖାଯିବ । ଉଦାହରଣ ସ୍ୱରୂପ-ପରସ୍ପରଠାରୁ ୧.୫ ମିଟର ଦୂରତା ବଜାୟ ରଖିବାକୁ ଲଗାଯାଇଥିବା କଟକଣା ବର୍ଷକ ଯାଏଁ ଜାରି ରଖାଯିବ । କାରଣ ସରକାର ଭାବୁନାହାନ୍ତି ଯେ ବର୍ଷକ ଭିତରେ କରୋନା ଭାଇରସକୁ ନିପାତ କରିବା ପାଇଁ ଟିକା ବିକଶିତ ହୋଇପାରିବ । ତେଣୁ ସରକାରଙ୍କ ପାଖରେ କଛି କଟକଣାକୁ ବର୍ଷେ ଯାଏଁ ଜାରି ରଖିବା ବ୍ୟତୀତ ଅନ୍ୟ କିଛି ଚାରା ନାହିଁ ।