ଏହିମାନେ ହେଲେ ଓଡିଶାର ଧନୀ ମନ୍ତ୍ରୀ ।

ଏହିମାନେ ହେଲେ ଓଡିଶାର ଧନୀ ମନ୍ତ୍ରୀ ।

ଏହିମାନେ ହେଲେ ଓଡିଶାର ଧନୀ ମନ୍ତ୍ରୀ ।
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ନିଜ ସମ୍ପତ୍ତି ତାଲିକା ଜାରି କରିଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ସମ୍ପତ୍ତି ତାଲିକା ସର୍ବସାଧାରଣଙ୍କୁ ଅବଗତ କରିଛନ୍ତି । ୨୦୧୮-୧୯ ଆର୍ଥିକ ବର୍ଷର ସମ୍ପତ୍ତି ତାଲିକାରେ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ମିଶାଇଲେ ନବୀନ ସବୁଠାରୁ ଧନୀ । ନବୀନଙ୍କ ସମ୍ପତ୍ତିର ପରିମାଣ ବର୍ଷକ ମଧ୍ୟରେ ପ୍ରାୟ ୧୫ କୋଟି ଟଙ୍କା ବଢ଼ିଛି । ରାଜ୍ୟ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୂର୍ବଭଳି ସବୁଠୁ ଧନି ରହିଥିଲେ ମଧ୍ୟ ୫ ବର୍ଷ ଧରି ନିଜ ଭଉଣୀଙ୍କଠାରୁ ଆଣିଥିବା ୧୫ ଲକ୍ଷ ଟଙ୍କାର ଋଣକୁ ପରିଶୋଧ କରିପାରିନାହାନ୍ତି । ଆଇଟି ଓ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରାୟ ୨୬ ଲକ୍ଷ ଟଙ୍କାର ସମ୍ପତ୍ତି ସହ ରାଜ୍ୟର ସବୁଠୁ ଗରିବ ମନ୍ତ୍ରୀ ହୋଇଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଦ୍ୱିତୀୟ ଧନୀ ମନ୍ତ୍ରୀ ପାଲଟିଛନ୍ତି । ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏକମାତ୍ର ମନ୍ତ୍ରୀ । ଯାହାଙ୍କ ପାଖରେ ୨ଟି ରିଭଲଭର ଓ ଗୋଟିଏ ରାଇଫଲ ରହିଛି । ନବ ଓ ତାଙ୍କ ପରିବାର ପାଖରେ ପ୍ରାୟ ୩୨ ଲକ୍ଷ ନଗଦ, ଏକ କୋଟି ଟଙ୍କାର ବ୍ୟାଙ୍କ ଜମା ଓ ଦୁଇ କୋଟି ଟଙ୍କାରୁ ଅଧିକ ଫିକ୍ସଡ ଡିପୋଜିଟ ରହିଛି । ସେହିପରି ପଞ୍ଚାୟତି ରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପତ୍ତି ମଧ୍ୟ ବର୍ଷକ ମଧ୍ୟରେ ପ୍ରାୟ ସାଢ଼େ ୪ କୋଟି ଟଙ୍କା ବଢ଼ିଛି । ପ୍ରତାପଙ୍କ ସମ୍ପତ୍ତିର ପରିମାଣ ପ୍ରାୟ ୧୦ କୋଟି ଟଙ୍କା ହେବ । କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପତ୍ତି ପ୍ରାୟ ୬୭ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ଅରୁଣଙ୍କ ନାଁରେ ୨୨ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି । ଏହାଛଡ଼ା ସେ ୪୫୦ ଗ୍ରାମ ସୁନା ଓ ୨ଟି କାରର ମାଲିକ । ଅରୁଣଙ୍କ ପତ୍ନୀଙ୍କ ନାଁରେ ୩୭ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ତାଲିକାରେ ଦର୍ଶାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ୨୦୧୮-୧୯ ଆର୍ଥିକ ବର୍ଷର ସମ୍ପତ୍ତି ତାଲିକା ଜାରି କରାଯାଇଛି । କେତେକ ମନ୍ତ୍ରୀ ୨୦୧୯ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ (କେତେକଙ୍କ ପାଇଁ ଜୁଲାଇ) ନିଜର ସମ୍ପତ୍ତି ବିବରଣୀ ଦେଇଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ସମ୍ପତ୍ତି ତାଲିକା ଅନୁସାରେ ୨୦୧୮ ମାର୍ଚ୍ଚରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ତାଙ୍କ ସମ୍ପତ୍ତି ପ୍ରାୟ ୧୫ କୋଟି ଟଙ୍କାରୁ ଅଧିକ ବୃଦ୍ଧି ପାଇଛି । ୨୦୧୮ ମାର୍ଚ୍ଚ ମାସ ସୁଦ୍ଧା ନୀବନଙ୍କ ସମ୍ପତ୍ତିର ପରିମାଣ ପ୍ରାୟ ୪୯.୨୪ କୋଟି ଟଙ୍କା ଥିବା ବେଳେ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ଏହା ୬୩.୬୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଫରିଦାବାଦ ନିକଟରେ ଥିବା ନବୀନଙ୍କ ୨୨.୭ ଏକର ଫାର୍ମ ହାଉସ ର ମୂଲ୍ୟ ମାତ୍ର ୧୦.୭୫ କୋଟି ଟଙ୍କା, ଯାହା ୨୦୧୭ ମାର୍ଚ୍ଚ ମାସରେ ଆକଳନ କରାଯାଇଥିଲା । ଏହାର ସଦ୍ୟ ଦର ଏହି ପରିମାଣଠୁ ଢ଼େର ଅଧିକ ହେବ । ସେହିପରି ନୂଆଦିଲ୍ଲୀ ସ୍ଥିତ ଏପିଜେ ଅବଦୁଲ କାଲାମ ରୋଡରେ ଥିବା ପୈତୃକ ଗୃହରେ ନବୀନଙ୍କ ୫୦ ପ୍ରତିଶତ ଅଂଶଧନ ରହିଛି ଓ ଏହି ପରିମାଣ ୪୩.୩୬ କୋଟି ଟଙ୍କା ଆକଳନ କରାଯାଇଛି । ତା ପୁଣି ୨୦୧୪ ସେପ୍ଟେମ୍ବର ମସିହାର ଭାଲ୍ୟୁସନ ଅନୁସାରେ । ୨୦୧୯ ମସିହାରେ ସାଧାରଣ ନିର୍ବାଚନ ପାଇଁ ନବୀନ ହିଞ୍ଜିଳିକାଟୁ ଓ ପଦ୍ମପୁର ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ୨ଟି ବ୍ୟାଙ୍କ ଆକାଉଣ୍ଟ ଖୋଲି ସେଥିରେ ୪୦ ଲକ୍ଷ ଟଙ୍କା ଜମା ରଖିଛନ୍ତି । ନବୀନଙ୍କ ପାଖରେ ଏବେ ବି ୧୯୮୦ ମଡେଲର ଆମ୍ବାସଡର କାର ଥିବା ବେଳେ ୨ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ରହିଛି । ୨୦୧୫ ମାର୍ଚ୍ଚରେ ତାଙ୍କ ବଡ଼ ଭଉଣୀ ଗୀତ ମେହେଟ୍ଟାଙ୍କଠୁ ଧାର ସୂତ୍ରରେ ଆଣିଥିବା ୧୫ ଲକ୍ଷ ଟଙ୍କାକୁ ଆଜି ପର୍ଯ୍ୟନ୍ତ ପରିଶୋଧ କରିନାହାନ୍ତି । ସେହିପରି ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମ୍ପତ୍ତିର ପରିମାଣ ୨୫.୬୦ ଲକ୍ଷ ଟଙ୍କା ଥିବା ବେଳେ ଭୁବନେଶ୍ୱରର ଚନ୍ଦକା ଅଞ୍ଚଳରେ ତାଙ୍କର ୪୮୦୦ ବର୍ଗଫୁଟର ଜମି ରହିଛି । ୫ ଲକ୍ଷ ଟଙ୍କାର କାର ଓ ୯୦ ଗ୍ରାମର ସୁନା ରହିଥିବା ସେ ଦର୍ଶାଇଛନ୍ତି । ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ମୋଟ ସମ୍ପତ୍ତି ପ୍ରାୟ ୪୨ ଲକ୍ଷ ଟଙ୍କା ହୋଇଥିବା ବେଳେ ବର୍ଷକ ମଧ୍ୟରେ ମାତ୍ର ୨.୨୦ ଲକ୍ଷ ଟଙ୍କା ବଢ଼ିଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସମ୍ପତ୍ତିରେ ପ୍ରାୟ ୩୫ ଲକ୍ଷ ଟଙ୍କାରେ ବୃଦ୍ଧି ହୋଇଛି । ୨୦୧୮ ମାର୍ଚ୍ଚ ଶେଷ ସୁଦ୍ଧା ତାଙ୍କର ମୋଟ ସମ୍ପତ୍ତି ପରିମାଣ ୩.୫୭ କୋଟି ଟଙ୍କା ଥିବା ବେଳେ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧାେ ୩.୯୨ କୋଟି ଟଙ୍କା ରହିଛି । ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ସମ୍ପତ୍ତି ପ୍ରାୟ ୨ କୋଟି ଟଙ୍କା ହେବ । ଭୁବନେଶ୍ୱରରେ ୨ ଟି ଆପାର୍ଟମେଣ୍ଟ, ୪ଟି କାର ଓ ଟିଟିଲାଗଡ଼ରେ ଦୁଇ ମହଲା କୋଠା, ପ୍ରାୟ ୬ ଏକରର ଜମି ରହିଛି ।