ଏୟାର ଏଣ୍ଡିଆ ବିକ୍ରିର ନେତୃତ୍ୱ ନେବେ ଅମିତ ଶାହା

ଏୟାର ଏଣ୍ଡିଆ ବିକ୍ରିର ନେତୃତ୍ୱ ନେବେ ଅମିତ ଶାହା

ଏୟାର ଏଣ୍ଡିଆ ବିକ୍ରିର ନେତୃତ୍ୱ ନେବେ ଅମିତ ଶାହା
ନୂଆଦିଲ୍ଲୀ: ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ ବିକ୍ରି କରିବା ଲାଗି ଯେଉଁ ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଥିଲା ସେଥିରୁ ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କାରୀଙ୍କୁ ବିଦା କରାଯାଇଛି । ଆଗକୁ ଏହି ମନ୍ତ୍ରୀ ଗୋଷ୍ଠୀର ନେତୃତ୍ୱ ନେବେ ଗୃହ ମନ୍ତ୍ରୀ ଅମିତ ଶାହା । ଏହି ମନ୍ତ୍ରୀ ଗୋଷ୍ଠୀର ଅନ୍ୟ ସଦସ୍ୟମାନେ ହେଉଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ ଓ ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ । ଏହି ମନ୍ତ୍ରୀ ଗୋଷ୍ଠୀକୁ ୨୦୧୭ ଜୁନରେ ଗଠନ କରାଯାଇଥିଲା । ସେହି ସମୟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଏହାର ନେତୃତ୍ୱ ଦିଆଯାଇଥିଲା । ଅନ୍ୟ ସଦସ୍ୟ ଭାବେ ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଜପତି ରାଜୁ, କୋଇଲା ମନ୍ତ୍ରୀ ପୀୟୁଷ ଗୋୟଲ, ରେଳମନ୍ତ୍ରୀ ସୁରେଶ ପ୍ରଭୁ ଏବଂ ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏହାର ସଦସ୍ୟ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ସରକାର ଗଠନ କରିବା ପରେ ଏହି ମନ୍ତ୍ରୀ ଗୋଷ୍ଠୀର ପୁନର୍ଗଠନ କରାଯାଇଛି । ପୂର୍ବରୁ ଏଥିରେ ପାଞ୍ଚ ଜଣ ସଦସ୍ୟ ଥିଲେ । ସେମାନଙ୍କ ସଂଖ୍ୟା ଚାରିକୁ ହ୍ରାସ କରାଯାଇଛି । ଏୟାର ଇଣ୍ଡିଆର ୭୬% ଅଂଶଧନ ବିକ୍ରି କରିବା ପାଇଁ ସରକାର ନିବେଶକମାନଙ୍କ ଠାରୁ ପ୍ରସ୍ତାବ ମାଗିଥିଲେ । କିନ୍ତୁ ସେଥିପାଇଁ କୌଣସି ନିବେଶକ ଆଗ୍ରହ ଦେଖାଇ ନଥିଲେ । ଏୟାର ଇଣ୍ଡିଆର ବିକ୍ରି ପ୍ରସ୍ତାବକୁ ଅଧିକ ଆକର୍ଷଣୀୟ କରିବାକୁ ସରକାର ଉଦ୍ୟମ କରୁଛନ୍ତି । ଦିପମ୍ ପକ୍ଷରୁ ଏୟାର ଇଣ୍ଡିଆ ବିକ୍ରି ପାଇଁ ନୂତନ ପ୍ରସ୍ତାବ ପ୍ରସ୍ତୁତ କରାଯାଇସାରିଛି । ୨୦୧୯ ଡିସେମ୍ବର ସୁଦ୍ଧା ଏହାକୁ ବିକ୍ରି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।