ଓଡ଼ିଶା ବିଧାନସଭା କକ୍ଷର ହେବ ପୁନର୍ବିନ୍ୟାସ

ଓଡ଼ିଶା ବିଧାନସଭା କକ୍ଷର ହେବ ପୁନର୍ବିନ୍ୟାସ

ଓଡ଼ିଶା ବିଧାନସଭା କକ୍ଷର ହେବ ପୁନର୍ବିନ୍ୟାସ
ଭୁବନେଶ୍ୱର: ଓଡ଼ିଶା ବିଧାନସଭା କକ୍ଷର ପୁନର୍ବିନ୍ୟାସ କରାଯିବ । ସେଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତିି ଆରମ୍ଭ କରିଛନ୍ତି । ବିଧାନସଭା କକ୍ଷରେ ଅଧିକ ଖାଲି ସ୍ଥାନ ଓ ସଦସ୍ୟମାନଙ୍କ ଯିବା ଆସିବା କରିବାରେ ସୁବିଧା ପାଇଁ ୩ ଜଣ ବିଧାୟକ ବସିବା ଭଳି ସିଟ କୁ ଛୋଟ କରି ୨ ଜଣ ବସିବା ଭଳି କରାଯିବ । ଏହା ସହିତ ପ୍ରତିଧାଡ଼ିର ପଛରେ ଥିବା ଲମ୍ବା ବେଞ୍ଚକୁ ଛୋଟ କରି ୩ ଜଣଙ୍କ ପାଇଁ ସୀମିତ ରଖାଯିବ । ଏହା ସହିତ ବିଧାନସଭା ଲବିକୁ ମଧ୍ୟ ନୂଆ ରୂପ ଦିଆଯିବ । ବିଧାନସଭାରେ ସମ୍ପୂର୍ଣ୍ଣ ଇ-ବିଧାନ ପ୍ରଣୟନ କରିବା ପାଇଁ ଏବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ହିମାଚଳ ପ୍ରଦେଶ ଗସ୍ତ କରିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଧାନସଭା କକ୍ଷରେ ପ୍ରତି ସଦସ୍ୟଙ୍କ ପାଇଁ ଲାପଟପ ବ୍ୟବସ୍ଥା କରାଯିବ । ଏହା ସହିତ କକ୍ଷରୁ କର୍ପେଟଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ସାଜସଜାରେ ଆମୂଳଚୂଳ ପରିବର୍ତ୍ତନ କରାଯିବ । ଆସନ୍ତା ଶୀତ ଅଧିବେଶନ ପରେ ଟେଣ୍ଡର କରାଯାଇ କାମ ଆରମ୍ଭ ହେବ ବୋଲି ସ୍ଥିର କରାଯାଇଛି । ବିଧାନସଭାର ପୁନର୍ବିନ୍ୟାସ ନେଇ ଗତ ୧୬ ତାରିଖ ଦିନ ବାଚସ୍ପତି ଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ନିଷ୍ପତ୍ତି ଅନୁଯାୟୀ ବିଧାନସଭାକୁ ନୂଆ ରୂପ ଦେବା ପାଇଁ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । କମିଟି କର୍ଣ୍ଣାଟକ ଓ ମହାରାଷ୍ଟ୍ର ବିଧାନସଭା ଗସ୍ତ କରି ସେଠାକାର ବିଧାନସଭାର କକ୍ଷର ସୁବିଧା ବିଷୟରେ ଅନୁଧ୍ୟାନ କରିବ ।