କଂଗ୍ରେସର ଅନୁସନ୍ଧାନ ସରିନି: ନରସିଂହ

କଂଗ୍ରେସର ଅନୁସନ୍ଧାନ ସରିନି: ନରସିଂହ

କଂଗ୍ରେସର ଅନୁସନ୍ଧାନ ସରିନି: ନରସିଂହ
ଭୁବନେଶ୍ୱର: ନିକଟରେ ଶେଷ ହୋଇଥିବା ନିର୍ବାଚନରେ କଂଗ୍ରେସ ଶୋଚନୀୟଭାବେ ପରାଜିତ ହୋଇଥିଲା । ରାଜ୍ୟର କଂଗ୍ରେସ ପ୍ରାର୍ଥୀମାନେ ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ଠାରୁ ବହୁ କମ ଭୋଟ ପାଇଁ ଅମାନତ ହାରିଥିଲେ । ତେବେ ପରାଜୟ ପରେ କଂଗ୍ରେସ ମାନସ ମନ୍ଥନ କରି ଏହା ପଛର କାରଣ ଜାଣିବାକୁ ଟିମ ଗଠନ କରିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଏହାର ରିପୋର୍ଟ ଆସିପାରିନାହିଁ । କଂଗ୍ରେସ ବିପର୍ଯ୍ୟୟ ଓ ଫ୍ୟାକ୍ଟ ଫାଇଣ୍ଡିଂ ଟିମର ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଆସିପାରିନାହିଁ । ଏନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ବିଧାନସଭା ଆରମ୍ଭ ହୋଇଥିବାରୁ ତଥ୍ୟ ଅନୁସନ୍ଧାନ ସରିପାରିନାହିଁ । ୨ଟି କମିଟିର କାର୍ଯ୍ୟ ସରିଛି । ବାକି ୪ଟି କମିଟିର କାର୍ଯ୍ୟ ଜାରି ରହିଛି । ବିଧାୟକମାନେ କମିଟିର ଆବାହକ ଥିବାରୁ ତଥ୍ୟ ସଂଗ୍ରହ ଶେଷ ହୋଇପାରିନି । ବିଧାନସଭା ଅଧିବେଶନ ଶେଷ ହେବା ପରେ ରିପୋର୍ଟ ଆସିବ ବୋଲି ନରସିଂହ ମିଶ୍ର କହିଛନ୍ତି । ୨୦୧୯ ନିର୍ବାଚନରେ କଂଗ୍ରେସକୁ ଭରଷି ନାହାନ୍ତି ଭୋଟର । ଯେଉଁଥିପାଇଁ ଦଳ ଶୋଚନୀୟଭାବେ ପରାଜୟ ବରଣ କରିଛି । ୨୦୧୯ ନିର୍ବାଚନ ଫଳାଫଳ କଂଗ୍ରେସ ଦଳର ସ୍ଥିତିକୁ ଦୋହଲାଇ ଦେଇଥିବା ବେଳେ ବିପର୍ୟ୍ୟୟର କାରଣ ଖୋଜିବାକୁ ଗଠିତ ତଥ୍ୟ ଅନୁସନ୍ଧାନ କମିଟିର ପ୍ରଥମ ବୈଠକ ପରେ କମିଟି ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଥିଲେ ଯେ, ଦଳରେ ୬ଟି ସବ-କମିଟି ଗଠନ କରାଯିବ । ପ୍ରତି ସବ-କମିଟି ୫ଟି ଲେଖାଏଁ ଜିଲ୍ଲା ଗସ୍ତ କରିବେ । ଏବଂ ପ୍ରତି କମିଟିରେ ୩ଜଣ ଲେଖାଏଁ ସଦସ୍ୟ ରହିବେ । ଆଉ ସବୁଠାରୁ ବଡ କଥା ହେଉଛି, ଏହି ସଦସ୍ୟମାନେ ନିଜ ଅଞ୍ଚଳକୁ ଯିବେ ନାହିଁ ବୋଲି ଶ୍ରୀ ମିଶ୍ର କହିଥିଲେ । ୬ଟି ସବ-କମିଟି ୩୦ଟି ଜିଲ୍ଲା ଗସ୍ତ କରିବେ । ପ୍ରତି ଜିଲ୍ଲାକୁ ଯାଇ ଆଶାୟୀ ପ୍ରାର୍ଥୀ, ସାଧାରଣ ଜନତା. ବୁଦ୍ଧିଜୀବୀ ଏବଂ ଜିଲ୍ଲା କର୍ମକର୍ତ୍ତାଙ୍କ ଠାରୁ ଏହି ସଦସ୍ୟମାନେ ରିପୋର୍ଟ ଆଣିବେ । ବିପର୍ୟ୍ୟୟର କାରଣ ଖୋଜିବା ସହ ନିରାକରଣ ମଧ୍ୟ ଖୋଜିବେ । ଏବଂ ଚଳିତ ମାସ ଶେଷ ସୁଦ୍ଧା ଏହି ସବ-କମିଟି ମାନେ ନିଜ ରିପୋର୍ଟ ଦାଖଲ କରିବେ । ରିପୋର୍ଟ ଅନୁଧ୍ୟାନ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ପରାଜୟର ତର୍ଜମା କରାଯିବା ସହ ଯଦି ଦରକାର ପଡେ, କଂଗ୍ରେସ ଆଉଥରେ ଲୋକଙ୍କ ପାଖକୁ ଯିବ । କଂଗ୍ରେସ କ’ଣ ପାଇଁ ହାରିଲା ଓ କ’ଣ କଲେ କଂଗ୍ରେସ ସୁଦୃଢ ହୋଇପାରିବ ସେନେଇ ସବିଶେଷ ରିପୋର୍ଟ ଏଆଇସିସିକୁ ଦିଆଯିବ ବୋଲି ଶ୍ରୀ ମିଶ୍ର କହିଥିଲେ ।