କରୋନା ଭୟରେ ବିଷ ପିଇଲେ ଯୁବକ, ଗତ ୨୦ରେ ଚେନ୍ନାଇରୁ ଫେରିଥିଲେ

କରୋନା ଭୟରେ ବିଷ ପିଇଲେ ଯୁବକ, ଗତ ୨୦ରେ ଚେନ୍ନାଇରୁ ଫେରିଥିଲେ

ରାଉରକେଲା: କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ସମଗ୍ର ଦେଶରେ ଲକଡାଉନ କରାଯାଇଛି । ଏଭଳି ସ୍ଥିତିରେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଧ ଜିଲ୍ଲା ନୂଆଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଲିଣ୍ଡା ପଞ୍ଚାୟତ ଅନ୍ତର୍ଗତ ଲାଙ୍କୋଇ ଗାଁରେ ଯୁବକ କରୋନା ଭୟରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯୁବକ ଜଣକ ହେଲେ ଶିଙ୍ଗ୍ରା ମୁଣ୍ଡାରୀ (୧୯) । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ହାତବାରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ) ରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଏହି ଘଟଣାରେ ନୂଆଗାଁ ବ୍ଲକରେ ଚର୍ଚ୍ଚାର ବିଷୟ ପାଲଟିଛି । ଶିଙ୍ଗା ଗତ ବର୍ଷକ ତଳେ କିଛି ସାଙ୍ଗଙ୍କ ସହ ଚେନ୍ନାଇ କାମ କରିବାକୁ ଯାଇଥିଲେ । ଲକଡାଉନ ଘୋଷଣା ପରେ ଘରକୁ ଫେରିବାକୁ ସେ ଗତ ମାର୍ଚ୍ଚ ୧୯ ତାରିଖରେ ଟ୍ରେନ ଚଢ଼ିଥିଲେ । ପର ଦିନ ଅର୍ଥାତ ୨୦ରେ ରାଉରକେଲା ଷ୍ଟେସନରେ ଓହ୍ଲାଇଥିଲେ ତେବେ ତୁରନ୍ତ ଘରକୁ ନ ଯାଇ ତାଙ୍କ ଘର ଠାରୁ ୪ କିମି ଦୂର ଘୋଡ଼ାବନ୍ଧର ଜଣେ ସାଙ୍ଗଙ୍କ ଘରେ ରହିଥିଲେ । ସେଠାରେ ୪ ଦିନ ରହିବା ପରେ ଗତ ୨୪ ଅପରାହ୍ନରେ ନିଜ ଗାଁ ଲାଙ୍କୋଇକୁ ଫେରିଥିଲେ । ତେବେ ସେ ଘରକୁ ପଶିବା ପୂର୍ବରୁ ଗାଁ ଲୋକେ ତାଙ୍କୁ ଘେରି ଯାଇଥିଲେ । ଡାକ୍ତରଖାନା ଯାଇ ରକ୍ତ ନମୁନା ପରୀକ୍ଷାକୁ ବାଧ୍ୟ କରିଥିଲେ । ଶିଙ୍ଗ୍ରା ରାଜି ନ ହେବାରୁ ଗ୍ରାମବାସୀ ଅଙ୍ଗନବାଡ଼ି କର୍ମୀ, ଆଶା ଦିଦି ଓ ବିଶ୍ରା ଥାନାକୁ ଏ ସଂକ୍ରାନ୍ତରେ ଜଣାଇଥିଲେ । ୨୫ ତାରିଖରେ ପିତା ଦଶରଥ ମୁଣ୍ଡାରୀ ଡାକ୍ତରଖାନା ଯାଇ ରକ୍ତ ନମୁନା ପରୀକ୍ଷା କରିବାକୁ କହିଥିଲେ । ଏହି କଥାକୁ ନେଇ ଉଭୟ ବାପ ଓ ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପିତାଙ୍କ ଗାଳି ଓ କରୋନା ଭୟରେ ଶିଙ୍ଗ୍ରା ଘର ପଛପଟେ ବିଷ ପିଇ ଦେଇଥିଲେ । ସେ ଗୁରୁତର ଅବସ୍ଥାରେ ସେଠାରେ ପଡ଼ିଥିବା ଦେଖି ତାଙ୍କ ଭାଇ ଓ ପରିବାର ଲୋକେ ତାଙ୍କୁ ହାତବାରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଶିଙ୍ଗଙ୍କୁ ଆରଜିଏଚ ସ୍ଥାନାନ୍ତର କରାଯାଇଥିଲା । ସେପଟେ ଗ୍ରାମବାସୀ ଶିଙ୍ଗ୍ରାଙ୍କୁ ଯାଞ୍ଚ କରିବାକୁ ଆଶା ଦିଦି ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଜଣାଇଥିଲେ ହେଁ କେହି ଶୁଣି ନଥିଲେ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।