କେବଳ ଗରିବଙ୍କ ପାଇଁ ନ୍ୟାୟ ଚାହୁଁଛି -ରାହୁଲ
କେବଳ ଗରିବଙ୍କ ପାଇଁ ନ୍ୟାୟ ଚାହୁଁଛି -ରାହୁଲ
admin
Mar 29, 2019 - 10:43
Updated: Mar 29, 2019 - 10:43
ନୂଆଦିଲ୍ଲୀ: କଂଗ୍ରେସ ଗୋଷଣା କରିଥିବା ନ୍ୟାୟ ଯୋଜନା ଦୁଇଟି ମୁଖ୍ୟ ଲକ୍ଷ୍ୟ ପୂରଣ କରିବ ବୋଲି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରକାଶ କରିଛନ୍ତି । ସେ କହିଛନ୍ତି ନ୍ୟାୟ ଯୋଜନାର ଗୋଟିଏ ଉଦ୍ଦେଶ୍ୟ ହେଉଛି ୨୦ ପ୍ରତିଶତ ଗରିବ ପରିବାର ଦାରିଦ୍ର୍ୟରୁ ମୁକ୍ତି ପାଇବେ । ଅନ୍ୟଟି ହେଇଛି ମୋଦି ସରକାର ବିମୁଦ୍ରୀକରଣ କରି ଦେଶର ଯେଉଁ କ୍ଷତ କରିଛନ୍ତି ତାକୁ ଭରଣା କରାଯାଇ ପାରିବ ।
ଖବର ସରବରାହ ସଂସ୍ଥା ପିଟିଆଇକୁ ସାକ୍ଷାତକାର ଦେଇ ରାହୁଲ କହିଛନ୍ତି ଯେ ବିମୁଦ୍ରକରଣ ଓ ଜିଏସଟି ପ୍ରଚଳନ କରି ମୋଦି ସରକାର ଗତ ୫ ବର୍ଷ ଭିତରେ ଦେଶର ଅର୍ଥନୀତିକୁ ବିପୁଳ କ୍ଷତି ପହଂଚାଇଛି । ଅନୌପଚାରିକ କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଛି । ବହୁ ଚିନ୍ତା କରିବା ପରେ ଓ ବିଶେଷଜ୍ଞଙ୍କ ସହ ପରାମର୍ଶ ନେଇ କଂଗ୍ରେସ ଏହି ନ୍ୟାୟ ଯୋଜନା କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛି । ଯାହାର ହିନ୍ଦୀ ଅର୍ଥ ହେଉଛି ଗରିବଙ୍କୁ ନ୍ୟାୟ ପ୍ରଦାନ କରିବା । ରାହୁଲ କହିଛନ୍ତି ଗତ ୫ ବର୍ଷ ଭିତରେ ମୋଦି ଦେଶର ଗରିବ ଲୋକଙ୍କ ଠାରୁ ସବୁ କିଛି ଛଡାଇ ନେଇଛନ୍ତି । କିନ୍ତୁ ସେମାନଙ୍କୁ କିଛି ଦେଇ ନାହାନ୍ତି । ଚାଷୀ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀ, ଯୁବକ, ମାଆ ଓ ଭଉଣୀଙ୍କ ବ୍ୟାଙ୍କ ସଂଚୟ ଆଦି ସବୁ କିଛି ମୋଦି ଛଡାଇ ନେଇଛନ୍ତି । କିନ୍ତୁ ଏସବୁ ଆମେ ପୁଣି ଥରେ ସେମାନଙ୍କୁ ଫେରାଇ ଦେବାକୁ ଚାହୁଁଛୁ । ନ୍ୟାୟ ଯୋଜନା ଗେମ୍ ଚେଞ୍ଜର ଓ ଦାରିଦ୍ର୍ୟ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ ବୋଲି ରାହୁଲ ବର୍ଣ୍ଣନା କରିଛନ୍ତି ।
ତେବେ ନ୍ୟାୟ ଯୋଜନା କାର୍ଯ୍ୟକାରୀ କରିବାକୁ ହେଲେ ବାର୍ଷିକ ୩.୬ ଲକ୍ଷ କୋଟି ଖର୍ଚ ହେବ ଏବଂ ଏହା ଦେଶରେ ବିତୀୟ ନିଅଂଟ ବଢାଇବା ବୋଲି କିଛି ବିଶେଷଜ୍ଞ କରିଥିବା ଆକଳନକୁ ରାହୁଲ ଖଣ୍ଡନ କରିଛନ୍ତି । କହିଛନ୍ତି ଏଭଳି ଆକଳନ ଆଦୌ ଠିକ୍ ନୁହେଁ । ନ୍ୟାୟ ଯୋଜନା ଘୋଷଣା କରାଯିବା ପୂର୍ବରୁ ବହୁ ବିଶିଷ୍ଟ ଅର୍ଥନୀତିଜ୍ଞ ଓ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇଛି । ଏହା ଲୋକପ୍ରିୟ ଯୋଜନା ନୁହେଁ, ଏହା ଦାରିଦ୍ର ଦୂରୀକରଣର ବାଟ । ଯଦି ନରେନ୍ଦ୍ର ମୋଦି ୧୫ ଜଣ ଧନୀଙ୍କୁ ୩.୫ ଲକ୍ଷ କୋଟି ଦେଇ ପାରୁଛନ୍ତି, ତେବେ ଦେଶର ଗରିବ ଲୋକଙ୍କୁ ଆମେ ସେତିକି ଟଙ୍କା କାହିଁକି ଦେଇ ପାରିବୁ ନାହିଁ ବୋଲି ସେ କହିଛନ୍ତି । ରାହୁଲ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି କି ମୋଦି ସରକାରଙ୍କ ଯେତେ ସବୁ ଯୋଜନା ସେଥିରେ ହାତ ଗଣତି କିଛି ଧନୀ ଲୋକ ଉପକୃତ ହୋଇଛନ୍ତି । ଆମେ କେବଳ ଦେଶର ଗରିବ ଲୋକଙ୍କ କଥାକୁ ଧ୍ୟାନରେ ରଖିଛୁ । ତେଣୁ ଏଥିରେ ଲୋକପ୍ରିୟର କଥା ନାହିଁ । ବିଶେଷଜ୍ଞଙ୍କ ପରାମର୍ଶ ନ ନେଇ ମୋଦି ସରକାର ବିମୁଦ୍ରୀକରଣ ଓ ଜିଏସଟି ଅତ୍ୟନ୍ତ ତରବର ହୋଇ କାର୍ଯ୍ୟକାରୀ କରିଥିଲେ । କିନ୍ତୁ ଆମେ ସେଭଳି କୌଣସି ଯୋଜନା ତରବର କିମ୍ବା ବିଶେଷଜ୍ଞଙ୍କ ପରାମର୍ଶ ବିନା କରିବୁ ନାହିଁ ବୋଲି ରାହୁଲ କହିଛନ୍ତି ।