କୋରନା ରିଟର୍ଣ୍ଣ : ଏହି ରାଜ୍ୟରୁ ଫେରିଲେ ୭ ଦିନିଆ ଆଇସୋଲେସନ

କୋରନା ରିଟର୍ଣ୍ଣ : ଏହି ରାଜ୍ୟରୁ ଫେରିଲେ ୭ ଦିନିଆ ଆଇସୋଲେସନ

କୋରନା ରିଟର୍ଣ୍ଣ : ଏହି ରାଜ୍ୟରୁ ଫେରିଲେ ୭ ଦିନିଆ ଆଇସୋଲେସନ
ଭୁବନେଶ୍ୱର: ଦୀର୍ଘ ଦିନର ଆଶ୍ୱସ୍ତି ପରେ ଏବେ ପୁଣି ସଂକ୍ରମଣ ଡରାଇଛି । ଏହାକୁ ନେଇ ସରକାର ମଧ୍ୟ ଚିନ୍ତାରେ ପଡ଼ିଯାଇଛନ୍ତି । ସଂକ୍ରମିତ କରୋନାର ଏଭଳି ରୂପ ଦେଖି ପୁଣି ଥରେ କଟକଣା ଫେରିଛି । ୧୨ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କୁ ୭ ଦିନିଆ ହୋମ୍‌ ଆଇସୋଲେସନ୍‌ରେ ରଖିବାକୁ ସମସ୍ତ ଜିଲ୍ଲା ଓ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଆଇସୋଲେସନ୍‌ରେ ରହିବା ସମୟରେ ଲକ୍ଷଣ ଦେଖା ଦେଲେ ଆର୍‌ଟିପିସିଆର୍‌ ପରୀକ୍ଷା କରାଯିବ । ପଜିଟିଭ୍‌ ବାହାରିଲେ କୋଭିଡ୍‌ ଚିକିତ୍ସା ପ୍ରୋଟୋକଲ୍‌ ମୁତାବକ ଚିକିତ୍ସିତ ହେବେ । ସେହିଭଳି ସଂକ୍ରମଣ ବଢୁଥିବା ୧୨ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କୁ ବିମାନବନ୍ଦର ଓ ରେଳଷ୍ଟେସନ୍‌ରେ ବାଧ୍ୟତାମୂଳକ ସ୍କ୍ରିନିଂ କରାଯିବ । ସମସ୍ତଙ୍କୁ ସେହିଠାରେ ରାପିଡ୍‌ ଆଣ୍ଟିଜେନ୍‌ ପରୀକ୍ଷା କରାଇବାକୁ ମଧ୍ୟ ବିମାନବନ୍ଦର ନିର୍ଦ୍ଦେଶକ ଓ ପୂର୍ବତଟ ରେଳପଥକୁ କୁହାଯାଇଛି । ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଛତିଶଗଡ଼, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଉଦ୍‌ବେଗନଜକ ଭାବେ ବଢୁଛି । ଏହି ସବୁ ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆମାନେ ସଂକ୍ରମିତ ହେବା ସହ ସେମାନଙ୍କଠାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ଆଗୁଆ ସତର୍କ ନ ହେଲେ କରୋନା ମହାମାରୀ ପୁଣି ଥରେ ମୁଣ୍ଡ ଟେକିବ । ସଂକ୍ରମଣ ବଢ଼ିଲେ କରୋନା ମୁକାବିଲା ପାଇଁ ରାଜ୍ୟ କରି ଆସୁଥିବା ବିଗତ ମାସର ସମସ୍ତ ପ୍ରୟାସ ପାଣିରେ ପଡ଼ିଯିବ । ଏଣୁ ବିମାନବନ୍ଦର ଓ ରେଳଷ୍ଟେସନଠାରେ କୋଭିଡ୍‌ ସ୍କ୍ରିନିଂକୁ କଡ଼ାକଡ଼ି କରିବାକୁ କୁହାଯାଇଛି । ଟେଷ୍ଟିଂକୁ ବଢାଇବା ସହ ଚିକିତ୍ସା ଓ ଆଇସୋଲେସନ୍‌କୁ ଦୃଷ୍ଟି ଦେବାକୁ ମୁଖ୍ୟ ଶାସନ ସଚିବ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।