ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ : ଇଭିଏମ୍ ଭିତରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ : ଇଭିଏମ୍ ଭିତରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ : ଇଭିଏମ୍ ଭିତରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ
ଭୁବନେଶ୍ୱର : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୬ଟି ଲୋକସଭା ଓ ୪୧ ଟି ବିଧାନସଭା ଅସନରେ ଭୋଟ୍ ଗ୍ରହଣ ଶେଷ ହୋଇଛି । ଅପରାହ୍ନ ୫ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଛି । ମତଦାନ ଜାରୀ ରହିଥିବାରୁ ଭୋଟିଂ ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ମୟୁରଭଂଜରେ ୬୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଯାଜପୁରରେ ୬୫ ପ୍ରତିଶତ , ଜଗତସିଂହପୁରରେ ୬୪ ପ୍ରତିଶତ ,କେନ୍ଦ୍ରାପଡାରେ ୬୫ , ଭଦ୍ରକରେ ୬୮ ପ୍ରତିଶତ ଏବଂ ବାଲେଶ୍ୱରରେ ୬୪ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପ୍ରକାଶ କରିଛନ୍ତି । ସୋମବାର ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା । ୬ଟି ଲୋକସଭା ଓ ୪୧ଟି ବିଧାନସଭା ଆସନ ପାଇଁ ଭୋଟର ମାନେ ଧାଡି ବାନ୍ଧି ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ । ଅପରାହ୍ନ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ ହାଇଥିଲା । ଏହା ପୂର୍ବରୁ ଅପରାହ୍ନ ୧ଟା ସୁଦ୍ଧା ୩୫ ପ୍ରତିଶତ ମତଦାନ ହୋଇଥିବା ବେଳେ ପୂର୍ବାହ୍ନ ୧୧ଟା ସୁଦ୍ଧା ୧୭% ଓ ସକାଳ ୯ଟା ସୁଦ୍ଧା ୯% ମତଦାନ ହୋଇଥିଲା । ଅପରପକ୍ଷରେ ବିଭିନ୍ନ ବୁଥରେ ଇଭିଏମ୍ କାମ କରୁ ନ ଥିବାରୁ ମତଦାନ ବିଳମ୍ବ ହୋଇଥିଲା । ଯାଜପୁରର ଜିଲ୍ଲା ଧର୍ମଶାଳାର ୧୧୫ ନମ୍ବର ବୁଥ୍, ବରୀର ୧୧୦, ସତ୍ୟଭାମାପୁରର ୧୨୫ ଓ ୬୮ ନମ୍ବର , ସୁକିନ୍ଦାର ୧୮୦, ୧୮୧ ଓ ୧୮୨ ନମ୍ବର ବୁଥ୍ ରେ ଇଭିଏମ୍ ମେସିନ୍ ରେ ତ୍ରୁଟି ଦେଖାଯାଇଥିବା ବେଳେ କୋରେଇର ୪୬ ନମ୍ବର ବୁଥର ଇଭିଏମ୍ ଅଚଳ ହୋଇଯାଇଥିବା ଅଭିଯୋଗ ହୋଇଥିଲା । ସେହିପରି କେନ୍ଦ୍ରାପଡ଼ାର ରାଜନଗରର ୨୨୬ ଓ ୬୮ ନମ୍ବର ,ଆଳିର ୨୨୬ ନମ୍ବର ବୁଥ୍ ରେ ଇଭିଏମ୍ ଅଚଳ ହୋଇଯାଇଥିବାରୁ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା । ଜଗତସିଂହପୁର ନିର୍ବାଚନମଣ୍ଡଳୀ ୧୩୫ ନମ୍ବର ବୁଥ୍ ଓ ବାଲିକୁଦା-ଏରସମାର ବାଖରାବାଦ ସ୍ଥିତ ୧୩୮ ନମ୍ବର ବୁଥରେ ଇଭିଏମ୍ ଅଚଳ ହୋଇଯାଇଥିବାରୁ ଭୋଟ୍ଦାନରେ ବିଳମ୍ବ ହୋଇଥିଲା ।ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଉଲୁମରା ପଂଚାୟତର ୫ ନମ୍ବର ବୁଥ୍ରେ ଭିଭିପାଟ୍ ଅଚଳ ହୋଇଯାଇଥିବାରୁ ମତଦାନ ବିଳମ୍ବିତ ହୋଇଥିଲା । ସେହିପରି ନଟାକଟା ପଂଚାୟତ ୨୦୩ ନଂ ବୁଥରେ ବି ଭିଭିପାଟ୍ ଅଚଳ ହୋଇଯାଇଥିବା ବେଳେ ବସ୍ତାର ୪ ନମ୍ବର ଓ ଭୋଗରାଇର ୧୯୦ ନମ୍ବର ବୁଥ ରେ ଇଭିଏମ୍ ଅଚଳ ହୋଇଯାଇଥିଲା । ଭଦ୍ରକର ୧୮୪ ଓ ୧୮୪ ନମ୍ବର ବୁଥ୍ , ଧାମନଗରର ୨୨୨ ନମ୍ବର ଓ ·ନ୍ଦବାଲିର ୨୧୬, ୧୪ ଓ ୨୩୯ ନମ୍ବର ବୁଥ୍ ରେ ଇଭିଏମ୍ ଅଚଳ ହୋଇଥିବାରୁ ମତଦାନରେ ବାଧା ସୃଷ୍ଟି ହୋଇଥିଲା । ମୟୂରଭଞ୍ଜ ଜିଲ୍ଲା ବାରିପଦାର ୩୪ ଓ ୩୮ ନମ୍ବର , ବାଙ୍ଗିରିପୋଷିର ୩୩, ବଡ଼ସାହିର ୧୦୨ ଓ ୨୨ ନମ୍ବର ବୁଥ୍ ଅଚଳ ହୋଇଯାଇଛିୟ ରାଇରଙ୍ଗପୁରର ୧୪୨, ୧୪୩ ଓ ୧୯୭ ନମ୍ବର ବୁଥ୍ ରେ ଇଭିଏଏମ୍ ରେ ତ୍ରୁଟି ଦେଖାଯାଇଯାଇଥିଲା । ସାରସକଣାର ୩୯ ଓ ୬୦ ନମ୍ବର ,ଯଶୀପୁରରେ ୨୦୦ ନମ୍ବର ବୁଥରେ ଇଭିଏମ୍ କାମ କରୁନଥିବା ଅଭିଯୋଗ ହୋଇଥିଲା । ଅପରପକ୍ଷରେ ବିଭିନ୍ନ ବୁଥ୍ ରେ ଗଣ୍ଡଗୋଳ ଓ ମାରପିଟ୍ ଅଭିଯୋଗ ମଧ୍ୟ ହୋଇଛି । ବାଲେଶ୍ୱର ଜିଲ୍ଲା ଭୋଗରାଇର ୨୪୭ ନମ୍ବର ବୁଥରେ ଜଣେ ମହିଳା କର୍ମୀ ବିଜେପିର ଜନୈକ ଏଜେଂଟକୁ ମାଡ ମାରିବା ପରେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା ଅଭିଯୋଗ ହୋଇଛି । ସେହିପରି ଭଦ୍ରକ ଜିଲ୍ଲା ଧାମନଗରର ହସନାବାଦ ବୁଥରେ ମଧ୍ୟ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଖବର ସାମ୍ନାକୁ ଆସିଛିୟ ଏହି ବୁଥଟି ଏକ ସମ୍ବେଦନଶୀଳ ବୁଥ ହୋଇଥିଲେ ମଧ୍ୟ ଏଠାରେ ଆବଶ୍ୟକ ସଂଖ୍ୟକ ସୁରକ୍ଷାକର୍ମୀ ନିୟୋଜିତ ନ ଥିବା ଅଭିଯୋଗ ହୋଇଛି । ଏହି ବୁଥରେ ଦୁଇ ପ୍ରତିନ୍ଦ୍ୱନ୍ଦ୍ୱୀ ଗୋଷ୍ଠୀ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା । ଏଥିସହ ଭଦ୍ରକ ଜିଲ୍ଲାର ବାସୁଦେବପୁରର ୮୬ ନମ୍ବର ବୁଥରେ ବିଜେଡି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ଖବର ମିଳିଛି ।