ଚାଷୀଙ୍କୁ କାଳିଆ ଟଙ୍କା ମିଳିବା ନେଇ ମୁଖ୍ୟ ନିର୍ବାଚନ କମିଶନରଙ୍କ ଦ୍ୱାରସ୍ଥ ହେଲା ବିଜେଡ଼ି

ଚାଷୀଙ୍କୁ କାଳିଆ ଟଙ୍କା ମିଳିବା ନେଇ ମୁଖ୍ୟ ନିର୍ବାଚନ କମିଶନରଙ୍କ ଦ୍ୱାରସ୍ଥ ହେଲା ବିଜେଡ଼ି

ଚାଷୀଙ୍କୁ କାଳିଆ ଟଙ୍କା ମିଳିବା ନେଇ ମୁଖ୍ୟ ନିର୍ବାଚନ କମିଶନରଙ୍କ ଦ୍ୱାରସ୍ଥ ହେଲା ବିଜେଡ଼ି
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଲୋକପ୍ରିୟ ‘କାଳିଆ’ ଯୋଜନା ବନ୍ଦକୁ ନେଇ ଶେଷରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଦ୍ୱାରସ୍ଥ ହୋଇଛି ବିଜୁ ଜନତା ଦଳ । ରାଜ୍ୟର ଚାଷୀକୂଳଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଏହି ‘କାଳିଆ’ ଯୋଜନା ଚାଲୁ ରଖିବା ସହ ସହାୟତା ଅର୍ଥ ବଣ୍ଟନ ଉପରୁ କଟକଣା ହଟାଇବାକୁ କମିଶନରଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ବିଜେଡ଼ି ପ୍ରତିନିଧି ଦଳ ସହ ଚାଷୀ ପ୍ରତିନିଧିମାନେ ସାମିଲ ହୋଇ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଥିଲେ । ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ବିଜେଡ଼ି କାଳିଆ ଯୋଜନାର ଲୋକପ୍ରିିୟତା ଉଲ୍ଲେଖ କରିଛି । ବର୍ତମାନ ସୁଦ୍ଧା ୩୭ ଲକ୍ଷରୁ ଉଦ୍ଧ୍ୱର୍ ଚାଷୀ ଏଥିରୁ ଉପକୃତ ହୋଇସାରିଲେଣି । ‘କାଳିଆ’ ସହାୟତା ବାବଦ ଦୁଇଟି କିସ୍ତିରେ ୧୮୫୦ କୋଟି ଟଙ୍କା ଚାଷୀଙ୍କୁ ଡିବିଟି ମାଧ୍ୟମରେ ଦିଆଯାଇଛି । ଏହି ସହାୟତା ପାଇବାକୁ ଆଉ ୧୪.୯୩ ଲକ୍ଷ କ୍ଷୁଦ୍ର ଓ ମଧ୍ୟବିତଚାଷୀ ଏବଂ ୧୦.୪୧ ଲକ୍ଷ ଭୂମିହୀନ ଚାଷୀ ପରିବାର ଏହିଭଳି ଭାବେ ୨୫.୩୪ ଲକ୍ଷ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରାଯାଇଛି । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଗତ ମାର୍ଚ୍ଚ ୧ ତାରିଖରେ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ହିତାଧିକାରୀ ତାଲିକା ପ୍ରକାଶ ପାଇଥିଲା । ମାତ୍ର ନିର୍ବାଚନ ଆଚରଣ ବିଧିର ଆଳ ଖୋଜି ବିଜେପି ଏହି ଯୋଜନାକୁ ବନ୍ଦ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ସମର୍ଥ ହୋଇଛି । ‘କାଳିଆ’ ଯୋଜନା ବନ୍ଦ ହୋଇଯିବା ଯୋଗୁଁ ୨୫ ଲକ୍ଷରୁ ଉଦ୍ଧ୍ୱର୍ ଚାଷୀ ବର୍ତମାନ ବେସାହାରା ହୋଇଯାଇଛନ୍ତି । ଖରିଫ୍ ଋତୁ ପାଇଁ ସେମାନଙ୍କ ଯୋଜନା ଧୋଇ ହୋଇଯାଇଛି । ନିର୍ବାଚନ କମିଶନ ଏହାର ବିଚାର କରି ତ୍ୱରିତ୍ ପଦକ୍ଷେପ ନେବାକୁ ବିଜେଡ଼ି ପକ୍ଷରୁ ଅନୁରୋଧ କରାଯାଇଛି । ସେହିଭଳି ଚାଷୀ ପ୍ରତିନିଧିଙ୍କ ପକ୍ଷରୁ ମଧ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପୃଥକ୍ ସ୍ମାରକପତ୍ର ଦିଆଯାଇଛି । ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଥିବା ବିଜେଡ଼ି ପ୍ରତିନିଧି ଦଳରେ ସାଂସଦ ପିନାକୀ ମିଶ୍ର, ମୁଖପାତ୍ର ତଥା ଆଇଟି ସେଲ୍ ଅଧ୍ୟକ୍ଷ ଅମର ପଟ୍ଟନାୟକ, ଡ. ସସ୍ମିତ୍ ପାତ୍ର, ସୁଲୋଚନା ଦାସ, ଯୁବ ବିଜେଡ଼ି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡ଼ି ସଭାପତି ରାଣା ପ୍ରତାପ ପାତ୍ର ସାମିଲ ହୋଇଥିଲେ । ସେହିଭଳି ଚାଷୀ ପ୍ରତିନିଧି ଦଳରେ କିଶୋର ଚନ୍ଦ୍ର ଦେବତା, ନନ୍ଦଲାଲ ବେହେରା, ପଂଚାନନ ଦଳପତି, ନାରାୟଣ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।